• ସିସୋର୍ ଲିଙ୍କ୍ ଅଭିଯୋଗରେ ପ୍ରଭାତ ବିଶ୍ୱାଳ ଗିରଫ
• ଅମିତ୍ ଶାହା କହିଥିଲେ, କରି ଦେଖାଇଲେ !
• ବିଜେଡ଼ି ଶିବିରରେ କମ୍ପନ
• ନବୀନ ନିବାସରେ ଏକାଠି ହେଲେ ବରିଷ୍ଠ ନେତା
• ଛାତ୍ର ବିଜେଡ଼ିର ଧମକ: ସବୁ ଅଚଳ କରିଦେବୁ
ଭୁବନେଶ୍ୱର: ନିକଟରେ ଓଡ଼ିଶା ଆସିଥିବା ଅମିତ୍ ଶାହା ବିଜେଡ଼ିକୁ ସିବିଆଇ ଡର ଦେଖାଇଥିଲେ । ଚିଟଫଣ୍ଡ ଘୋଟାଲାରେ ସଂପୃକ୍ତ କୌଣସି ନେତାଙ୍କୁ ଛଡ଼ାଯିବ ନାହିଁ ବୋଲି ଭରପୂର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ । ଆଜି ତାହା ସତ ହୋଇଛି । ଅମିତ୍ ଶାହା-ଧର୍ମେନ୍ଦ୍ର ପ୍ରଧାନ ଯୋଡି ତାଙ୍କର କରାମତି ଦେଖାଇଛନ୍ତି । ଓଡ଼ିଶାରେ ଚିଟଫଣ୍ଡର ସେକେଣ୍ଡ ଫେଜ୍ ସିବିଆଇ ଖଣ୍ଡା ବୁଲିବା ଆରମ୍ଭ ହୋଇଛି । ବିଜେଡ଼ିର ତେଲଦର ବୃଦ୍ଧି ପ୍ରତିବାଦର ମାତ୍ର କେଇ ଘଣ୍ଟା ପରେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଛି । ସିସୋର ଚିଟଫଣ୍ଡ ଲିଙ୍କ୍ ଅଭିଯୋଗରେ ତାଙ୍କୁ ବନ୍ଧାଯାଇଛି । ମିସନ୍ ସିବିଆଇରେ ଦଶହରା ପୂର୍ବରୁ ଆଉ ଦୁଇ ଜଣ ବିଜେଡ଼ି ନେତାଙ୍କୁ ଗିରଫ କରିବା ପାଇଁ ସିବିଆଇ ଯୋଜନା କରିଥିବା ଚର୍ଚ୍ଚା ହେଉଛି ।
ଗତକାଲି ସଂଧ୍ୟାରେ ସିବିଆଇ ପ୍ରଭାତଙ୍କୁ ପଚରାଉଚୁରା ପାଇଁ ଡାକିଥିଲା । ଦୀର୍ଘ ସମୟର ପଚରାଉଚୁରା ପରେ ରାତିରେ ଗିରଫ ଦର୍ଶାଇଥିଲା । ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯିବ । ସିବିଆଇ ହେପାଜତରେ ଥିବା ପ୍ରଭାତ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ତାଙ୍କର ରକ୍ତଚାପ ବଢ଼ିଯିବା ସହ ଛାତିରେ ଯନ୍ତ୍ରଣା ହେଉଛି । କ୍ୟାପିଟାଲ୍ ହସ୍ପିଟାଲ୍ ରୁ ଡାକ୍ତର ଯାଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ବିଜେଡ଼ି ବିଧାୟକଙ୍କୁ ସିବିଆଇ ଗିରଫ ରାଜ୍ୟ ରାଜନୀତିରେ କମ୍ପମାନ ସୃଷ୍ଟି କରିଛି । ବିଜେପିର ସିବିଆଇ ଅସ୍ତ୍ରର ମୁକାବିଲା ପାଇଁ ବିଜେଡ଼ି ରଣନୀତି ପ୍ରସ୍ତୁତ କରୁଛି । ଛାତ୍ର ବିଜେଡ଼ି ରାଜରାସ୍ତା ଓହ୍ଲାଇବାକୁ ଧମକ ଦେଇଛି ।
ସିସୋର ଚିଟଫଣ୍ଡ କମ୍ପାନୀଠାରୁ ଜମି କିଣାବିକା ନାଁରେ ପ୍ରଭାତ ଅନୁଗ୍ରହ ଆକାରରେ ଟଙ୍କା ନେଇଥିବା ଅଭିଯୋଗକୁ ନେଇ ସିବିଆଇ ତିନିବର୍ଷ ହେଲା ଖୋଳତାଡ଼ କରୁଥିଲା । ପ୍ରଭାତ ଓ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କୁ ବାରମ୍ବାର ଜେରା କରିଥିଲା । ଗତ ଜାନୁଆରୀ ୧୨ ତାରିଖରେ ସିବିଆଇ ତାଙ୍କ ଘର ରେଡ୍ କରିଥିଲା । ହେଲେ ୭ ମାସ ପରେ ସିବିଆଇ ପ୍ରଭାତଙ୍କୁ ଗିରଫ କରିଛି । ପ୍ରଭାତଙ୍କୁ ସିବିଆଇ ଗିରଫ ଘଟଣା ବିଜେଡ଼ି ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଏହାର ପ୍ରତିରୋଧ ପାଇଁ ବିଜେଡ଼ି ନିଜକୁ ପ୍ରସ୍ତୁତ କରୁଛି । ଛାତ୍ର ବିଜେଡ଼ି ପକ୍ଷରୁ ସିବିଆଇ ଅଫିସ ଆଗରେ ବିକ୍ଷୋଭ କରାଯାଇ ସବୁ ଅଚଳ କରିଦେବାର ଧମକ ଦିଆଯାଇଛି । ସେପଟେ ନବୀନ ନିବାସରେ ବରିଷ୍ଠ ନେତାମାନେ ଏକାଠି ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଦେବୀପ୍ରସାଦ ମିଶ୍ର, ଶଶୀଭୂଷଣ ବେହେରା, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ଦେବାଶିଷ ସାମନ୍ତରାୟ ପ୍ରମୁଖ ଆଲୋଚନାରେ ବସିଛନ୍ତି । ଏହି ବୈଠକରେ ଦଳର ପରବର୍ତ୍ତୀ ରଣନୀତି ଚୂଡ଼ାନ୍ତ ହେବ ବୋଲି ସୂଚନା ମିଳିଛି ।
ବିଜେଡ଼ି ବିଧାୟକଙ୍କ ଗିରଫଦାରିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଭିନ୍ନ ମହଲରେ କୁହାଯାଉଛି । ବିଜେଡ଼ି ଏହାକୁ ରାଜନୈତିକ ଷଡ଼ଯନ୍ତ୍ର ଭାବେ ସିଧାସଳଖ ଆରୋପ ଲଗାଇଛି । ବିଜେଡ଼ିର କଟର ବିରୋଧୀ ବିଜୟ ମହାପାତ୍ର ଓ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମଧ୍ୟ ସିବିଆଇର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି । ତେବେ ରାଜ୍ୟ ବିଜେପି ପକ୍ଷରୁ ଏହାକୁ ଖଣ୍ଡନ କରିବାକୁ ଉଦ୍ୟମ ହୋଇଛି । ଯିଏ ଚୋର ସିଏ ଗିରଫ ହେବ । ଆଇନକୁ ତା ବାଟରେ ଯିବାକୁ ଦିଆଯାଉ ବୋଲି ବିଜେପି ନେତାମାନେ ସଫେଇ ଦେଇଛନ୍ତି । ସୂଚନାଯୋଗ୍ୟ, ଚିଟଫଣ୍ଡ ସଂପୃକ୍ତି ଅଭିଯୋଗରେ ସିବିଆଇ ପୂର୍ବରୁ ବିଜେଡ଼ି ବିଧାୟକ ପ୍ରଭାତ ତ୍ରିପାଠୀ, ସାଂସଦ ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ହିତେଶ ବଗର୍ତ୍ତୀଙ୍କୁ ଗିରଫ କରିଥିଲା ।