ଭୁବନେଶ୍ୱର: ସୁସ୍ଥ ହୋଇ ଘରକୁ ଫେରିଛନ୍ତି ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ । ତାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ରିପୋର୍ଟ ଆସିବା ପରେ କ୍ୟାପିଟାଲ୍ ହସ୍ପିଟାଲ୍ ରୁ ଡିସଚାର୍ଜ କରାଯାଇଛି । ଅଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି । କ୍ୟାପିଟାଲ୍ ହସ୍ପିଟାଲ୍ ରେ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଏବଂ ଅନ୍ୟ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଧନ୍ୟବାଦ ଜଣାଇଛନ୍ତି ।
ପୂର୍ବରୁ ଏମସ୍ ରେ ଚିକିତ୍ସିତ ହେଉଥିବା ଦ୍ୱିତୀୟ କରୋନା ଆକ୍ରାନ୍ତ ଗତ ୧ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଅସିବା ପରେ ହସ୍ପିଟାଲ୍ ରୁ ଡିସଚାର୍ଜ ହୋଇଥିଲେ । ଏ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଦୁଇ ଜଣ ଆରୋଗ୍ୟ ହୋଇ ଘରକୁ ଫେରିବା ରାଜ୍ୟ ପାଇଁ ଖୁସି ଖବର ହୋଇଛି ।
ଆଜି କ୍ୟାପିଟାଲ୍ ହସ୍ପିଟାଲ୍ ରୁ ଡିସଚାର୍ଜ ହୋଇଥିବା ପ୍ରଥମ କରୋନା ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର ବରଗଡ଼ ଅଞ୍ଚଳରେ । ୩୧ ବର୍ଷୀୟ ଏହି ଯୁବକ ଇଟାଲୀରେ ଗବେଷଣା କରୁଛନ୍ତି । କରୋନା କବଳରେ ଅଧିକ ପ୍ରଭାବିତ ଇଟାଲୀରୁ ବାହାରି ମାର୍ଚ୍ଚ ୬ ତାରିଖରେ ଦିଲ୍ଲୀରେ ପହଞ୍ଚିଥିଲେ । ମାର୍ଚ୍ଚ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ । ସେହିଦିନ ତାଙ୍କ ଥଣ୍ଡା,ଜ୍ୱର ହୋଇଥିଲା । ପ୍ରଥମେ କଳ୍ପନା ଅଞ୍ଚଳରେ ଥିବା ଏକ ଘରୋଇ କ୍ଲିନିକ୍ ଡାକ୍ତରଙ୍କୁ ଦେଖାଇଥିଲେ । ପରେ କ୍ୟାପିଟାଲ୍ ହସ୍ପିଟାଲ୍ ଆସିଥିଲେ । ୧୬ ତାରିଖରେ ତାଙ୍କର ରକ୍ତ ଓ ସ୍ୱାବ୍ ନମୁନା ପରୀକ୍ଷା କରାଯିବାରୁ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ।