ଭୁବନେଶ୍ୱର: ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ସତ୍ୟପ୍ରକାଶ ନାୟକଙ୍କୁ ନେଇ ପିସିସି ମୁଖିଆ ଚିନ୍ତାରେ ପଡ଼ିଛନ୍ତି । ଚିନ୍ତା ଏଥିପାଇଁ କି ସତ୍ୟ ଭଣ୍ଡାରିପୋଖରୀରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି । ଆଉ ନିଜ ପାଇଁ ପ୍ରଚାର ମଧ୍ୟ ଆରମ୍ଭ କଲେଣି । ମାତ୍ର ଏହି ଆସନରୁ ଲଢ଼ିବାକୁ ନିଜେ ମୁଖିଆ ଆଗ୍ରହୀ ଥିବାରୁ ସେଠାରେ ସତ୍ୟ ନାୟକଙ୍କ ପ୍ରବେଶ ତାଙ୍କୁ କୁଆଡ଼େ ହଜମ ହେଉନାହିଁ । ନା ସେ ତାଙ୍କୁ ବାରଣ କରିପାରୁଛନ୍ତି ନା ନିଜ ମନକଥା ଖୋଲି କହିପାରୁଛନ୍ତି । ମୁଖିଆଙ୍କ ଏହି ଅସହାୟତା କଂଗ୍ରେସ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ସତ୍ୟ କଂଗ୍ରେସରେ ଯୋଗଦେବା ପଛରେ ରାଜ୍ୟ ପ୍ରଭାରୀ ତଥା ରାହୁଲ ଗାନ୍ଧୀଙ୍କ ନିକଟତର ଜିତେନ୍ଦ୍ର ସିଂଙ୍କ ଆର୍ଶିବାଦ ଥିବା ଚର୍ଚ୍ଚା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ସତ ବୋଲି ପ୍ରମାଣିତ ହୋଇଛି । ସେ କଂଗ୍ରେସରେ ଯୋଗ ଦେଉ ଦେଉ ପିସିସି ମିଡ଼ିଆ ସେଲ୍ ର ଅଧ୍ୟକ୍ଷ ଦାୟିତ୍ୱ ପାଇଛନ୍ତି । ପରେ ପରେ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱ ଏବଂ ନିକଟରେ ଗଠିତ ପିସିସି ଇସ୍ତାହାର କମିଟିରେ ସଦସ୍ୟ ହୋଇଛନ୍ତି । ତେବେ ଆଗାମୀ ନିର୍ବାଚନରେ ତାଙ୍କୁ କେଉଁଠାରୁ ପ୍ରାର୍ଥୀ କରାଯିବ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦିଆଯାଇ ନ ଥିଲେ ମଧ୍ୟ ନିଜ ଜିଲ୍ଲା ଭଣ୍ଡାରିପୋଖରୀରୁ ପ୍ରାର୍ଥୀ ହେବାକୁ ସତ୍ୟ ଆଗ୍ରହ ରଖିଛନ୍ତି ।








