ଭୁୁବନେଶ୍ୱର: ଚାଷୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ କମ୍ପମାନ କରିଛି ବିଜୁ ଜନତା ଦଳ । ଚାଷୀ ସମସ୍ୟା ପ୍ରତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳ । ମାତ୍ର କେନ୍ଦ୍ରରେ ଥିବା ମୋଦୀ ସରକାର ଚାଷୀଙ୍କ ପ୍ରତି ବିଶ୍ୱାସଘାତକତା କରି ସେମାନଙ୍କ ନ୍ୟାଯ୍ୟ ଦାବିରୁ ବଂଚିତ କରୁଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ନେତାମାନେ ଏହି ପ୍ରସଙ୍ଗ ଉତଥାପିତ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ପ୍ରତାରଣା ର ପ୍ରତିବାଦସ୍ୱରୂପ ଆସନ୍ତା ଜାନୁଆରୀ ୮ ତାରିଖରେ ଦିଲ୍ଲୀରେ ସଂସଦ ଭବନ ଆଗରେ ବିକ୍ଷୋଭ ଓ ଘେରାଉ କରାଯିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି ।
ବିଜୁ କୃଷକ ଜନତା ଦଳ ସଭାପତି ତଥା ବିଜେଡ଼ି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଚାଷୀଙ୍କ ପାଇଁ ବିଜେଡ଼ି ସରକାର ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି । ଚାଷୀଙ୍କ ପାଇଁ ଋଣ ୭୩୯ କୋଟିରୁ ବଢ଼ି ୩୩,୦୦୦ କୋଟି ଛୁଇଁଛି । ଚାଷୀଙ୍କୁ ଉଚିତ ସବସିଡ଼ି ଯୋଗାଇ ଦିଆଯାଉଛି । ଚାଷୀଙ୍କ ସର୍ବାଙ୍ଗୀନ ବିକାଶକୁ ଗୁରୁତ୍ୱ ଦିଆଯାଇ ୨୦୧୨-୧୩ ଆର୍ଥିକ ବର୍ଷରେ ସ୍ୱତନ୍ତ୍ର କୃଷି ବଜେଟ୍ ପ୍ରଚଳ କରାଯାଇଛି । ୨୦୧୬ରେ କୃଷି କ୍ୟାବିନେଟ୍ ଗଠନ ହୋଇଛି । ମାତ୍ର କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟା ପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି । ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ମିଳୁନି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ବାରମ୍ବାର ଦାବି ହୋଇ ଆସୁଛି । ଏ ସଂକ୍ରାନ୍ତରେ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି । ବିଧାନସଭା ଗୃହ କମିଟି ଗଠନ କରାଯାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ଜଣାଇବାକୁ ଗୃହ କମିଟି ସମୟ ମାଗିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ସମୟ ନ ଦେଉନାହାନ୍ତି । ଓଡ଼ିଶାର ଚାଷୀକୂଳଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ୫ ମିନିଟ୍ ସମୟ ନ ହେବା ଅତ୍ୟନ୍ତ ଦୁର୍ଭାଜ୍ୟଜନକ ।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ସ୍ୱାମୀନାଥନ୍ କମିଟି ରିପୋର୍ଟ କାର୍ଯ୍ୟକାରୀ ନେଇ ମୋଦୀ ସରକାର ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ଭୁଲିଯାଇଛନ୍ତି । ଚାଷୀଙ୍କ ପ୍ରତି ଏହି ପ୍ରତାରଣାକୁ ବିଜେଡ଼ି ଆଉ ବରଦାସ୍ତ କରିବନି ବୋଲି ବିଜେଡ଼ି ନେତାମାନେ ଚେତାବନୀ ଦେଇଛନ୍ତି । ଆସନ୍ତା ୬ ତାରିଖରେ ବିଜେଡ଼ି ନେତା ଓ କର୍ମୀମାନେ ଟ୍ରେନ୍ ଯୋଗେ ଦିଲ୍ଲୀ ଯାତ୍ରା କରିବେ । ୮ ତାରିଖରେ ସଂସଦ ଭବନ ଆଗରେ ପ୍ରତିବାଦ ବିକ୍ଷୋଭ କରିବେ । ଦାବି ପୂରଣ ପର୍ଯ୍ୟନ୍ତ ନିରନ୍ତର ଆନେ୍ଦାଳନ ଜାରି ରହିବ ବୋଲି କୁହାଯାଇଛି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ କୃଷକ ଜନତା ଦଳର ମହାସଚିବ ପ୍ରତାପ ଜେନା, ବିଜେଡ଼ି ଉପସଭାପତି ଦେବୀପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ସାଂସଦ ବଳଭଦ୍ର ମାଝୀ କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ପ୍ରବଳ ବର୍ଷିଥିଲେ । ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର, ରାଜ୍ୟ ସମ୍ପାଦକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।