ଭୁବନେଶ୍ୱର: ହାଇକୋର୍ଟର ସିଟିଂ ଜଷ୍ଟିସ୍ ସି.ଆର.ଦାସଙ୍କ ସରକାରୀ କ୍ୱାର୍ଟରରେ ଗତ ରାତି ଅଧରେ ପଶିଲା ସିବିଆଇ । ଏଭଳି ଅତ୍ୟନ୍ତ ସାଂଘାତିକ ଘଟଣାକୁ ବାର୍ ଆସୋସିଏସନ୍ ବିରୋଧ କରି ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ । ସଂଧ୍ୟାରେ ସିବିଆଇ ଅଫିସ ପକ୍ଷରୁ ଏକ ସ୍ପଷ୍ଟୀକରଣ ଜାରି ହୋଇ ଘଟଣାକୁ ଗୁଜବ ବୋଲି କୁହାଗଲା । ପରେ ପରେ ଜଷ୍ଟିସ୍ ଙ୍କ ବାସଭବନର ଦୁଇ ସୁରକ୍ଷାକର୍ମୀଙ୍କ ଏତଲା ଆଧାରରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ସଂପୃକ୍ତ ସିବିଆଇ ଅଫିସରଙ୍କ ବିରୋଧରେ ମାମଲା ରୁଜୁ କଲା । କମିଶନରେଟ୍ ପୁଲିସ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଲା ପରେ ସିବିଆଇ ଆଉ ଏକ ସ୍ପଷ୍ଟୀକରଣ ଜାରି କରିଛି । ଦୁଇ ଘଣ୍ଟା ପୂର୍ବରୁ ଘଟଣାକୁ ଗୁଜବ ବୋଲି କହିଥିବା ସିବିଆଇ ନିଜର ସ୍ୱର ବଦଳାଇ ଘଟଣାକୁ ଏକପ୍ରକାର ମାନିନେଇଛି । ଜଷ୍ଟିସ୍ ଦାସଙ୍କ ସରକାରୀ କ୍ୱାର୍ଟର ଗେଟ୍ ଭିତରକୁ ସିବିଆଇ ଟିମ୍ ପଶିନି । ଗେଟ୍ ବାହାରୁ ଅନୁଧ୍ୟାନ କରି ଫେରିଆସିଛି ବୋଲି ସଫେଇ ଦେଇଛି । ଏହି ନାଟକୀୟ ଘଟଣାବଳୀ ସିବିଆଇର ସିବିଆଇର ଔଦ୍ଧତାମୀ ଓ ଅରାଜକତାକୁ ପଦାରେ ପକାଇଦେଇଛି । କେନ୍ଦ୍ରୀୟ ତଦନ୍ତକାରୀ ଏହି ସଂସ୍ଥା ଆଉ ଯେ ଇନ୍ଦ୍ରଚନ୍ଦ୍ରଙ୍କୁ ଖାତିର କରିବା ଅବସ୍ଥାରେ ନାହିଁ ତାହା କାମରେ ଦେଖାଇଛି ।
ସିବିଆଇ ଯାହା ସଫେଇ ଦେଲେ ବି ତାର ମନମାନି ଓ ଅଭଦ୍ରାମୀ ଧରାପଡିଛି । ଜଷ୍ଟିସ୍ ସି.ଆର.ଦାସଙ୍କ ସରକାରୀ କ୍ୱାର୍ଟର ଆଗରେ ବଡ଼ ବଡ଼ ଅକ୍ଷରରେ ତାଙ୍କର ନେମ୍ ପ୍ଲେଟ୍ ରହିଛି । ମଙ୍ଗଳବାର ରାତି ଅଧରେ ସିବିଆଇ ଇନସପ୍ଟେର ପି.କେ.ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ଯାଇ ପହଞ୍ଚିଥିଲେ । ଜଷ୍ଟିସ୍ କୁଦ୍ଦସି ଏଠାରେ ରହୁଛନ୍ତି କି ନାଇଁ ଡ୍ୟୁଟିରେ ଥିବା ଦୁଇ ସୁରକ୍ଷାକର୍ମୀ(ହୋମଗାର୍ଡ)ଙ୍କୁ ପଚାରିଥିଲେ । ସେମାନେ ମନା କରିବା ସତ୍ତ୍ୱେ ସିବିଆଇ ଅଫିସରମାନେ ସେମାନଙ୍କ ସହ ଯୁକ୍ତିତର୍କ କରି ଫେରି ଆସିଲେ । ସିବିଆଇ ଟିମ୍ ରାତି ଅଧରେ ହାଇକୋର୍ଟର ଜଣେ ସିଟିଂ ଜଜ୍ ଙ୍କ ଘରକୁ ଯାଇ ତନାଘନା କରିବା ଖାଲି ଓକିଲ ସମାଜ ନୁହେଁ, ସମଗ୍ର ରାଜ୍ୟବାସୀଙ୍କୁ ଚହଲେଇ ଦେଇଛି ।
ପ୍ରଥମତଃ, ଏମିତିରେ ସିବିଆଇ କେନ୍ଦ୍ର ସରକାରଙ୍କ ଗୋଟେ ସାଧାରଣ ତଦନ୍ତକାରୀ ସଂସ୍ଥା । ପୁଲିସର କ୍ଷମତା ଯାହା ସିବିଆଇର କ୍ଷମତା ବି ସେୟା । ଜଣେ ସିଟିଂ ଜଜ୍ ଙ୍କ ବିରୋଧରେ ତନାଘନା କରିବା ସିବିଆଇ ଅଧିକାର ବାହାରେ । ଦ୍ୱିତୀୟରେ, ହାଇକୋର୍ଟର ପୁର୍ବତନ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ କୁଦ୍ଦସି ସେ କ୍ୱାର୍ଟରରେ ପୂର୍ବରୁ ରହୁଥିଲେ । ଧରନ୍ତୁ ଯଦି ବା ସାଧାରଣ ଅପରାଧୀଙ୍କ ଭଳି ଜଷ୍ଟିସ୍ କୁଦ୍ଦସିଙ୍କ ବିରୋଧରେ କୌଣସି ଅଭିଯୋଗର ତନାଘନା ପାଇଁ ସିବିଆଇ ଟିମ୍ ଯାଇଥିଲେ ସେମାନେ ସର୍ଚ୍ଚ ୱାରେଣ୍ଟ ସହ ସ୍ଥାନୀୟ ପୁଲିସର ସହାୟତା ନେଇ ଯିବା କଥା । ସେହି ସର୍ଚ୍ଚ ୱରେଣ୍ଟରେ ଅଭିଯୁକ୍ତଙ୍କ ନାଁ, ଠିକଣା ରହିବା କଥା । ମାତ୍ର ତାହା ଥିଲା କି ? ଜଷ୍ଟିସ୍ କୁଦ୍ଦସି ୩ ବର୍ଷ ତଳୁ ସେ କ୍ୱାର୍ଟର ଛାଡ଼ିସାରିଥିଲେ ମଧ୍ୟ ସେକଥା ସିବିଆଇ ଟିମ୍ କିଭଳି ଜାଣିପାରିଲା ନାହିଁ ?
ଆହୁରି ସାଂଘାତିକ କଥା ହେଉଛି, ଜଷ୍ଟିସ୍ ଙ୍କ ଘରର ନେମ୍ ପ୍ଲେଟ୍ ଦେଖିଲା ପରେ ବି ସିବିଆଇ ଅଧିକାରୀମାନେ ସୁରକ୍ଷାକର୍ମୀଙ୍କୁ ହାରକିନ୍ ଦେଖାଇବା ସବୁ ଲକ୍ଷ୍ମଣରେଖା ଟପିଯାଇଛି । ବରିଷ୍ଠ ଆଇନଜୀବୀଙ୍କ ମତରେ ସେହି ଜାଗାରୁ ତତକ୍ଷଣାତ୍ ସଂପୃକ୍ତ ସିବିଆଇ ଅଧିକାରୀଙ୍କୁ ପୁଲିସ ବାନ୍ଧିନେବା କଥା । ପୁଲିସ ଭଳି ସିବିଆଇ ହାଇକୋର୍ଟର ଏକ ପକ୍ଷ ହୋଇ ବିଚାରପତିଙ୍କ ଘରକୁ ରାତିଅଧରେ ଯିବା ଏବଂ ସୁରକ୍ଷାକର୍ମୀଙ୍କୁ ନାଲିଆଖି ଦେଖାଇବା ଅତ୍ୟନ୍ତ ସାଂଘାତିକ ବୋଲି ବାର୍ କାଉନସିଲ୍ କର୍ମକର୍ତ୍ତା କହିଛନ୍ତି । ଏହା ବିରୋଧରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି । ବିଚାର ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ସିବିଆଇକୁ ବ୍ୟବହାର କରାଯାଉଛି ବୋଲି ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର କହିଥିଲା ବେଳେ ଘଟଣାକୁ ଅତ୍ୟନ୍ତ ସାଂଘାତିକ ବୋଲି ବରିଷ୍ଠ ଆଇନଜୀବୀ ସୀତାଂଶୁ ଦ୍ୱିବେଦୀ, କାଳୀପ୍ରସନ୍ନ ମିଶ୍ର ପ୍ରମୁଖ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ସେପଟେ ଏହି ଘଟଣାକୁ ପୁଲିସ ଡିଜି ମଧ୍ୟ ଗମ୍ଭୀରତାର ସହ ନେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁଲିସ ଡିଜି ଓ କମିଶନର ଆଜି ଦିତମାମ ଏହି ଘଟଣା ଉପରେ ନଜର ରଖିଥିଲେ । ଉଚ୍ଚସ୍ତରୀୟ ବୈଠକ ଡାକି ଏହା ଉପରେ ତନାଘନା କରିଥିଲେ । ଶେଷରେ ଜଷ୍ଟିସ୍ ଙ୍କ ସୁରକ୍ଷାକର୍ମୀଙ୍କ ଆଧାରରେ କ୍ୟାଣ୍ଟନମେଣ୍ଟ ଥାନାରେ ସିବିଆଇ ଇନସପେକ୍ଟର ପି.କେ.ମିଶ୍ର ଓ ଟିମ୍ ବିରୋଧରେ ୧୨୦(ବି), ୩୫୩,୫୧୧ ଏବଂ ଆଇପିସି ଧାରା ୩୪ ରେ ମାମଲା ରୁଜୁ ହୋଇଛି ।