– ରାତି ଅଧରେ ବିଜେପିର ୫ ଲୋକସଭା,୨୨ ବିଧାନସଭା ପ୍ରାର୍ଥୀ ଘୋଷଣା
– ସୁବାସ ଚୌହାନଙ୍କୁ ମିଳିଲାନି ଟିକେଟ, ବରଗଡ଼ରୁ ସୁରେଶ ପୂଜାରୀ ପ୍ରାର୍ଥୀ
– ୨୨ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ମହିଳା
– ବିଜେଡ଼ି ଛାଡ଼ିଥିବା ଦୁଇ ବିଧାୟକଙ୍କୁ ଟିକେଟ
ଭୁୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି । ଖୋଦ୍ ବିଜେପି ଶିବିରରୁ ଗଣମାଧ୍ୟମ ଜରିଆରେ ଏହି ଚର୍ଚ୍ଚା କରାଯାଇଥିଲା । ମାତ୍ର ଏହା ଯେ ହାୱା ଥିଲା ତାହା ପ୍ରମାଣିତ ହୋଇଛି । ଶୁକ୍ରବାର ରାତି ଅଧରେ ବିଜେପି ଘୋଷଣା କରିଥିବା ୫ ଲୋକସଭା ପ୍ରାର୍ଥୀ ତାଲିକାରେ ପୁରୀ ଆସନ ରହିଛି । ସେଠାରୁ ଦଳର ଜାତୀୟ ମୁଖପାତ୍ର ଡ. ସମ୍ବିତ୍ ପାତ୍ର ଲଢ଼ିବେ(ପୁରୀରୁ ସମ୍ବିତ୍ ପାତ୍ର ଲଢ଼ିବେ ବୋଲି ଗତ ଫେବୃଆରୀ ୧୯ ତାରିଖରେ ମିଡ଼ ଡ଼େ ଓଡ଼ିଶା ପ୍ରଥମେ ଖବର କରିଥିଲା) ।
ସମସ୍ତଙ୍କୁ ଚକିତ କଲା ଭଳି ବରଗଡ଼ରୁ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଛି । ସେଠାରେ ସୁବାସ ଚୌହାନ ଗତଥର ପ୍ରାର୍ଥୀ ଥିଲେ ଏବଂ ବିଜେଡ଼ି ପ୍ରାର୍ଥୀଙ୍କଠାରୁ ମାତ୍ର ୧୧ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ଏଥର ସେ ପୁଣିଥରେ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ଜଣାପଡୁଥିଲେ ମଧ୍ୟ ସୁରେଶଙ୍କୁ ପ୍ରାର୍ଥୀ କରାଯାଇଛି । କଳାହାଣ୍ଡି ଆସନରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ସମ୍ବଲପୁରରୁ ନୀତେଶ ଗଙ୍ଗଦେବ ଏବଂ କୋରାପୁଟରୁ ଜୟରାମ ପାଙ୍ଗୀଙ୍କୁ ପ୍ରାର୍ଥୀ କରିଛି ଦଳ । ଦ୍ୱିତୀୟ ପର୍ଯ୍ୟାୟର ଏହି ତାଲିକାରେ ମହିଳାଙ୍କୁ ସ୍ଥାନ ମିଳିନାହିଁ ।
ସେହିଭଳି ୨୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେଡ଼ି ଛାଡ଼ି ଆସିଥିବା ଆସ୍କା ବିଧାୟକ ଦେବରାଜ ମହାନ୍ତି ଏବଂ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ସେହି ଆସନ ଦିଆଯାଇଛି । ନବରଙ୍ଗପୁରର ନିରାଶ ଲୋକସଭା ପ୍ରାର୍ଥୀ ପର୍ଶୁରାମ ମାଝୀଙ୍କୁ ଝରିଗାଁ ବିଧାନସଭା ଆସନରେ ଥଇଥାନ କରାଯାଇଛି । ସେହିଭଳି କଳାହାଣ୍ଡିର ସାଂସଦ ଆଶାୟୀ ଥିବା ପ୍ରଦାପ ନାୟକଙ୍କୁ ଭବାନୀ ପାଟଣା ବିଧାନସଭା ଆସନ ଦିଆଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୨ ଜଣିଆ ତାଲିକାରେ ଜଣେ ମାତ୍ର ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ମିଳିଛି । ସେ ହେଉଛନ୍ତି ପିଙ୍କି ପ୍ରଧାନ । ସେ ଦିଗପହଣ୍ଡିରୁ ଲଢ଼ିବେ । ପୂର୍ବରୁ ଘୋଷିତ ବିଜେପିର ୯୯ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକାରେ ୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ଲୋକସଭା ପ୍ରାର୍ଥୀ
ବରଗଡ଼- ସୁରେଶ ପୂଜାରୀ
ସମ୍ବଲପୁର- ନୀତେଶ ଗଙ୍ଗଦେବ
କଳାହାଣ୍ଡି- ବସନ୍ତ କୁମାର ପଣ୍ଡା
ପୁରୀ- ଡ. ସମ୍ବିତ୍ ପାତ୍ର
କୋରାପୁଟ- ଜୟରାମ ପାଙ୍ଗୀ
ବିଧାନସଭା ପ୍ରାର୍ଥୀ
ଭଟଲି- ଇରାଶିସ୍ ଆଚାର୍ଯ୍ୟ
ଦେବଗଡ଼- ସୁବାସ ପାଣିଗ୍ରାହୀ
ବୀରମହାରାଜପୁର- ରଘୁନାଥ ଜଗଡ଼ାଲା
ସୋନପୁର- ଅଶୋକ ପୂଜାରୀ
ବଲାଙ୍ଗୀର- ଅନନ୍ତ ଦାସ
ନୂଆପଡ଼ା- ହୋମସିଂହ ମାଝୀ
ଝରିଗାଁ- ପର୍ଶୁରାମ ମାଝୀ
ଡାବୁଗାଁ- ପଦ୍ମନ ନାୟକ
ଭବାନୀପଟଣା- ପ୍ରଦୀପ ନାୟକ
ଦଶପଲ୍ଲା- ପୂର୍ଣ୍ଣଚନ୍ଦ୍ର ନାୟକ
କବିସୂର୍ଯ୍ୟନଗର- ରଞ୍ଜନ ପଲାଇ
ଛତ୍ରପୁର- ପ୍ରଶାନ୍ତ କର
ଆସ୍କା- ଦେବରାଜ ମହାନ୍ତି
ସୋରଡ଼ା- ନୀଳମଣି ବିଶୋୟୀ
ବ୍ରହ୍ମପୁର- କାହ୍ନୁ ପତି
ଦିଗପହଣ୍ଡି- ଶ୍ରୀମତୀ ପିଙ୍କି ପ୍ରଧାନ
ମୋହନା- ପ୍ରଶାନ୍ତ ମଲ୍ଲିକ
ଗୁଣୁପୁର- ଶିଶିର ଗମାଙ୍ଗ
ରାୟଗଡ଼ା- ବସନ୍ତ ଉଲ୍ଲାକା
ଜୟପୁର- ଗୌତମ ସାମନ୍ତରାୟ
କୋରାପୁଟ- ତ୍ରିପୁରା ଗରଡ଼ା
ଚିତ୍ରକୋଣ୍ଡା- ପଦୁ ମାଝୀ