ଭୁବନେଶ୍ୱର: ହାଇକୋର୍ଟ ଜଷ୍ଟିସ୍ ସି.ଆର.ଦାଶଙ୍କ ଘରେ ରାତିଅଧିଆ ଚଢ଼ଉ ଉଦ୍ୟମ ଘଟଣାରେ ସିବିଆଇ ପାଇଁ ଅଡୁଆ ବଢ଼ିଚାଲିଛି । ଓଡ଼ିଶା ହାଇକୋର୍ଟ ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଦାଏର ଜନସ୍ୱାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ସିବିଆଇକୁ ନୋଟିସ୍ ଜାରି କରିଛନ୍ତି । କାହା ଅନୁମତିରେ ସିବିଆଇ ଜଷ୍ଟିସ୍ ଦାଶଙ୍କ ଘରେ ପଶିଥିଲେ ତାହାର କାରଣ ଦର୍ଶାଇବାକୁ କୁହାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମଧ୍ୟ ମାମଲାରେ ପକ୍ଷଭୁକ୍ତ କରାଯାଇଛି । ଅକ୍ଟୋବର ୧୬ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନଧାର୍ଯ୍ୟ କରିଛନ୍ତି ।
ରାତିଅଧରେ ଜଷ୍ଟିସ୍ ଙ୍କ ଘରେ ପଶିବାକୁ ଉଦ୍ୟମ କରିଥିବା ଇନିସପେକ୍ଟର ପି.ସି.ମିଶ୍ରଙ୍କ ନେତୃତ୍ୱାଧୀନ ସିବିଆଇ ଟିମ୍ ବିରୋଧରେ କ୍ୟାଣ୍ଟନମେଣ୍ଟ ଥାନାରେ କେସ୍ ରୁଜୁ ହୋଇସାରିଛି । ଗତକାଲି କଟକ ଡିସିପି ସିବିଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅଭିଯୁକ୍ତ ଟିମ୍ ସମ୍ପର୍କରେ ସବିଶେଷ ବିବରଣୀ ମାଗିଛନ୍ତି । ସେପଟେ ମାମଲାର ଗମ୍ଭୀରତାକୁ ଦେଖି ସିବିଆଇ ଡିଆଇଜି ମନୀଷ କୁମାର ସିହ୍ନା ପୁଲିସ କମିଶନରଙ୍କୁ ଭେଟିଛନ୍ତି । କମିଶନରେଟ୍ ପୁଲିସ ଏହି ଘଟଣାର ଛାନଭିନ୍ କରୁଥିବା ବେଳେ ହାଇକୋର୍ଟଙ୍କ କାରଣଦର୍ଶାଅ ନୋଟିସ୍ ସିବିଆଇର ହୋସ୍ ଉଡ଼ାଇ ଦେଇଛି । ଘଟଣାରେ ଉଭୟ ପୁଲିସ ଓ ସିବିଆଇର ପଦକ୍ଷେପ ସମସ୍ତଙ୍କ ପାଇଁ ଉତ୍କଣ୍ଠା ସୃଷ୍ଟି କରିଛି ।
ହାଇକୋର୍ଟଙ୍କ ଶୁଣାଣି ପରେ ବାର୍ ଆସୋସିଏସନ୍ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରିଥିଲେ ମଧ୍ୟ ପରବର୍ତ୍ତୀ ଶୁଣାଣିକୁ ଅପେକ୍ଷା କରିଛନ୍ତି । ଆସନ୍ତା ୧୯ ତାରିଖରେ ସାଧାରଣ ପରିଷଦର ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ସଭାପତି ଅଶୋକ କୁମାର ପରିଜା ସୂଚନା ଦେଇଛନ୍ତି । ହାଇକୋର୍ଟ ଜଷ୍ଟିସ୍ ଙ୍କ ଘରେ ସିବିଆଇ ପଶିବା ଉଦ୍ୟମ ଘଟଣାକୁ ରାଜ୍ୟର ବିଭିନ୍ନ ଓକିଲ ସଂଘ ଦୃଢ଼ ନିନ୍ଦା କରିଛନ୍ତି । ସିବିଆଇ ଅଫିସରଙ୍କ ହାମବଢ଼ା ନୀତିକୁ ସେମାନେ ସମାଲୋଚନା କରିଛନ୍ତି । ରାଜନୈତିକସ୍ତରରେ ମଧ୍ୟ ଘଟଣାକୁ ନେଇ ହଟଚମଟ ଜାରି ରହିଛି । ସିବିଆଇର ବଦନାମ ବୋଝରୁ ବିଜେଡ଼ି ଫାଇଦା ନେବାକୁ ଉଦ୍ୟମ କରୁଥିବା ବେଳେ ବେଳେ ବିଜେପି ଏକଘରିକିଆ ହୋଇଛି । ଦଳର ଅସନ୍ତୁଷ୍ଟ ନେତା ବିଜୟ ମହାପାତ୍ର ସିବିଆଇର ଆଚରଣକୁ ଖୋଲାଖୋଲି ନାପସନ୍ଦ କରିବା ଦଳୀୟ ଶିବିରରେ କମ୍ପମାନ ସୃଷ୍ଟି କରିଛି ।