ଭୁବନେଶ୍ୱର: ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି । ଭିଡ଼ିଓ କନଫରେନ୍ସିଂ ରେ କଟକ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ଏବଂ ମହାରାଷ୍ଟ୍ର ପରେ ଦେଶର ତୃତୀୟ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି ଚିକିତ୍ସା । ଗୁରୁତର କରୋନା ରୋଗୀଙ୍କୁ ମାଗଣାରେ ଏହି ଚିକିତ୍ସା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ, ମୋ ପାଇଁ ଏବଂ ମୋ ସରକାର ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଜୀବନର ସୁରକ୍ଷା ପାଇଁ ଯାହା ସମ୍ଭବ ରାଜ୍ୟ ସରକାର ତାହା ହିଁ କରିବେ । କରୋନା ବିରୋଧୀ ଆମ ଲଢ଼େଇରେ ପ୍ଲାଜମା ଥେରାପି ଏକ ଉପାଦେୟ ଅସ୍ତ୍ର ହେବ । ପ୍ଲାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବାକୁ ସବୁ କରୋନା ଆରୋଗ୍ୟଙ୍କୁ ବିନମ୍ର ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ ।
ଓଡ଼ିଶାବାସୀଙ୍କୁ ସବୁ ପ୍ରକାର ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ କାହାରିକୁ ବଞ୍ଚିତ କରାଯିବ ନାହିଁ । ରାଜ୍ୟ ସରକାର ଏଥିପାଇଁ ଦୃଢ଼ ସଂକଳ୍ପ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୋଭିଡ୍ ସଙ୍କଟ ପରିପ୍ରେକ୍ଷୀରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସେବା ଓ ଅକ୍ଲାନ୍ତ ପରିଶ୍ରମକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ ।
ବର୍ତ୍ତମାନ ଭୁବନେଶ୍ୱରର ସମ୍, କିମ୍ସ ଓ କଟକ ଅଶ୍ୱିନୀ ହସ୍ପିଟାଲ୍ ରେ ପ୍ଲାଜମା ଥେରାପି ସହାୟତାରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କରାଯିବ । କଟକ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ନୋଡାଲ୍ ସେଣ୍ଟର୍ ଭାବେ କାର୍ଯ୍ୟ କରିବ ।
ସୂଚନାଥାଉକି, ମହାମାରୀ କରୋନା ଦ୍ୱାରା ଆକ୍ରାନ୍ତ ଗୁରୁତର ରୋଗୀଙ୍କ ଚିକିତ୍ସା ଲାଗି ପ୍ଲାଜମା ଥେରାପି ବେଶ୍ ଫଳପ୍ରଦ ହେଉଛି । ପ୍ଲାଜମା ଥେରାପି ଏକ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା । ଏଥିରେ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ରକ୍ତ(ପ୍ଲାଜମା) ସଂଗ୍ରହ କରାଯାଇ ଗୁରୁତର କରୋନା ରୋଗୀଙ୍କୁ ଦିଆଯାଏ । କାରଣ କରୋନା ସଂକ୍ରମିତମାନେ ସୁସ୍ଥ ହେବା ପରେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବାର ୪ ସପ୍ତାହ ପରେ ପ୍ଲାଜମା ଦାନ କରି ୨ ଜଣ କରୋନା ରୋଗୀଙ୍କୁ ନୂଆ ଜୀବନ ଦେଇପାରିବେ । ପ୍ଲାଜମା ଥେରାପି ଶୁଭାରମ୍ଭ ଅବସରରେ ରାଜ୍ୟର ୪ ଜଣ ବ୍ୟକ୍ତି ସେମାନଙ୍କର ପ୍ଲାଜମା ଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି ।