ଭୁବନେଶ୍ୱର: ସୁରଟରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ସକାଶେ ଜମି ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଅନୁରୋଧ କରିଛନ୍ତି । ସୁରଟ ସହରର କୌଣସି ଏକ ଉପଯୁକ୍ତ ସ୍ଥାନରେ ଗୋଟିଏ ଏକର ଜମି ଦେବାକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି ।
ସୁରଟ ସହରରେ ୭ ଲକ୍ଷରୁ ଅଧିକ ଓଡ଼ିଆ ବସବାସ କରୁଛନ୍ତି । ସେମାନେ ଲୁଗାକଳ, ଛାପାଖାନା, ହୀରାଶିଳ୍ପ ଭଳି ବିଭିନ୍ନ ଶିଳ୍ପସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ଭେଟିବା ପରିବାର ଓ ସମ୍ପର୍କୀୟମାନେ ନିୟମିତ ସୁରଟ ଯାଉଛନ୍ତି । ଓଡ଼ିଶା ଲୋକଙ୍କ ଆବଶ୍ୟକତାକୁ ଚାହିଁ ରାଜ୍ୟ ସରକାର ସୁରଟରେ ଏକ କମ୍ୟୁନିଟି ସେଣ୍ଟର ସ୍ଥାପନ ପାଇଁ ଯୋଜନା କରିଛନ୍ତି । ପ୍ରସ୍ତାବିତ ସେଣ୍ଟରଟି ଓଡ଼ିଶା ଓ ଗୁଜୁରାଟ ମଧ୍ୟରେ ସାଂସ୍କୃତିକ ବିନିମୟର ନାଭିକେନ୍ଦ୍ର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।
ଅନ୍ୟପକ୍ଷରେ ଭୁବନେଶ୍ୱର ଓ ସୁରଟ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏ ସମ୍ପର୍କରେ ଗତ ଅଗଷ୍ଟ ୨୪ ତାରିଖରେ ଲେଖିଥିବା ଚିଠି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମନେ ପକାଇ ଦେଇଛନ୍ତି । ସୁରଟରେ ବହୁ ସଂଖ୍ୟାରେ ଓଡ଼ିଆ ଲୋକ ରହୁଥିଲେ ମଧ୍ୟ ଭୁବନେଶ୍ୱର ସହ ସିଧାସଳଖ ବିମାନ ଯୋଗାଯୋଗ ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏ ଦିଗରେ ଧ୍ୟାନ ଦେଇ ଏୟାର ଇଣ୍ଡିଆ ସମେତ ଅନ୍ୟାନ୍ୟ ଘରୋଇ ବିମାନ ଚଳାଚଳ କରାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ସେହିଭଳି ବ୍ରହ୍ମପୁରରୁ ସୁରଟ ମଧ୍ୟରେ ସିଧାସଳଖ ଟ୍ରେନ ଏବଂ ଅନ୍ୟ ସ୍ଥାନରୁ ସୁରଟକୁ ଅଧିକ ଟ୍ରେନ ଚଳାଚଳ କରାଇବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି । ବ୍ରହ୍ମପୁର ଓ ସୁରଟ ମଧ୍ୟରେ ପ୍ରତିଦିନ ଦୁଇଟି ରେଳଗାଡ଼ି ଚଳାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଚିଠି ଲେଖିଥିଲେ ।