ଚ୍ୟାଲେଞ୍ଜ୍ । ରାଜସ୍ଥାନ ରାଜନୀତିକୁ ନେଇ ସୃଷ୍ଟି ହୋଇଛି ଚ୍ୟାଲେଞ୍ଜ୍ । କଂଗ୍ରେସ ପାଇଁ ଚ୍ୟାଲେଞ୍ଜ୍, ସଚିନ୍ ପାଇଲଟଙ୍କ ପାଇଁ ଚ୍ୟାଲେଞ୍ଜ… ଆଉ ବିଜେପି ପାଇଁ ବି ଚ୍ୟାଲେଞ୍ଜ୍ । ବିଦ୍ରୋହୀ ସଚିନ୍ ପାଇଲଟଙ୍କୁ ବୁଝାଇ ଶୁଝାଇ ରାଜସ୍ଥାନ ରାଜ ଉଆସକୁ ସଜାଡ଼ିବା କଂଗ୍ରେସ ପାଇଁ ଚ୍ୟାଲେଞ୍ଜ୍ । ସଚିନ୍ ପାଇଲଟଙ୍କ ଭଳି କଂଗ୍ରେସର ଜଣେ ଦକ୍ଷ, ଯୁବ ନେତାଙ୍କୁ ଫୋଲ୍ଡକୁ ନେବା ବିଜେପି ପାଇଁ ବି ଚ୍ୟାଲେଞ୍ଜ । ତେବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍, ଭାରତୀୟ ରାଜନୀତିର ନ୍ୟୁଜ୍ ମେକର୍ ଅଫ୍ ଦି ୱିକ୍ ସଚିନ୍ ପାଇଲଟଙ୍କ ପାଇଁ । କାରଣ, ବିଜେପି ଶିବିରକୁ ସେ ଯାଉ ନଥିବା ଏବେ ବି କହୁଛନ୍ତି, ଏହି ବିଦ୍ରୋହୀ କଂଗ୍ରେସ ନେତା ।
କଂଗ୍ରେସର ପାରିବାରବାଦ ରାଜନୀତିରୁ ନିଜକୁ ରାଜନେତା ଭାବେ ଗଢ଼ି ତୋଳିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏବେ ସେ ବିଜେପି ନେତା । ବାପା, ମାଧବରାଓ ସିନ୍ଧିଆ ଥିଲେ କଂଗ୍ରେସର ଜଣେ ଟାଣୁଆ ନେତା । ତାଙ୍କରି ପଦାଙ୍କ ଅନୁସରଣ କରି କଂଗ୍ରେସ ରାଜନୀତିରେ ସେ ଛୋଟରୁ ବଡ଼ ହୋଇଥିଲେ । କିନ୍ତୁ ଟ୍ୟାଲେଣ୍ଟ ବଳରେ ସବୁ ଚ୍ୟାଲେଞ୍ଜକୁ ସାମ୍ନା କରି ଦଳରେ ନିଜର ଭଲ ଇମେଜ୍ ସୃଷ୍ଟି କରିଥିଲେ । କିନ୍ତୁ ଏବେ ସେ କଂଗ୍ରେସ ପାଇଁ ପୂର୍ବତନ । ନଗଦ ନଗଦ ସେ ପଦ୍ମ ଧରିଛନ୍ତି । କଂଗ୍ରେସକୁ ଚ୍ୟାଲେଞ୍ଜ ମାରି ମଧ୍ୟପ୍ରଦେଶରେ ଜନମତକୁ ହାଇଜାକ୍ କରିବାରେ ସଫଳ ହୋଇଛି ବିଜେପି । ଆଉ ସିନ୍ଧିଆଙ୍କୁ ପଠାଇ ଦେଇଛି ରାଜ୍ୟସଭା । କିନ୍ତୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଇଁ ଆଗକୁ ରହିଛି ବଡ଼ ଚ୍ୟାଲେଞ୍ଜ୍ । କଂଗ୍ରେସ ତାଙ୍କୁ ପ୍ରାଧାନ୍ୟ ଦେଲାନି ବୋଲି ସେ ଦଳ ଛାଡ଼ିଥିବା କହୁଛନ୍ତି । କିନ୍ତୁ ସେ ଚାହୁଁଥିବା ବା ଆଶା ରଖିଥିବା ପ୍ରାଧାନ୍ୟ ବିଜେପିରେ ତାଙ୍କୁ ମିଳିବ ତ ? ଏହା ହିଁ ହେଉଛି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଇଁ ଆଗକୁ ଏକ ଚ୍ୟାଲେଞ୍ଜ ।
ଏବେ ସିନ୍ଧିଆଙ୍କ ଭଳି ଅନୁରୂପ ରାସ୍ତାରେ ସଚିନ୍ ପାଇଲଟ୍ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବାପା, ରାଜେଶ ପାଇଲଟଙ୍କ ରାଜନୈତିକ ଦବଦବାରୁ ନିଜର ରାଜନୈତିକ ଫ୍ଲାଇଟ୍ ଉଡ଼ାଣ ଆରମ୍ଭ କରିଛନ୍ତି ସଚିନ୍ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି, ସଚିନ୍ ପାଇଲଟ୍ ମଧ୍ୟ ନିଜ ଟ୍ୟାଲେଣ୍ଟ ବଳରେ ବଳୀୟାନ୍ । କିନ୍ତୁ ଏବେ… ସେ ଯିବେ କୁଆଡ଼େ ? କଂଗ୍ରେସର ତୁଙ୍ଗ ନେତୃତ୍ୱ ଯେତେ ବୁଝାଶୁଝା କରାଇଲେ ବି ପାଇଲଟ ଧରାଛୁଆଁ ଦେଉ ନାହାନ୍ତି । କଂଗ୍ରେସ, ବର୍ତ୍ତମାନ ସୁଦ୍ଧା ତାଙ୍କୁ ଦଳରୁ ବାହାର କରିନି କି ସେ ନିଜ ଆଡୁ ଇସ୍ତଫା ଦେଇନାହାନ୍ତି । କିନ୍ତୁ ପରିସ୍ଥିତି ସେମିତି କିଛି ଦିଗକୁ ଗତି କରୁଛି । କୌଣସି ମୁହୁର୍ତ୍ତରେ କିଛି ଡେଭଲପମେଣ୍ଟ ହୋଇପାରେ ।
ତେବେ ଯଦି ପାଇଲଟ୍, କଂଗ୍ରେସ ପାଇଁ ପୂର୍ବତନ ହୋଇ ଯାଆନ୍ତି, ତେବେ ଚ୍ୟାଲେଞ୍ଜ ହାରିଯିବ ଦଳ । କିନ୍ତୁ ପାଇଲଟ୍ ବିଜେପିକୁ ଯାଉ ନଥିବା ବର୍ତ୍ତମାନ ସୁଦ୍ଧା କହି ଚାଲିଛନ୍ତି । ହୁଏତ କଂଗ୍ରେସକୁ ଅଲବିଦା କହିବା ପରେ ସେ ତାଙ୍କ ମନ୍ତବ୍ୟ ବଦଳାଇ ପାରନ୍ତି । ଯଦି ସେ ମନ୍ତବ୍ୟ ବଦଳାଇ ଦେଲେ, ତେବେ ଚ୍ୟାଲେଞ୍ଜ୍ ଜିତିଯିବ ବିଜେପି । ଆଉ ଯଦି ନ ବଦଳାଇଲେ, ବିଜେପି ପାଇଁ ରାଜସ୍ଥାନ ରାଜ ସିଂହାସନ ଅକ୍ତିଆର କରିବା ଜଟିଳ ଚ୍ୟାଲେଞ୍ଜ ହୋଇପାରେ ।
କୁହାଯାଉଛି, ପାଇଲଟଙ୍କ ପଛରେ ୨୦ ବିଧାୟକଙ୍କ ସମର୍ଥନ ରହିଛି । ସେପଟେ ସରକାର ଗଢ଼ିବାକୁ ହେଲେ ବିଜେପିକୁ ଆଉ ୩୫ ବିଧାୟକଙ୍କ ସମର୍ଥନ ଲୋଡ଼ା । ତେଣୁ ପୂରା ପାଇଲଟ୍ ଗୋଷ୍ଠୀକୁ ଫୋଲ୍ଡକୁ ଆଣିଲେ ବି, ବିଜେପିକୁ ଆଉ କିଛିଟା ଘୋଡ଼ା ବେପାର କରିବାକୁ ପଡ଼ିବ । କିନ୍ତୁ ପାଇଲଟଙ୍କୁ ବିଜେପି ଯେ, ରାଜସ୍ଥାନ ସରକାରର ପାଇଲଟ୍ କରିବ, ତାହା କହିବା ମୁସ୍କିଲ୍ । କାରଣ ବସୁନ୍ଧରା ରାଜେ, ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବା ସମ୍ଭାବନା ଅଧିକ । ସେପଟେ ସିନ୍ଧିଆ ଶୈଳୀରେ ପାଇଲଟଙ୍କୁ ରାଜ୍ୟସଭାରେ ଥଇଥାନ ସମ୍ଭାବନା ବି ନାହିଁ । କାରଣ ନିକଟରେ ଶେଷ ହୋଇଯାଇଛି ରାଜସ୍ଥାନ ରାଜ୍ୟସଭା ନିର୍ବାଚନ ।
ବିଜେପିର ଚ୍ୟାଲେଞ୍ଜ୍… କଂଗ୍ରେସ ମୁକ୍ତ ଭାରତ । ଯେଉଁଥି ପାଇଁ ବିଭୀଷଣ ଅନ୍ୱେଷଣରେ ଲାଗିଛି ଦଳ । ସିନ୍ଧିଆଙ୍କ ପରେ ପାଇଲଟଙ୍କ ଉପରେ ବିଜେପିର ଆଖି । କିନ୍ତୁ ପାଇଲଟ୍ ପଟିଲେ ତ ? ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ବିରୋଧରେ କଂଗ୍ରେସର ପାଇଲଟ୍ ଥିଲେ ସଚିନ୍ ପାଇଲଟ୍ । ପୂର୍ବ ରାଜସ୍ଥାନର ୪୯ ଆସନରୁ ୪୨ ଆସନ, କଂଗ୍ରେସ ଖାତାକୁ ଆଣି, ବିଜେପିର ମୂଳ ଦୋହଲାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସିନା କହୁଛନ୍ତି, ସୁନ୍ଦର ଚେହେରା କିମ୍ବା ଭଲ ଇଂରାଜୀ କହିବା… ରାଜନୀତିରେ ସବୁକିଛି ନୁହେଁ । ପାଇଲଟ୍ କିନ୍ତୁ ଏ ଚ୍ୟାଲେଞ୍ଜକୁ ବହୁ ଆଗରୁ ଜିତି ସାରିଛନ୍ତି । ତାଙ୍କ ସୁନ୍ଦର ଚେହେରା ଓ ସୁମଧୁର କହିବା ଶୈଳୀ କଂଗ୍ରେସ ନିକଟରେ ବହୁ ଆଗରୁ ପ୍ରମାଣ କରି ସାରିଛନ୍ତି ।
ସଂରକ୍ଷଣକୁ ନେଇ ରାଜ୍ୟରେ ଗୁଜ୍ଜର ଓ ମୀନା ସଂପ୍ରଦାୟ ମଧ୍ୟରେ ଚାଲିଥିବା ଟକରା-ଟକରିକୁ ପାଇଲଟ୍ ହିଁ ସମାଧାନ କରିବାରେ ସକ୍ଷମ ହୋଇଛନ୍ତି । ଉଭୟ ସଂପ୍ରଦାୟ ପରସ୍ପରର ବିରୋଧୀ ହେଲେ ବି ପାଇଲଟଙ୍କ ପଛରେ ରହିଛି ସେମାନଙ୍କର ସମର୍ଥନ । ଆଉ ରାଜ୍ୟର ଦଳିତ ସଂପ୍ରଦାୟ ବି, ଅନ୍ୟ ଦଳର ନେତାଙ୍କ ଅପେକ୍ଷା ପାଇଲଟଙ୍କୁ ଅଧିକ ଭଲ ପାଆନ୍ତି । ଏଭଳି ସ୍ଥିତିରେ ପାଇଲଟଙ୍କ ଦକ୍ଷତା କେବଳ କଂଗ୍ରେସ ଜାଣିନି, ବିଜେପି ମଧ୍ୟ ମାପି ସାରିଛି । ଯେଉଁଥି ପାଇଁ ଦଳ ପାଇଲଟଙ୍କ ପଛରେ ଭିତିରିଆ ପଡ଼ି ଯାଇଥିବା ବେଳେ, ପାଇଲଟ୍ ବି ଭଲ ରକମ ବାର୍ଗେନିଂ କରୁଥିବା ଚର୍ଚ୍ଚା ହେଉଛି ।
ଏବେ ପାଇଲଟଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ, ସେ କରିବେ କଣ ? କଂଗ୍ରେସରେ ରହିବେ ନା ଯିବେ ? ବିଜେପିରେ ମିଶିବେ ନା ମିଶିବେନି ? ନା ନିଜସ୍ୱ ଦଳ ଗଢ଼ି ଉଭୟ କଂଗ୍ରେସ ଓ ବିଜେପିକୁ ଚ୍ୟାଲେଞ୍ଜ ଦେବେ । ପାଇଲଟଙ୍କ ଇମେଜ୍ ଓ ରାଜସ୍ଥାନ ରାଜନୀତିରେ ତାଙ୍କ ହୋଲ୍ଡକୁ ଦେଖିଲେ ଲାଗୁଛି, ପାଇଲଟ୍, ଜଗନ୍ ରେଡି ହୋଇପାରିବେ । ମୁଖ୍ୟମନ୍ତ୍ରୀ ହେବାକୁ ଜଗନ୍ ମୋହନ୍ ରେଡିଙ୍କୁ ସିନା ୧୦ ବର୍ଷ ଲାଗିଲା, କିନ୍ତୁ ପାଇଲଟଙ୍କୁ ଏତେ ବର୍ଷ ଲାଗି ନପାରେ ।
ଚ୍ୟାଲେଞ୍ଜ ହାରିବା କଂଗ୍ରେସର ଦେହସୁହା ହୋଇଗଲାଣି । କହିବାକୁ ଗଲେ, ବିଜେପି ଯେମିତି ଚାହୁଁଛି, ଗାନ୍ଧି ପରିବାର, କଂଗ୍ରେସକୁ ସେମିତି ଚଳାଉଛନ୍ତି । ରାଜୀବ ଗାନ୍ଧିଙ୍କ ମୃତ୍ୟୁ ପରେ କଂଗ୍ରେସରେ ପଦ ପଦବୀକୁ ପ୍ରତ୍ୟାଖ୍ୟାନ କରିଥିବା ସୋନିଆ, ୟୁପିଏ-୧ ଏବଂ ୟୁପିଏ-୨ ସରକାର ଅମଳରେ ପରଦା ଆଡୁଆଳରେ ଥାଇ ସରକାରକୁ ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରଣ କଲେ । କେବଳ ନିଜ ପୁଅ ରାହୁଲଙ୍କ ପାଇଁ ୯୦ ଦଶକରୁ, ଆକୁ ତାକୁ ଧରି ପାର୍ଟିକୁ ବଞ୍ଚାଇ ରଖିଲେ । ୨୦୧୪ ନିର୍ବାଚନ ବେଳକୁ ସୋନିଆ ନିଜେ ଦଳର ଅଧ୍ୟକ୍ଷ ଥିଲେ । କିନ୍ତୁ ଦଳ ସତ୍ତା ହରାଇଲା । ୨୦୧୯ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ଅଧ୍ୟକ୍ଷ କରାଇଲେ । ତାହା ବି ଫେଲ୍ ହେଲା ।
ଏବେ ସୋନିଆ, ଅନ୍ତରୀଣ ଅଧ୍ୟକ୍ଷ ଥିବା ବେଳେ ପୁଣି ଉଠିଲାଣି ରାହୁଲ ଗାନ୍ଧିଙ୍କ କଥା । କଂଗ୍ରେସର ଅଧ୍ୟକ୍ଷ ଭାବେ ଉଭୟ ନେତା ଦେଶବାସୀଙ୍କ ଆଗରେ ଗ୍ରହଣୀୟ ହୋଇପାରୁ ନାହାନ୍ତି, ତଥାପି ବୁଝିପାରୁ ନାହାନ୍ତି । ସେପଟେ ଗାନ୍ଧି ପରିବାରକୁ ନେଇ ଦେଶର ରାଜନୀତିରେ ବିଜେପି ଭିନ୍ନ ଏକ ହାୱା ସୃଷ୍ଟି କରିଥିବା ବେଳେ କଂଗ୍ରେସର ଅଧିକାଂଶ ବଡ଼ ବଡ଼ ନେତା ହଜିଗଲେଣି । ଆଉ ଯେଉଁମାନେ ଅଛନ୍ତି, ସେମାନେ, ଦକ୍ଷତା ଥିବା ଯୁବ ନେତାଙ୍କୁ ବାଟ ଛାଡୁ ନାହାନ୍ତି । ତେଣୁ ଏଭଳି ସ୍ଥିତିରେ କଂଗ୍ରେସ କେବଳ ନିଜ ଅବକ୍ଷୟ ପାଇଁ ଚ୍ୟାଲେଞ୍ଜ୍ ନୁହେଁ ତ ଆଉ କଣ ?
(ଲେଖକ ବରେନ୍ଦ୍ର କୃଷ୍ଣ ସାହୁ ରାଜ୍ୟର ଜଣେ ବରିଷ୍ଠ ସାମ୍ବାଦିକ । ତାଙ୍କର ଯୋଗାଯୋଗ ନମ୍ବର ହେଉଛି 7008779043 )