ଭୁବନେଶ୍ୱର()ରାଜନୀତିର ଚାଣକ୍ୟ ପ୍ୟାରୀମୋହନ ମହାପାତ୍ର ଆଉ ଇହ ଜଗତରେ ନାହାନ୍ତି । ୩ ଦିନ ଧରି ଭେଣ୍ଟିଲେଟରରେ ରହିବା ପରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାଜନୀତି ଗୋଟି ଚାଳନାରେ ମାହିର ତଥା ଦୃଢ଼ମନା ପ୍ୟାରୀମୋହନ ଜୀବନ ସଂଗ୍ରାମରେ ହାରିଯାଇଛନ୍ତି । ଆଜି ତାଙ୍କର ପାର୍ଥିବ ଶରୀର ମୁମ୍ବାଇରୁ ଭୁବନେଶ୍ୱର ଅଣାଯିବ ଏବଂ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ ।
ଗତ ଦୁଇ ଦଶନ୍ଧି ଧରି ଓଡ଼ିଶା ରାଜନୀତିର ସବୁଠାରୁ ଚର୍ଚ୍ଚିତ ଚେହେରା ଥିଲେ ପ୍ୟାରୀ । ଜଣେ ଦକ୍ଷ ପ୍ରଶାସକ ଭାବେ ସୁନାମ ଅର୍ଜନ କରିଥିବା ପ୍ୟାରୀ ୧୯୯୮ ମସିହାରେ ଚାକିରିରୁ ଅବସର ନେଇଥିଲେ । ନବୀନ ପଟ୍ଟନାୟକଙ୍କ ଆଗ୍ରହ ଯୋଗୁଁ ଦୁଇବର୍ଷ ପରେ ସେ ପରୋକ୍ଷ ରାଜନୀତିରେ ଥାପ ଦେଲେ । ନବୀନ ତାଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦେବା ସହ ବିଜେଡ଼ିର ସାଂଗଠନିକ ବ୍ୟାପାର ଦାୟିତ୍ୱ ଛାଡ଼ିଥିଲେ । ଆଉ ସେବେଠାରୁ ପ୍ୟାରୀ ପଛକୁ ଚାହିଁନାହାନ୍ତି । ୨୦୦୪, ୨୦୦୯ ସାଧାରଣ ନିର୍ବାଚନ ସମେତ ୨୦୦୭ ଓ ୨୦୧୨ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିକୁ ବିପୁଳ ସଫଳତା ଆଣିବାରେ ସେ ହିଁ ଥିଲେ ମୁଖ୍ୟ କର୍ଣ୍ଣଧାର । ଓଡ଼ିଶାବାସୀଙ୍କ ଆଖିରେ ଆଜି ପର୍ଯ୍ୟନ୍ତ ଅକ୍ଷୂର୍ଣ୍ଣ ଥିବା ନବୀନଙ୍କ ସ୍ୱଚ୍ଛ, ନିର୍ମଳ ବ୍ୟକ୍ତିତ୍ୱ ଓ ଭାବମୂର୍ତ୍ତି ପ୍ରତିଷ୍ଠାର ଶ୍ରେୟ ପ୍ୟାରୀଙ୍କର । ଓଡ଼ିଶାର ଗାଁ ଗାଁରେ ବିଜେଡ଼ି ସଂଗଠନକୁ ଶକ୍ତିଶାଳୀ କରିବାର ଗୋଟିଚାଳନା କରୁଥିଲେ ପ୍ୟାରୀ । ଦଳକୁ ଶୃଙ୍ଖଳା ମଧ୍ୟରେ ସେ ହିଁ ବାନ୍ଧି ରଖିଥିଲେ । ପ୍ରତିଭାବାନ୍ ଯୁବକଙ୍କୁ ରାଜନୀତିର ମୁଖ୍ୟସ୍ରୋତକୁ ଆଣି ପ୍ରତିଷ୍ଠିତ କରିଥିଲେ ସେ । ଆଜି ବିଜେଡ଼ି ଯେଉଁ ସ୍ତରରେ ପହଞ୍ଚିଛି ତାହାର ଅନେକ ଶ୍ରେୟ ପ୍ୟାରୀଙ୍କର ବୋଲି ଯେ କେହି କହିବେ ।
୨୦୧୨ ମେ ୨୯ ତାରିଖରେ ତଥାକଥିତ ମିଡ ନାଇଟ୍ ଅପରେସନ୍ ପ୍ୟାରୀଙ୍କ ରାଜନୈତିକ ଜୀବନର ମୋଡ ବଦଳେଇଦେଇଥିଲା । ନବୀନଙ୍କୁ ଗାଦିଚ୍ୟୁତ କରିବା ଲକ୍ଷ୍ୟରେ ସେଭଳି କାର୍ଯ୍ୟ କରି ନ ଥିଲେ ବୋଲି ଶେଷ ପର୍ଯ୍ୟନ୍ତ ସେ ଦୃଢ଼ତାର ସହ କହୁଥିଲେ । ନବୀନଙ୍କ ସହ ଭୁଲ୍ ବୁଝାମଣା ଯୋଗୁଁ ଏହି ପରିସ୍ଥିତି ହେଲା ବୋଲି ସେ କହୁଥିଲେ । ସେ ଯାହା ହେଉ, ଏହି ବିବାଦୀୟ ଏପିସୋଡରେ ବିଜେଡ଼ି ପ୍ୟାରୀଙ୍କୁ ବିଦା କରିଦେଲା । ତେବେ ସେଥିରେ ବିଚଳିତ କି ମର୍ମାହତ ନ ହୋଇ ନୂଆ ଦଳ ଓଡ଼ିଶା ଜନମୋର୍ଚ୍ଚା ଗଠନ କରିଥିଲେ । ସେଥିରେ ସଫଳ ହୋଇ ନ ଥିଲେ ସତ କିନ୍ତୁ ଲଢ଼େଇ ମନୋବୃତ୍ତିରୁ ଓହରି ନ ଥିଲେ । ନିଜ ଉପରେ ଲାଗିଥିବା କଳଙ୍କ ସଫା କରିବାକୁ ଲଢ଼େଇ ଜାରି ରଖିବେ ବୋଲି ଶପଥ ନେଇଥିଲେ । ରାଜନୀତିରୁ ଅବ୍ୟାହତି ନେଇ ଅବସର ସମୟ କାଟିବାକୁ ପରିବାର ଲୋକଙ୍କ ଜିଦ୍ ତାଙ୍କୁ ପ୍ରଭାବିତ କରି ନ ଥିଲା ।
କିନ୍ତୁ ସମୟ ତାଙ୍କୁ ସାଥ୍ ଦେଲାନାହିଁ । ଫୁସଫୁସ୍ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ସେ । ଅପରେସନ୍ ପରେ ସୁସ୍ଥ ହୋଇ ଆସୁଥିଲେ ମଧ୍ୟ ନିମୋନିଆରେ ପୀଡ଼ିତ ହେଲେ । ପରେ ପରେ ମସ୍ତିଷ୍କ ସଂକ୍ରମଣ ତାଙ୍କୁ ଆରପାରିକୁ ଡାକିନେଲା ।