ଭୁବନେଶ୍ୱର( ମିଡ଼-ଡ଼େ ଓଡ଼ିଶା) ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଦେବାଳିଆ ହୋଇଯାଇଛି । ଅତୀତରେ ଶହ ଶହ କୋଟି ଟଙ୍କାର ଲାଭ କରୁଥିବା ଏହି ସଂସ୍ଥା ଆକାଉଣ୍ଟରେ ଆଜିକା ଦିନରେ ଅଛି ମାତ୍ର ୨ କୋଟି ଟଙ୍କା । ପ୍ରାୟ ୮୦୦ କର୍ମଚାରୀ ଥିବା ଏହି ସଂସ୍ଥା ହାତରେ ଏବେ କାଁ ଭାଁ ପ୍ରକଳ୍ପ ଥିବାରୁ ସଂସ୍ଥାର ଆର୍ଥିକ ସ୍ଥିତି ଆଗକୁ କ’ଣ ହେବ ସେ ନେଇ ସରକାର ବି ଚିନ୍ତାରେ ପଡ଼ିଯାଇଛନ୍ତି ।
ସଞ୍ଜୟ ଦାସବର୍ମା ବୋର୍ଡର ଅଧ୍ୟକ୍ଷ ହୋଇ ଆସିବା ପରେ ନୂଆ ଭିଜନ୍ ରଖି କାମ କରିଥିଲେ । ୨୦୦ ରୁ ଉଦ୍ଧ୍ୱର୍ କୋଟି କୋଟି ଟଙ୍କା ଋଣ ଆଣି ଏକ ରିଭାଇଭାଲ୍ ପ୍ୟାକେଜ୍ କରିଥିଲେ । ତାଙ୍କ କାର୍ଯ୍ୟକାଳ ଭିତରେ ନିଜ ଭିଜନ୍ କୁ ସଫଳ କରିବାରେ ସଫଳ ହୋଇଥିଲେ ସଞ୍ଜୟ । ସେ ଗଲା ବେଳକୁ ସବୁ ଋଣ ସୁଝି ସଂସ୍ଥା ଆକାଉଣ୍ଟରେ ୭୫ କୋଟି ଟଙ୍କାର ବାଲାନ୍ସ ରଖି ଯାଇଥିଲେ । ମାତ୍ର ତାଙ୍କ ପରେ ସରୋଜ ସାମଲ ଦାୟିତ୍ୱ ନେଲା ପରେ ସୁଧୁରି ଆସୁଥିବା ସଂସ୍ଥାକୁ ଡୁବେଇ ଦେବାକୁ ଆରମ୍ଭ କଲେ । ବେଲଗାମ୍ ହୋଇଗଲା ସଂସ୍ଥା । ଦୁର୍ନୀତି ଚରମ ସୀମାରେ ପହଞ୍ଚିଲା । ସେ ଛାଡ଼ି ଗଲାବେଳକୁ ସଂସ୍ଥା ପୁଣି କରଜିଆ ହୋଇଗଲା । ତାଙ୍କ ପରେ ପ୍ରତାପ ଦେବ ଦାୟିତ୍ୱ ନେବା ପରେ ପୁର୍ନଜୀବନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ହେଲେ ସବୁଆଡେ ମେଲା ପଡ଼ିଥିବାରୁ କୁଆଡେ ବୁଜିବେ ଥଳକୂଳ ପାଉନାହାନ୍ତି ରାଜା ସାହେବ ।
ସଂସ୍ଥାରେ ପ୍ରାୟ ୮୦୦ କର୍ମଚାରୀ ଅଛନ୍ତି । ସେଥିରୁ ୧୦ ପ୍ରତିଶତ ସରକାରୀ କର୍ମଚାରୀ ହୋଇଥିବା ବେଳେ ବାକି ୯୦ ପ୍ରତିଶତ କର୍ମଚାରୀ ଓଡ଼ିଶା ହାଉସିଂ ବୋର୍ଡର ନିଜସ୍ୱ କର୍ମଚାରୀ । ଅର୍ଥାତ୍ ସେମାନଙ୍କ ଦରମା ହାଉସିଂ ବୋର୍ଡ ନିଜ ପକେଟରୁ ଦେଉଛି । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଏହି ୯୦ ପ୍ରତିଶତ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୩୦୦ କର୍ମଚାରୀ ସେଠାରେ ବେଆଇନ ଭାବେ ନିଯୁକ୍ତି ପାଇଛନ୍ତି । ତକ୍ରାଳୀନ ବିଭିନ୍ନ ପ୍ରକଳ୍ପ ପାଇଁ ସେମାନେ ଅସ୍ଥାୟୀ କାମ କରୁଥିଲେ । ମାତ୍ର ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା ପରେ ସେମାନଙ୍କୁ ୱାର୍କଚାର୍ଜ ଦିଆଯାଇ ବୋର୍ଡର କର୍ମଚାରୀ ନିଯୁକ୍ତି ଦିଆଯାଇଛି । ପଦବୀ ଅନୁଯାୟୀ ଏହି କର୍ମଚାରୀମାନଙ୍କର ଯୋଗ୍ୟତା ନାହିଁ । ସେଥିରେ ଅନେକ କର୍ମଚାରୀ ସାର୍ଟିଫିକେଟ୍ ଜାଲିଆତି କରି ଭର୍ତ୍ତି ହୋଇଯାଇଛନ୍ତି । ଆବଶ୍ୟକତାଠାରୁ ଢ଼େର୍ ଅଧିକ ଏହି କର୍ମଚାରୀଙ୍କ ପାଇଁ କିଛି କାମ ନ ଥିବାରୁ ବର୍ଷ ବର୍ଷ ଧରି ବିନା କାମରେ ଦରମା ନେଉଛନ୍ତି । ଅଫିସ୍ ଆସି ଖଟି ମାରି ଯିବା ଛଡ଼ା ସେମାନଙ୍କର କାମ କିଛି ନାହିଁ । ସେମାନଙ୍କ ଦରମା ବୋଝ ହାଉସିଂ ବୋର୍ଡର ଅବସ୍ଥାକୁ ଦୁର୍ଗତି ଭିତରକୁ ଠେଲିଦେଇଛି । ଏଭଳିସ୍ଥିତିରେ କର୍ମଚାରୀମାନେ ଦାବି କରୁଛନ୍ତି ଅବସର ବୟସ ସୀମା ଏବଂ ଦରମା ବଢ଼ାଇବାକୁ । ତେବେ କର୍ମଚାରୀଙ୍କ ଏହି ଦାବିକୁ ଆଦୋ÷ ଗ୍ରହଣ କରିପାରିବେ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇଛନ୍ତି ଅଧ୍ୟକ୍ଷ ପ୍ରତାପ ଦେବ । ଚେତାବନୀ ଦେଇଛନ୍ତି ସଂସ୍ଥାର ଲାଭ ପାଇଁ କାମ କର । ତାପରେ ଯାଇ ବିଚାର ।