ଭୁବନେଶ୍ୱର: ଚିଟଫଣ୍ଡ ତଦନ୍ତରେ ବାଟବଣା ହୋଇଯାଇଛି ସିବିଆଇ । ଗତକାଲି ରାତିରେ ଜଣେ ହାଇକୋର୍ଟ ବିଚାରପତିଙ୍କ ଘରେ ସିବିଆଇ ପଶିଥିବା ଅଭିଯୋଗ ହୋଇଛି । ଘର ଠିକଣା ନ ଜାଣି ଭୁଲରେ ସିବିଆଇ ଅଫିସରମାନେ ପଶିଥିବା କୁହାଯାଉଛି । ତେବେ ଏହି ଘଟଣାକୁ ନେଇ ବାର୍ ଆସୋସିଏସନ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଆସୋସିଏସନ୍ ର ସାଧାରଣ ପରିଷଦ ବୈଠକରେ ଏହା ଉପରେ ଆଲୋଚନା ହୋଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ହାଇକୋର୍ଟର ଜଣେ ତତ୍କାଳୀନ ବିଚାରପତିଙ୍କ ପୁଅ ଚିଟଫଣ୍ଡ ଟଙ୍କାରେ ଫିଲ୍ମ କରିଥିବା ଅତୀତରେ ସିବିଆଇ ନିକଟରେ ଅଭିଯୋଗ ହୋଇଥିଲା । ପ୍ରଭାତ ବିଶ୍ୱାଳଙ୍କ ଗିରଫ ପରେ ଉତ୍ସାହିତ ସିବିଆଇ ଟିମ୍ ଗତକାଲି ସେହି ଅଭିଯୋଗର ଛାନଭିନ୍ କରିବା ଆରମ୍ଭ କରିଥିଲେ । ସଂପୃକ୍ତ ଜଜ୍ ଙ୍କ କଟକ ଘରର ପୁରୁଣା ଠିକଣା ଧରି ସିବିଆଇ ଟିମ୍ ଗତ ରାତିରେ ସେଠାକୁ ଯାଇଥିବା ଅଭିଯୋଗ ହୋଇଛି । ତେବେ ଇତିମଧ୍ୟରେ ସଂପୃକ୍ତ ଜଜ୍ ଅବସର ନେଇ ସେ ଘର ଛାଡ଼ିଥିଲେ ମଧ୍ୟ ସିବିଆଇ ପାଖରେ ଖବର ନ ଥିଲା । ବର୍ତ୍ତମାନ ସେହି ଘରେ ହାଇକୋର୍ଟର ଅନ୍ୟ ଜଣେ ବିଚାରପତି ରହୁଛନ୍ତି । ଆଉ ସିବିଆଇ ଟିମ୍ ଠିକଣା ଯାଞ୍ଚନ କରି କୁଆଡେ ବେପରୁଆ ଭାବେ ପଶିଥିଲା ବର୍ତ୍ତମାନର ବିଚାରପତିଙ୍କ ଘରେ । ସିବିଆଇର ଏଭଳି କାରନାମା ବୁଦ୍ଧିଜୀବୀ ମହଲରେ ହଇଚଇ ସୃଷ୍ଟି କରିଛି ।