୪୮ ଘଣ୍ଟା ପାଇଁ କଟକ ବି ସଟ୍ ଡାଉନ୍
ଭୁବନେଶ୍ୱର: ଓଡ଼ିଶା ପାଇଁ ଚିନ୍ତା ବଢ଼ିଲା । ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତିଜଣଙ୍କ କଟକର ଏବଂ ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ । ଏବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା ଟ୍ୱିଟ୍ କରାଯାଇଛି । ତେବେ ତାଙ୍କ ସମ୍ପର୍କରେ ଅନ୍ୟ କିଛି ସୂଚନା ଦିଆଯାଇନି ।
ଦିଲ୍ଲୀ ନିଜାମୁଦ୍ଦିନ୍ ଧାର୍ମିକ ସଭାରେ ସେ ଯୋଗଦେବାକୁ ଯାଇଥିବା ସନେ୍ଦହ କରାଯାଉଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇନାହିଁ । ଏହା ବି କୁହାଯାଉଛି ଯେ ଦୁଇ ସପ୍ତାହ ତଳେ ସଂପୃକ୍ତ ବ୍ୟକ୍ତି ଦିଲ୍ଲୀରୁ ଫେରିଛନ୍ତି । କରୋନା ଲକ୍ଷଣ ନ ଥିବାରୁ ସେ ଆରାମ୍ ରେ ଅନେକ ଲୋକଙ୍କ ସହ ମିଳାମିଶା କରିଛନ୍ତି । ତେବେ ଏହା କେତେଦୂର ସତ ତାହା ଜଣାପଡ଼ିନାହିଁ । କରୋନା ମନିଟରିଂ ସେଲ୍ ପକ୍ଷରୁ ଆକ୍ରାନ୍ତ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କର ଟ୍ରେସିଂ ଆରମ୍ଭ ହୋଇଯାଇଛି ।
ସେପଟେ ଭୁବନେଶ୍ୱର, ଭଦ୍ରକ ଭଳି କଟକକୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଷଷ୍ଠ ଆକ୍ରାନ୍ତ ଚିହ୍ନଟ ହେଲା ମାତ୍ରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ମୁଖ୍ୟ ଶାସନ ସଚିବ ଟ୍ୱିଟ୍ କରି ଜଣାଇଛନ୍ତି । ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ କଟକକୁ ସଟ୍ ଡାଉନ୍ ରେ ଅନ୍ତର୍ଭୁକ୍ତ କରାଯାଇଛି ।
ପଞ୍ଚମ ଆକ୍ରାନ୍ତ ଭୁବନେଶ୍ୱର ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରାଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସମସ୍ତଙ୍କ ଚିନ୍ତା ବଢ଼ାଇଛି । ସେ ବିଦେଶ କିମ୍ବା ଅନ୍ୟ ରାଜ୍ୟ ଗସ୍ତ କରି ନ ଥିବାରୁ ତାହା ଗୋଷ୍ଠୀ ସଂକ୍ରମଣ ବା କରୋନା ଷ୍ଟେଜ୍-୩ ର ଆଶଙ୍କା ବଢ଼ାଇ ଥିବାରୁ ସରକାର କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଗତକାଲି ସଂଧ୍ୟାରୁ ସୂର୍ଯ୍ୟନଗର ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯାଇଛି । ତେବେ ସମଗ୍ର ସହର ପ୍ରତି ସଂକ୍ରମଣର ଆଶଙ୍କା ଦୃଷ୍ଟିରୁ ସରକାର ସଟ୍ ଡାଉନ୍ ଭଳି କଠୋର ପଦକ୍ଷେପ ନେଇଛନ୍ତି ।
କଟକ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୬ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେଥିମଧ୍ୟରୁ ୪ ଜଣ ଭୁବନେଶ୍ୱରର ହୋଇଥିବା ବେଳେ ଜଣେ ଭଦ୍ରକରୁ ଆକ୍ରାନ୍ତ ହୋଇଛନ୍ତି । ଇତିମଧ୍ୟରେ ଦୁଇଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲ୍ ରୁ ଘରକୁ ଫେରିଛନ୍ତି ।