ଭୁବନେଶ୍ୱର(ମିଡ-ଡେ ଓଡ଼ିଶା) ଡିସେମ୍ବର ୨୬ ଅର୍ଥାତ୍ ସକାଳ ପାଇଲେ ବିଜେଡ଼ି ପାଳନ କରିବ ଦଳର ପ୍ରତିଷ୍ଠା ଦିବସ । ଏବର୍ଷର ପ୍ରତିଷ୍ଠା ଦିବସକୁ ଜାକଜମକ ନ କରି ନିରାଡ଼ମ୍ବର ଭାବେ ପାଳିବାକୁ ଦଳର ନେତା ଓ କର୍ମୀଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ଫତୱା ଜାରି କରିଛନ୍ତି । କାରଣ, ରାଜ୍ୟ ମରୁଡ଼ିରେ ସଢ଼ୁଛି । ଚାଷୀ ଆତ୍ମହତ୍ୟା କରୁଛନ୍ତି । ନବୀନଙ୍କୁ ଏହା ପୂରା ବ୍ୟଥିତ କରିଦେଇଛି । ଖାଲି ସେତିକି ନୁହେଁ, ଦୁର୍ଦ୍ଧଶାଗ୍ରସ୍ତ ଚାଷୀଙ୍କ ପାଇଁ ଦଳର ପ୍ରତିଷ୍ଠା ଦିବସଟି ଉତ୍ସର୍ଗ କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି । ସୁତରାଂ ପ୍ରତିଷ୍ଠା ଦିବସକୁ ସାଧାସିଧା ପାଳନ କରାଯିବ ଏବଂ ସେଥିରେ କୋ÷ଣସି ଆଡମ୍ବର ରହିବନି ବୋଲି ଖୋଦ୍ ମୁଖିଆଙ୍କ ନିଦେ୍ର୍ଧଶ ଅକ୍ଷରେ ଅକ୍ଷରେ ପାଳନ ହେବ ବୋଲି ଆମେ ଭାବିଥିଲୁ । ମାତ୍ର କ’ଣ ରହସ୍ୟ କେଜାଣି, ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ ସାରା ରାଜଧାନୀରେ ସୁପ୍ରିମୋଙ୍କ ନିଦେ୍ର୍ଧଶର ଓଲଟା କାମ ଦେଖିବାକୁ ମିଳୁଛି । ଅର୍ଥାତ୍ ସବୁବର୍ଷର ପ୍ରତିଷ୍ଠା ଦିବସ ପାଳନର ଆଡମ୍ବରଠାରୁ ଏବର୍ଷର ଆଡମ୍ବର ବଳିଯିବା ପରି ଅବସ୍ଥା ହୋଇଛି ।
ଅବିକା ବିଜେଡ଼ି ମୁଖ୍ୟ କାର୍ଯ୍ୟାଳୟରେ ପ୍ରସ୍ତୁତି କିଛି କମ୍ ନାହିଁ । ବିଜୁ,ନବୀନ ଓ ଶଙ୍ଖ ପତାକାରେ ଭରିଯାଇଛି ବିଜେଡ଼ି ଅଫିସ ଓ ରାଜଧାନୀର ସବୁ ମୁଖ୍ୟ ରାସ୍ତା । ଲକ୍ଷ ଲକ୍ଷ ଟଙ୍କାର ତୋରଣ ଝୁଲୁଛି ରାସ୍ତାରେ । ଆଜି(ଶୁକ୍ରବାର)ଅପରାହ୍ନରେ ବିଜେଡ଼ି ଏକ ପ୍ରମୋସନାଲ୍ ରାଲି ବାହାର କରିଥିଲା ପାର୍ଟି ଅଫିସରୁ । ମଟରସାଇକେଲ ରାଲିରେ ଶତାଧିକ କର୍ମୀ ବୁଲିଥିଲେ ସହରର ଗଳିକନ୍ଦି । ବିଜେଡ଼ି ସରକାରଙ୍କ କାର୍ଯ୍ୟକ୍ରମ ଓ ସଫଳତାର ବାର୍ତା ବାଂଟୁଥିଲେ ସେମାନେ । ସେଥିପାଇଁ ପାର୍ଟି ପକ୍ଷରୁ ତେଲ ପାଣି ଖର୍ଚ୍ଚ ସାଙ୍ଗକୁ ପେଟପୁରା ଖାନାପିନାର ବ୍ୟବସ୍ଥା ବି ହୋଇଥିଲା । ପ୍ରତିଷ୍ଠା ଦିବସରେ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିବାକୁ ଯେଉଁ ଫୁଲମାଳ ତିଆରି ହୋଇଛି ତାହା ବି ସମସ୍ତଙ୍କୁ ଆଚମ୍ବିତ କଲା ଭଳି । ୮ ଫୁଟ ଲମ୍ବର ଏହି ମାଳରେ ଲାଗିଛି କ୍ୱିଣ୍ଟାଲେ ଫୁଲ୍ । ଚାଷୀଙ୍କ ପାଇଁ ଦରଦ ଦେଖାଉଥିବା ନବୀନ ଏହି ଫୁଲମାଳ ଭିତରୁ ମୁଚୁକୁନ୍ଦା ହସ ପକାଇ ନେତା ଓ କର୍ମୀଙ୍କୁ ହାତ ହଲେଇ ହଲେଇ ଶୁଭେଚ୍ଛା ଜଣାଇବେ । ଗୋପବନ୍ଧୁ ଛକରେ ଥିବା ଏକ ଫୁଲ ଦୋକାନରେ ଏହି ଫୁଲମାଳ ତିଆରି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ୫ ଜଣେ ଲୋକ ଝାଳନାଳ ହୋଇ ମାଳ ତିଆରିରେ ଲାଗିପଡ଼ିଛନ୍ତି । ସେପଟେ ପ୍ରତିଷ୍ଠା ଦିବସ ସମାରୋହରେ ଲୋକ ବହଳିଆ କରିବାକୁ ତିନି ବିଧାୟକ ଓ କର୍ପୋରେଟରଙ୍କୁ ଫୁଲ୍ ଦମ୍ ରେ ଲଗାଯାଇଛି ।
ଏସବୁକୁ ଦେଖିଲେ ପ୍ରତିଷ୍ଠା ଦିବସର ନିରାଡମ୍ବରତା ବୁଝିହେଉନାହିଁ । ବାସ୍ତବରେ ନବୀନଙ୍କ ନିରାଡ଼ମ୍ବର ପାଳନ ନିଦେ୍ର୍ଧଶ ସତ୍ତ୍ୱେ ତାଙ୍କ ଅଜାଣତରେ ଯେ ଏତେ ଆଡମ୍ବର ହେଉଥିବ ତାହା ଜମାରୁ ବିଶ୍ୱାସ କରିହେଉନି । ତାହାହେଲେ ବୁଝିବାକୁ ହେବ ଇଏ ଦୁଃଖୀରଙ୍କି ଚାଷୀଙ୍କ ପ୍ରତି ବିଜେଡ଼ିର ଆଉ ଏକ ଉପହାସ ।