ଭୁବନେଶ୍ୱର: ବିଜେପିର ପ୍ରତିହଂସାପରାୟଣ ରାଜନୀତିକୁ ଏଥର ମମତା ବାନାର୍ଜୀଙ୍କ ଷ୍ଟାଇଲରେ ସାମନା କରିବ ବିଜେଡ଼ି । ବିଜେପିର ସିବିଆଇ ଷଡ଼ଯନ୍ତ୍ରରେ ଚୁପ୍ ବସିବ ନାହିଁ । ପ୍ରଭାତ ବିଶ୍ୱାଳଙ୍କ ଗିରଫ ପରେ ପ୍ରଥମ ଥର ପାଇଁ ବିଜେଡ଼ି ଏଭଳି କଠୋର ଆଭିମୁଖ୍ୟ ନେଇଛି । ମମତା ବାନାର୍ଜୀଙ୍କ ଭଳି ଜୋରଦାର ଲଢ଼େଇ କରିବାକୁ ପ୍ରସ୍ତୁତ ହୋଇଯାଇଛି । ଆଜି ବିଜେଡ଼ି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତାମାନେ ଦଳର କଠୋର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ପ୍ରଭାତ ତ୍ରିପାଠୀ ଓ ରାମଚନ୍ଦ୍ର ହାଁସଦାଙ୍କ କ୍ଷେତ୍ରରେ ଦଳ ଯେଉଁ ଆଭିମୁଖ୍ୟ ନେଇଥିଲା ପ୍ରଭାତ ବିଶ୍ୱାଳଙ୍କ କ୍ଷେତ୍ରରେ ବଦଳାଇଛି । ସିବିଆଇ ଗିରଫଦାରିର ପ୍ରତିବାଦ ଲଢ଼େଇ ପାଇଁ ଓଲଟି ପ୍ରସ୍ତୁତ ହୋଇଛି ।
ନବୀନ ନିବାସରେ ସୁପ୍ରିମୋଙ୍କ ସହ ଦଳର ବରିଷ୍ଠ ନେତାଙ୍କ ବିଚାରବିମର୍ଷ ପରେ ବିଜେଡ଼ି ସାମ୍ବାଦିକ ସମ୍ମିଳନୀ ଡାକିଥିଲା । ଉପସ୍ଥିତ ଥିଲେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ, ମହେଶ୍ୱର ମହାନ୍ତି ଓ ଶଶୀଭୂଷଣ ବେହେରା । ସିଧା ସିଧା କହିଥିଲେ, ତମାମ ଦେଶରେ ବିରୋଧୀ ରାଜନୈତିକ ଶକ୍ତିଙ୍କୁ ଜେଲ୍ ରେ ପୂରାଇବା ପାଇଁ ବିଜେପି ସିବିଆଇକୁ ଅସ୍ତ୍ର କରିଛି । ପ୍ରଭାତ ବିଶ୍ୱାଳଙ୍କ ଗିରଫ ତାହାର ଏକ ଅଂଶ । ଭୁବନେଶ୍ୱରରେ ଅମିତ୍ ଶାହା ଚିଟଫଣ୍ଡ ପ୍ରସଙ୍ଗ ଉଠାଇ ବିଜେଡ଼ି ନେତାଙ୍କୁ ଜେଲ୍ ରେ ପୂରାଇବାକୁ ଧମକ ଦେଇ ଯାଇଥିଲେ । ୧୦ ଦିନ ନ ପୂରୁଣୁ ସେହି ଧମକକୁ କାର୍ଯ୍ୟକାରୀ କରାଯାଇଥିବା ପ୍ରଭାତଙ୍କ ଗିରଫ ସ୍ପଷ୍ଟ କରିଛି । ରାଜନୈତିକ ପ୍ରତିଶୋଧ ପାଇଁ ସିବିଆଇକୁ ବିଜେପି ହାତବାରିସୀ କରିଥିବା ଏଥିରୁ ପ୍ରମାଣିତ ହୋଇଛି । ତେବେ ବିଜେଡ଼ି ତାହା ବରଦାସ୍ତ କରିବ ନାହିଁ । ରାଜନୈତିକ ମୁକାବିଲା କରିବ । ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ନେତାମାନେ ଜଣାଇ ଦେଇଛନ୍ତି ।
ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ସିବିଆଇ ଦ୍ୱାରା ପ୍ରଭାତ ବିଶ୍ୱାଳଙ୍କ ଗିରଫଦାରି ଛତ୍ରଭଙ୍ଗରେ ଥିବା ବିଜେଡ଼ି ନେତାଙ୍କୁ ଏକାଠି କରୁଛି । ଖୋଦ୍ ଚିଟଫଣ୍ଡରେ ସଂପୃକ୍ତ ନେତାମାନେ ଯେ କୌଣସି ମୁହୁର୍ତ୍ତରେ ଗିରଫର ପ୍ରମାଦ ଗଣୁଥିଲେ ମଧ୍ୟ ଅମିତ୍ ଶାହା-ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଡିର ମିଳିତ ମୁକାବିଲା ପାଇଁ ବଳ ଗୋଟାଉଛନ୍ତି । ପରଷ୍ପର ଗୋଛି କଟାକଟିରେ ନ ରହି ଧର୍ମେନ୍ଦ୍ରଙ୍କ ବିଜେପି ବିରୋଧରେ ଲଢ଼ିବା ସେମାନଙ୍କୁ ସୁଯୋଗ ଆଣିଛି । ସେପଟେ ପ୍ରଭାତ ବିଶ୍ୱାଳଙ୍କ କ୍ଷେତ୍ରରେ ବିଜେପି ଯେଉଁ ଫାଇଦା ଚାହୁଁଥିଲା ତାହା ଫସର ଫାଟିଯାଇଛି । ଏହା ବିଜେଡ଼ିକୁ କ୍ଷତାକ୍ତ ନ କରି ବରଂ ବିଜେପିକୁ ବୁମେରାଂ ହୋଇଛି । ସିବିଆଇକୁ ଲଗାଇ ବିଜେପିର ଏହା ପ୍ରତିହିଂସାମୂଳକ ପଦକ୍ଷେପ ବୋଲି ଲୋକଙ୍କ ମନରେ ପଶିଯାଇଛି । ଆଇନ ତା ବାଟରେ ଯିବ ବୋଲି ବିଜେପି ନେତାଏ ଯେତେ ସଫେଇ ଦେଲେ ବି ଲୋକଙ୍କୁ କାଟୁ କରୁନି ।