ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଅଲ୍ କାଏଦା ଭଳି ଦୁର୍ଦ୍ଧଶ ସଂଗଠନର ଜବରଦସ୍ତ ଏଜେଣ୍ଟ ଅବଦୁଲ୍ଲ ରେହମାନ୍ର ବିଜେଡ଼ି ଲିଙ୍କ୍ ନେଇ ଚର୍ଚ୍ଚା ଜୋର୍ ଧରିଛି । ତେବେ ବିଜେଡ଼ି ସହ ତାଙ୍କର କି ତାଙ୍କ ପରିବାରର କିଛି ସମ୍ପର୍କ ନାହିଁ ବୋଲି ଛାତିରେ ହାତ ମାରି କହିଛନ୍ତି ଦଳର ମୁଖପାତ୍ର ତଥା କଟକ ଜିଲ୍ଲା ବିଜେଡ଼ି ସଭାପତି ବିଧାୟକ ପ୍ରତାପ ଜେନା । ତେବେ ପ୍ରତାପଙ୍କର ଏଭଳି ଦମ୍ଭୋକ୍ତିକୁ ଆମେ ଖୋଲା ଚାଲେଞ୍ଜ ଦେଉଛୁ । ରେହମାନ୍ ପରିବାରର ବିଜେଡ଼ି ଲିଙ୍କ୍ ସମ୍ପର୍କିତ ଯଥେଷ୍ଟ ପ୍ରମାଣ ଲାଗିଛି ମିଡ-ଡେ ହାତରେ । ସାହାସ ଅଛି ତ ପ୍ରତାପ ଜେନା ତାହାକୁ ଚାଲେଞ୍ଜ କରନ୍ତୁ ।
ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ୨୦୦୨ ମସିହାରେ ଗିରଫ ହୋଇଥିବା ରେହମାନ୍ର ବଡ଼ଭାଇ ମହମ୍ମଦ ତାହେର ଅଲ୍ଲୀ ଖାଁ ବିଜେଡ଼ିର ଜଣେ ସକ୍ରିୟ ସଦସ୍ୟ । ବିଜେଡ଼ିର ଛାମୁଆ ସଂଗଠନ ସଂଖ୍ୟାଲଘୁ ସେଲ୍ର ସେ ଆଗଧାଡ଼ିର ନେତା । ଦଳର ଯେତେ କାର୍ଯ୍ୟକ୍ରମ ସବୁଥିରେ ତାହେରକୁ ଆଗ ଦେଖିବାକୁ ମିଳେ । ସଂଖ୍ୟାଲଘୁ ଲୋକଙ୍କ ଯୋଗାଡ଼ିଆ ଦାୟିତ୍ୱ ସେ ହିଁ ବୁଝିଥାଏ । ନିକଟରେ ଗତ ୮.୧୧.୨୦୧୫ ତାରିଖ ରବିବାର ଦିନ ସାଲେପୁର ବ୍ଲକ୍ ବିଜେଡ଼ି ପକ୍ଷରୁ ପଶ୍ଚିମକଚ୍ଛଠାରେ ଏକ କର୍ମୀ ସମ୍ମିଳନୀ ହୋଇଥିଲା । ମୁଖ୍ୟ ଅତିଥି ଥିଲେ କଟକ ଜିଲ୍ଲା ପରିଷଦ ସଭାପତି ପ୍ରଶାନ୍ତ ବେହେରା । ସେଥିରେ ଅନ୍ୟମାନଙ୍କ ମଧ୍ୟରେ ଥିଲେ ସଂଖ୍ୟାଲଘୁ ସେଲ୍ର ତାହେର ଅଲ୍ଲୀ । ଏ ସମ୍ପର୍କିତ ଖବର ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା । ପ୍ରତାପ ବାବୁ ଚାହିଁଲେ ତା ପରଦିନର ଖବରକାଗଜ ପୃଷ୍ଠାରୁ ତାହା ପଢ଼ିପାରିବେ । ଆମେ ମଧ୍ୟ ଏଠାରେ ସେହି ଖବରର ଏକ କ୍ଲିପିଂସ୍ ଦେଉଛୁ । ସୁତରାଂ ତାହିର ଅଲ୍ଲୀ ବିଜେଡ଼ିର ନା ନାହିଁ ତାହା ଏଥିରୁ ସ୍ପଷ୍ଟ ବୁଝିହେଉଥିବ ।
ଖାଲି ସେତିକି ନୁହେଁ ୨୦୧୪ ନିର୍ବାଚନ ବେଳେ ବିଜେଡ଼ିର ଭୋଟର ତାଲିକା ଚିରକୁଟି ଯାଇଥିଲା ରେହମାନ୍ ପରିବାରକୁ । ତାଲିକାରେ ତାହେରର କ୍ରମିକ ନଂ ୯୮୧ ଥିଲା ବେଳେ ରେହମାନ୍ର କ୍ରମିକ ନଂ ଥିଲା ୯୮୮ । ପୁଲିସ ରେକର୍ଡରେ ଥିବା ତାହେର ଓ ରେହମାନ୍ ଭଳି ଅପରାଧୀଙ୍କୁ ବିଜେଡ଼ି କେମିତି ପାଳି ପୋଷୁଥିଲା ଏହା ତାହାର ଆଉ ଏକ ନମୁନା । ତେବେ ଖାଲି ସେତିକି ନୁହେଁ ଦଳର ଏମପି ଓ କିଛି ବିଧାୟକଙ୍କ ସହ ତାହେର ଓ ରେହମାନ୍ ର ଅନ୍ତରଙ୍ଗ ଫଟୋକୁ ନେଇ ବି ଚର୍ଚ୍ଚା ହେଲାଣି । ପ୍ରତାପ ବାବୁ ଏକଥା ଭଲ ଭାବେ ଜାଣନ୍ତି ଏବଂ ରେହମାନ୍ ପରିବାର ସହ ତାଙ୍କ ଦଳର ସାଂସଦଙ୍କ ନିବିଡ଼ ସମ୍ପର୍କ ବିଷୟରେ ପ୍ରତାପଙ୍କଠାରୁ ନିଜ ଦଳର କାହାରିକୁ ଅଧିକ ଜଣା ନ ଥିବ ବୋଧହୁଏ । ଦଳର ସାଂସଦ ଖୋଦ୍ ରେହମାନ୍ ର ମଟରସାଇକେଲ ପଛରେ ବସି ବୁଲିବା ଓ ତାଙ୍କ ଘରେ ଖାଇବା ସେସବୁର ରେକର୍ଡ ପ୍ରତାପ ଜେନାଙ୍କ ପାଖରେ ଅଛି । ଅବଶ୍ୟ ଦଳର ମୁଖପାତ୍ର ଓ ସଚ୍ଚା କର୍ମୀ ଭାବେ ସେ ରେହମାନ୍ର ବିଜେଡ଼ି ଲିଙ୍କ୍ କୁ ଅସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ଏଭଳି ମିଛ କହିଥିବାରୁ ତାଙ୍କ ବିବେକ ତାଙ୍କୁ କଷ୍ଟ ଦେଉଥିବ ।