ଭୁବନେଶ୍ୱର: ପୁରୁଖା ବିଜେଡ଼ି ନେତା ତଥା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲ୍ ଆଉ ନାହାନ୍ତି । ଭୁବନେଶ୍ୱରର କେୟାର ହସ୍ପିଟାଲ୍ ରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଅସୁସ୍ଥତା ସତ୍ତ୍ୱେ ବିଜେଡ଼ି ତାଙ୍କର ଅଭିଜ୍ଞତା ଓ ଲୋକପ୍ରିୟତାକୁ ସମ୍ମାନ ଦେଇ ପାଟକୁରା ଆସନରୁ ଟିକେଟ ଦେଇଥିଲା । ହସ୍ପିଟାଲ୍ ରୁ ସେ ଯାଇଥିଲେ ପ୍ରାର୍ଥୀପତ୍ର ଦାଖଲ କରିବାକୁ । ଦୁଇ ତିନି ଦିନ ସେ ସୁସ୍ଥ ହୋଇ ନିର୍ବାଚନ ପ୍ରଚାରରେ ବାହାରିଥିଲେ ମଧ୍ୟ ପୁଣି ଅସୁସ୍ଥ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପରିବାରବର୍ଗ ଉପସ୍ଥିତ ଥିଲେ । ବେଦପ୍ରକାଶଙ୍କ ମୃତ୍ୟୁ ଯୋଗୁଁ ପାଟକୁରା ଆସନର ନିର୍ବାଚନ ସ୍ଥଗିତ ହେବ ।
ଓଡ଼ିଶା ରାଜନୀତିରେ ଜଣେ ପୋଖତ ନେତା ଥିଲେ ବେଦପ୍ରକାଶ । ପାଟକୁରା ଆସନରୁ ସେ ୨୦୦୯ ଏବଂ ୨୦୧୪ ମସିହାରେ କ୍ରମାଗତ ଦୁଇଥର ନିର୍ବାଚନ ଜିତିଥିଲେ । ଏହା ପୂର୍ବରୁ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ବିଭିନ୍ନ ସମୟରେ ୪ ଥର ନିର୍ବାଚନ ଜିତିଥିଲେ । କେନ୍ଦ୍ରାପଡ଼ା ଆସନ ସଂରକ୍ଷିତ ହେବା ପରେ ସେ ପାଟକୁରା ଆସନରୁ ପ୍ରାର୍ଥୀ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ସରକାର ଅମଳରେ ସେ ଥିଲେ ଅର୍ଥମନ୍ତ୍ରୀ । ବିଜୁ ବାବୁଙ୍କର ସେ ଅତ୍ୟନ୍ତ ଘନିଷ୍ଠ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିଲେ । ପରିଣତ ବୟସରେ ମଧ୍ୟ ତାଙ୍କ ଉପରେ ଦଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଛଡ଼ାଯାଇଥିଲା । ଚଳିତ ନିର୍ବାଚନରେ ବିଜେଡ଼ି ଇସ୍ତାହାର କମିଟିର ସେ ଥିଲେ ଅଧ୍ୟକ୍ଷ । ତାଙ୍କ ମୃତ୍ୟୁରେ ରାଜ୍ୟ ଜଣେ ଅଭିଜ୍ଞ ନେତାଙ୍କୁ ହରାଇଛି ।
ବେଦପ୍ରକାଶଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ କରିଛନ୍ତି । ଜଣେ ଦକ୍ଷ ପାର୍ଲିଆମେଣ୍ଟାରିଆନ୍ ଭାବେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିହିତ କରିବା ସହ ସାଧାରଣ ଜନତାଙ୍କ କଲ୍ୟାଣ ପାଇଁ ସେ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ ବୋଲି କହିଛନ୍ତି । ବିଜୁବାବୁଙ୍କର ସେ ଥିଲେ ଅତ୍ୟନ୍ତ ଘନିଷ୍ଠ । ତାଙ୍କ ମୃତୁ୍ୟ ଆମ ସମସ୍ତଙ୍କ ପାଇଁ ବିରାଟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍ ଙ୍କ ସମେତ ସବୁ ଦଳର ବରିଷ୍ଠ ନେତାମାନେ ବେଦପ୍ରକାଶଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରି ଓଡ଼ିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି କହିଛନ୍ତି । ଆଜି ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି ।
ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଏବେ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ସ୍ଥଗିତ ରହିବ । କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ । ଏହି ନିର୍ବାଚନ ଯଥାରୀତି ହେବ । ତେବେ ଏ ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ପକ୍ଷରୁ ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ ନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।