ଭୁବନେଶ୍ୱର: ନ୍ୟାୟପାଳିକାର ଆଉ ଏକ କଳଙ୍କ ହୋଇଛନ୍ତି ଅବସରପ୍ରାପ୍ତ ଜଷ୍ଟିସ୍ ଆଇ.ଏମ.କୁଦ୍ଦୁସି । ଦଲାଲି କରି ଲାଞ୍ଚ ନେବା ଅଭିଯୋଗରେ ଆଜି ସିବିଆଇ ତାଙ୍କୁ ଗିରଫ କରିଛି । ନୂଆଦିଲ୍ଲୀସ୍ଥିତ ଗ୍ରେଟର କୈଳାସସ୍ଥିତ ବାସଭବନରୁ ତାଙ୍କୁ ବନ୍ଧା ଯାଇଛି । କୁଦ୍ଦୁସିିଙ୍କ ମୁଖ୍ୟ ସହଯୋଗୀ ଭୁବନେଶ୍ୱରର ବିଶ୍ୱନାଥ ଅଗ୍ରୱାଲ୍ ଓ ଅନ୍ୟ ୪ ଜଣଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି । ଗତକାଲି କୁଦ୍ଦୁସିଙ୍କ ଦିଲ୍ଲୀ ଘର, ବିଶ୍ୱନାଥଙ୍କ ଭୁବନେଶ୍ୱରର କାନନବିହାର ଘର ସମେତ ୯ଟି ସ୍ଥାନରେ ସିବିଆଇ ଚଢ଼ଉ କରିଥିଲା । ମୋଟା ଲାଞ୍ଚ ବଦଳରେ ବିଚାରପ୍ରକ୍ରିୟାକୁ ପ୍ରଭାବିତ କରିଥିବା ଅଭିଯୋଗରେ କୁଦ୍ଦୁସିଙ୍କ ଗିରଫଦାରି ନ୍ୟାୟପାଳିକା ବ୍ୟବସ୍ଥାରେ ଆଉ ଏକ କଳଙ୍କ ଯୋଡିଛି । ବିଚାର ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ପୁଣି ଥରେ ଦୋହଲିଯାଇଛି ।
କୁଦ୍ଦୁସିଙ୍କ ବିରୋଧରେ ଅଭିଯୋଗ ଅପରାଧ ମାମଲାଟି ବେଶ୍ ସାଂଘାତିକ । ଉତ୍ତରପ୍ରଦେଶର ଲକ୍ଷ୍ମୌରେ ପ୍ରସାଦ ଏଜୁକେସନ୍ ଟ୍ରଷ୍ଟ ନାମରେ ଏକ ସଂସ୍ଥା ଅଛି । ସରାଇ ସାହଜାଦି, ବନ୍ଥରାରେ ଏହି ଟ୍ରଷ୍ଟର ପରିଚାଳନାରେ ତିଆରି ହୋଇଛି ଘରୋଇ ମେଡ଼ିକାଲ କଲେଜ ‘ପ୍ରସାଦ ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ ସାଇନସ୍’ । ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଉକ୍ତ ମେଡ଼ିକାଲ୍ କଲେଜ ସମେତ ଦେଶର ୪୬ ଟି ମେଡ଼ିକାଲ କଲେଜରେ ନାମଲେଖାକୁ କେନ୍ଦ୍ର ସରକାର ବ୍ୟାନ୍ କରିଥିଲେ । ତେବେ ପ୍ରସାଦ ଟ୍ରଷ୍ଟ ପକ୍ଷରୁ ଏହାକୁ ସୁପ୍ରିମେକୋର୍ଟରେ ଚାଲେଂଜ କରାଯାଇଥିଲା । ସୁପ୍ରିମକୋର୍ଟ ଏହାର ଅନୁଧ୍ୟାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାର ଅନୁଧ୍ୟାନ କରି ପ୍ରସାଦ ଏଜୁକେସନ୍ ଟ୍ରଷ୍ଟର ମେଡ଼ିକାଲ୍ କଲେଜ ସ୍ୱୀକୃତି ଓ ନାମଲେଖାକୁ ୨୦୧୭ ଶିକ୍ଷାବର୍ଷରୁ ଦୁଇବର୍ଷ ପାଇଁ ବ୍ୟାନ୍ କରିଥିଲେ । ତେବେ ସୁପ୍ରିମକୋର୍ଟରେ ମାମଲାର ରଫାଦଫା ପାଇଁ ପ୍ରସାଦ ଟ୍ରଷ୍ଟର ବି.ପି.ଯାଦବ ଓ ପଲାସ ଯାଦବ ହାୱାଲା ଏଜେଣ୍ଟ ଭାବନା ପାଣ୍ଡେଙ୍କ ମାଧ୍ୟମରେ ଅବସରପ୍ରାପ୍ତ ବିଚାରପତି କୁଦ୍ଦୁସିଙ୍କ ସହଯୋଗ ଲୋଡିଥିଲେ । ସୁପ୍ରିମକୋର୍ଟରେ ସିରିଜ୍ ପିଟିସନ୍ କରି ବିଚାରପ୍ରକ୍ରିୟାକୁ ନିଜ ସପକ୍ଷରେ ନେବାକୁ ସେମାନେ କୁଦ୍ଦୁସିଙ୍କଠାରୁ ପ୍ରତିଶ୍ରୁତି ପାଇଥିଲେ । ହାୱାଲା ଜରିଆରେ ଏହି ବାବଦକୁ କୋଟିଏରୁ ଅଧିକ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଛି । ବିଶ୍ୱନାଥ ଅଗ୍ରୱାଲ୍ ଏହି କାରବାରରେ ମଧ୍ୟସ୍ଥି ଥିଲେ ।
ସିବିଆଇ ହାବୁଡ଼ରେ ଏହି ସାଂଘାତିକ କାରବାରର ଖିଅ ଲାଗିଲା ପରେ ଖୋଳତାଡ଼ ହୋଇଥିଲା । ଗତକାଲି କୁଦ୍ଦୁସିଙ୍କ ଘର ସମେତ ୯ଟି ସ୍ଥାନରେ ଚଢ଼ଉ କରି ସିବିଆଇ ନଗଦ ୯୨ ଲକ୍ଷ ଟଙ୍କା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଦଲିଲ ଜବତ କରିଥିଲା । କୁଦ୍ଦୁସି ଓ ଅନ୍ୟ ୭ ଜଣଙ୍କ ବିରୋଧରେ ପ୍ରିଭେନସନ୍ ଅଫ କରପସନ୍ ଆକ୍ଟ ୧୯୮୮ ଏବଂ ଆଇପିସି ଧାରା ୧୨୦(ବି)ରେ ମାମଲା ରୁଜୁ ହୋଇଥିଲା । ଆଜି କୁଦ୍ଦୁସିଙ୍କ ସମେତ ବି.ପି.ଯାଦବ, ପଲାସ ଯାଦବ, ବିଶ୍ୱନାଥ ଅଗ୍ରୱାଲ୍, ଭାବନା ପାଣ୍ଡେ ଏବଂ ରାମଦେବ ସାରସ୍ୱତଙ୍କୁ ସିବିଆଇ ଗିରଫ କରିଛି ।
ଉତ୍ତରପ୍ରଦେଶରେ ଜନ୍ମିତ ଇସରତ ମସରୁର୍ କୁଦ୍ଦୁସି ୧୯୯୩ ମସିହାରେ ଆହ୍ଲାବାଦ ହାଇକୋର୍ଟର ଅତିରିକ୍ତ ବିଚାରପତି ନିଯୁକ୍ତି ପାଇଥିଲେ । ୧୯୯୫ ମସିହାରେ ତାଙ୍କୁ ସ୍ଥାୟୀ ବିଚରପତି ନିଯୁକ୍ତି ମିଳିଲା । ୨୦୦୪ ମସିହାରେ ଓଡ଼ିଶା ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା । ଓଡ଼ିଶା ହାଇକୋର୍ଟରେ ୬ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ୱ ତୁଲାଇଥିଲେ । ପରେ ଛତିଶଗଡ଼ ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା । ୨୦୧୨ ମସିହାରେ କୁଦ୍ଦୁସି ଅବସର ନେଇଥିଲେ । ସଙ୍ଗୀନ ଦୁର୍ନୀତି ମାମଲାରେ କୁଦ୍ଦୁସି ଗିରଫ ହେବା ପରେ ତାଙ୍କ ଚାକିରିକାଳରେ ନ୍ୟାୟିକ ବିଚାର ଉପରେ ପ୍ରଶ୍ନ ଉଠିଛି । ସାରା ଦେଶରେ ଏହା ଚର୍ଚ୍ଚା ଓ ଚିନ୍ତାର ବିଷୟ ହୋଇଛି ।