ଭୁବନେଶ୍ୱର(ମିଡ-ଡେ ଓଡ଼ିଶା) ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ସହରର କିଛି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଓ ଛକକୁ ନୋ ହୋଡିଂ ଜୋନ୍ ତାଲିକାଭୁକ୍ତ କରିଛନ୍ତି । ସେଗୁଡ଼ିକ ହେଲା(୧) କ୍ୟାପିଟାଲ୍ ହସ୍ପିଟାଲ୍-ଏଜି ସ୍କୋୟାର୍-ରବିନ୍ଦ୍ରମଣ୍ଡପ ଛକ-୧୨୦ ବାଟାଲିୟନ୍ (୨) ପିଏମଜି ସ୍କୋୟାର୍-ମାଷ୍ଟରକ୍ୟାଣ୍ଟିନ୍(୩) ଏଜି ସ୍କୋୟାର୍-ରାଜଭବନ-ପାୱାର ହାଉସ୍ । ଅର୍ଥାତ୍ ଏହିସବୁ ରାସ୍ତାରେ ହୋଡିଂ ଲଗାଇବା ମନା । ଅମାନ୍ୟ କରି ରାତିଅଧିଆ ଯଦି କିଏ ଏହିସବୁ ରାସ୍ତାରେ ହୋଡିଂ ଲଗାଉଛି ତେବେ ବିଏମସିର ହୋର୍ଡିଂ ଉଚ୍ଛେଦ ବାହିନୀ ଫୁରସତ୍ ଦେଉନାହାନ୍ତି । ଏହା ଭଲ କଥା । କାହାରି ଆପତ୍ତି ନାହିଁ । ଆଇନ ଅକ୍ଷରେ ଅକ୍ଷରେ ପାଳନ ନହେଲେ ଦଣ୍ଡ ଦେବାର ଅଧିକାରୀ ବିଏମସିର । ତେବେ ବଡ଼ ପ୍ରଶ୍ନ ହେଉଛି ଏହି ନିୟମଟି ସମସ୍ତଙ୍କ ପାଇଁ ସମାନ ତ?
କ୍ୟାପିଟାଲ୍ ହସ୍ପିଟାଲ୍ ଛକରୁ ଏଜି ଛକ ଯାଏଁ ଗଲେ ଯେ କେହି ଏହାର ଉତ୍ତର ଜଳ ଜଳ ପାଇଯିବେ । ଅର୍ଥାତ୍ ବିଏମସିର ନିୟମ କେମିତି ସେହି ରାସ୍ତାରେ ବାଟ ଭାଙ୍ଗିଦେଇଛି ତାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ପାଇବେ । ସେହି ରାସ୍ତାରେ ଲାଗିଥିବା ହୋଡିଂକୁ ଦେଖିଲେ ବିଏମ୍ସିଠାରୁ ବିଜୁ ଜନତା ଦଳ ଠିକା ନେଇଯାଇଥିବା ମନେ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋର ସୁଦୃଶ୍ୟ ହୋଡିଂ କେଉଁଠି ଲମ୍ବା ହୋଇ ଛିଡ଼ା ହୋଇଛି ତ ଆଉ କେଉଁଠି ଇଣ୍ଡିଆ ଟୁଡେ ପତ୍ରିକାରେ ନବୀନ ପଟ୍ଟନାୟକଙ୍କ ଶାସନର ପ୍ରଶସ୍ତିଗାନ୍ ର ହୋଡିଂ । ପତ୍ରିକାର କଭର୍ ପେଜ୍ରେ ବେଷ୍ଟ ଅଫ ଷ୍ଟେଟସ୍ ଶୀର୍ଷକର ମୁଖବନ୍ଧ ହୋଡିଂରେ ସ୍ଥାନ ପାଇଥିବା ବେଳେ ଭାରତ ମାନଚିତ୍ର ଭିତରେ ନବୀନଙ୍କ ହସ ହସ ମୁହଁର ହୋଡିଂ ଶୋଭାପାଉଛି ରାସ୍ତାର ନୋ ହୋଡିଂ ଜୋନ୍ ରେ । ଏହାକୁ ବିଏମସି କେମିତି ଅନୁମତି ଦେଇଛି ତାହା ଆଦୋ÷ ବୁଝାପଡୁନାହିଁ । ବିଏମସି ଶାସନ ଡୋରି ଧରିଥିବା ବୁନୁ ଜେନା ହୁଅନ୍ତୁ କି କ୍ରିଷନ୍ କୁମାର ହୁଅନ୍ତୁ ତାଙ୍କର ପ୍ରଭୁ ନବୀନ ପଟ୍ଟନାୟକ ଓ ଦଳ ପାଇଁ ଆନୁଗତ୍ୟ ଦେଖାଇବାରେ ଭୁଲ୍ ନାହିଁ । ହେଲେ ଦିନ ଦ୍ୱିପ୍ରହରେ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଆଇନକାନୁନ୍କୁ ଲଙ୍ଗଳା କରିବାର ଅଧିକାର ନାହିଁ ବିଏମସିର । ଆଇନ ଆଖିରେ ନବୀନ ପଟ୍ଟନାୟକ ଓ “ବିଜୁ ଜନତା ଦଳ’ ଯେତିକି ୬ ନମ୍ବର ବସ୍ତିର ନବୀନା ମଲ୍ଲିକ ଓ ତା ଅନୁଷ୍ଠାନ “ବୋଲ୍ ହରି ବୋଲ୍’ ବି ସେତିକି ।
ଏହି ପ୍ରସଙ୍ଗର ସବୁଠାରୁ ସମ୍ବେଦନଶୀଳ ଅଧ୍ୟାୟଟି ହେଉଛି ଆଦିବାସୀ ଓ ଦଳିତଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ନବୀନ ସରକାରଙ୍କ ବୁନୁ ମାର୍କା ବିଏମସିର ସମ୍ବେଦନହୀନତା । ଡିସେମ୍ବର ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା ଏସ୍ସି/ଏସଟି ଛାତ୍ରଛାତ୍ରୀଙ୍କ ଫେଷ୍ଟିଭାଲ୍ କାର୍ଯ୍ୟକ୍ରମ ସରଗିଫୁଲ୍ । ଭାଗନେବାକୁ ସାରା ରାଜ୍ୟରୁ ଆସିଥିଲେ ଏସସି/ଏସଟି ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ଏହି କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ପାଇଁ ଆୟୋଜକ ଏସ୍ସି/ଏସଟି ଉନ୍ନୟନ ବିଭାଗ ଲାଗିପଡ଼ିଥିଲେ । ଏଜି,ପିଏମଜି ପରି ସହରର ମୁଖ୍ୟ ଛକ ଓ ରାସ୍ତାରେ ଏଭଳି ଅଭିନବ କାର୍ଯ୍ୟକ୍ରମ ସମ୍ପର୍କିତ ଅସ୍ଥାୟୀ ହୋଡିଂ ଓ ବ୍ୟାନର୍ ଲଗାଇବାକୁ ବିଏମସିଠାରୁ ଅନୁମତି ଲୋଡିଥିଲା ବିଭାଗ । ଗତ ନଭେମ୍ବର ୩୦ ତାରିଖରୁ ବିଏମସିର ଅନୁମତି ଲୋଡାଯାଇଥିଲା । ମାତ୍ର ଡିସେମ୍ବର ୧୫ ତାରିଖରେ ବିଏମସି କର୍ତୃପକ୍ଷ ଏହାକୁ ରିଜେକ୍ଟ କରି ଚିଠିରେ ଜଣାଇଦେଲେ । ଅର୍ଥାତ୍ ନୋ ହୋଡିଂ ଜୋନ୍ ରେ ତମେ ହୋଡିଂ କିମ୍ବା ବ୍ୟାନର୍ ଲଗାଇପାରିବନି ବୋଲି କଡ଼ା ତାଗିଦ୍ କଲେ । ବିଏମସି ତାଗିଦ୍ ମାନି ବିଚାରା ଏସ୍ସି/ଏସଟି ବିଭାଗ କାନ କୁଣ୍ଡେଇ ରହିଲେ ।
ଏସସି/ଏସଟି ପିଲାଙ୍କ ରାଜ୍ୟସ୍ତରୀୟ ଫେଷ୍ଟିଭାଲ୍କୁ ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ହୋଡିଂ ଜରିଆରେ ପ୍ରଚାର କରିବାର ଅନୁମତି ଦେବା ବିଏମସି ପାଇଁ ମହାପାପ ହୋଇଗଲା । କିନ୍ତୁ ସେହି ନୋ ହୋଡିଂ ଜାଗାରେ ନବୀନ ପଟ୍ଟନାୟକଙ୍କ ଫଟୋ ଓ ଏକ ପତ୍ରିକାର ପ୍ରଂଶସାକୁ ବଡ଼ ବଡ଼ ହୋଡିଂ ଜରିଆରେ ପ୍ରଚାର କରିବା ବିଏମସି ପାଇଁ ମହାପୂଣ୍ୟ ହେଲା କିପରି? ଦମ୍ ଥିଲେ ବିଏମସି କର୍ତ୍ତୃପକ୍ଷ ସାଧାରଣରେ ଏହାର ଜବାବ ରଖନ୍ତୁ । ନଚେତ୍ ନିଜର ଏହି ବେଧଡ଼କ କୁକର୍ମରେ ଲଜ୍ଜିତ ହୋଇ ଏସ୍ସି/ଏସଟି ବର୍ଗର ଛାତ୍ରଛାତ୍ରୀଙ୍କୁ ହାତଯୋଡି କ୍ଷମା ମାଗନ୍ତୁ ।