ସୁଟଆଉଟ୍ ରେ ନେଦରଲାଣ୍ଡକୁ ହରାଇଲା
ଭୁବନେଶ୍ୱର: ପେନାଲଟି ସୁଟ୍ ଆଉଟ୍ ରେ ନେଦରଲାଣ୍ଡକୁ ପରାସ୍ତ କରି ହକି ବିଶ୍ୱ ବିଜେତା ହୋଇଛି ବେଲଜିୟମ୍ । ଆଜି କଳିଙ୍ଗ ଷ୍ଟାଡିୟମ୍ ରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ ରେ ବେଶ୍ ରୋମାଞ୍ଚକର ସ୍ଥିତିରେ ବେଲିଜିୟମ୍ ହୋଇଛି ବିଶ୍ୱ ବିଜୟୀ । ଆରମ୍ଭରୁ ହିଁ ମ୍ୟାଚ୍ ବେଶ୍ ରୋମାଞ୍ଚ ଓ ସଂଘର୍ଷପୂର୍ଣ୍ଣ ଥିଲା । ଉଭୟ ଦଳ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିଥିଲେ । ଫଳରେ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ୍ ଦେଇପାରି ନ ଥିଲେ । ମ୍ୟାଚ୍ ବରାବର ରହିଥିଲା ।
ଶେଷରେ ପେନାଲଟି ସୁଟ୍ ଆଉଟ୍ ର ଆଶ୍ରୟ ନିଆଯାଇଥିଲା । ଆଉ ପ୍ରଥମ ଗୋଲ୍ କରିଥିଲା ନେଦରଲାଣ୍ଡ । ତେବେ ପ୍ରଥମ ସୁଟ୍ ରେ ନେଦରଲାଣ୍ଡ ବିରୋଧରେ ବେଲଜିୟମ୍ ଗୋଲ୍ ହାତଛଡ଼ା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସ୍ଥିତି ବରାବରକୁ ଆଣିଥିଲା । ସୁଟ୍ ଆଉଟ୍ ରେ ୨-୨ ସ୍ଥିତିରେ ଉଭୟ ଦଳ ରହିଥିଲେ । ଫଳାଫଳ ପାଇଁ ସଡନ୍ ଡେଥ୍ ର ସାହାଯ୍ୟ ନିଆଯାଇଥିଲା । ସେଥିରେ ବେଲିଜୟମ୍ ପ୍ରଥମ ଗୋଲ ଦେଇ ସ୍ଥିତି ୩-୨ କୁ ଆଣିଥିଲା । ତେବେ ନେଦରଲାଣ୍ଡ ତାଙ୍କର ଗୋଲ୍ ସୁଯୋଗ ହାତଛଡ଼ା କରିବାରୁ ବେଲଜିୟମ୍ ବିଜୟୀ ହୋଇଥିଲା । ନେଦରଲାଣ୍ଡ ଖେଳାଳୀଙ୍କ ଘନ ଘନ ଆକ୍ରମଣକୁ ଚମକ୍ରାର ମୁକାବିଲା କରିଥିବା ବେଲଜିୟମ୍ ଗୋଲକିପର୍ ଭିନସେଣ୍ଟ ୱାନାସ୍କ ପ୍ଲେୟାର୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।







