ନୂଆଦିଲ୍ଲୀ: କ୍ୟାନସର୍ ସହ ଜୀବନ ଲଢ଼େଇରେ ହାରିଗଲେ ମନୋହର ପାରିକର । ମାତ୍ର ୬୩ ବର୍ଷ ବୟସରେ ଆଜି ସଂସାରରୁ ବିଦାୟ ନେଇଛନ୍ତି ‘ମିଷ୍ଟର କ୍ଲିନ୍’ ଭାବେ ପରିଚିତ ଏହି ବିଚକ୍ଷଣ ରାଜନେତା । ଏବେକାର ରାଜନୀତିରେ ଯେଉଁ କେତେଜଣ ଦକ୍ଷ ଓ ଆଦର୍ଶବାଦୀ ନେତା ସମସ୍ତଙ୍କର ନମସ୍ୟ ସେମାନଙ୍କ ମଧ୍ୟରୁ ଜଣେ ଥିଲେ ପାରିକର । ଏକ ଛୋଟ ରାଜ୍ୟର ବଡ଼ ମୁଖ୍ୟମନ୍ତ୍ରୀ ବୋଲି ତାଙ୍କୁ କୁହାଯାଉଥିଲା । କେବଳ ଗୋଆର ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ନୁହଁନ୍ତି, ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବେ ସେ ନିଜର ଦକ୍ଷତା ଦେଖାଇଥିଲେ । ପାରିକରଙ୍କ ମୃତ୍ୟୁରେ ଦେଶ ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇ ଦେଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ଦଳର ନେତୃବୃନ୍ଦ ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ମୁମ୍ବାଇ ଆଇଆଇଟିରୁ ମେଟାଲର୍ଜିକାଲ୍ ଇଂଜିନିଂୟିଂରେ ଡିଗ୍ରୀ ହାସଲ କରିଥିବା ପାରିକର ସ୍କୁଲରେ ପାଠ ପଢ଼ିଲା ବେଳୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରତି ଆକୃଷ୍ଟ ହୋଇଥିଲେ । ମାତ୍ର ୨୬ ବର୍ଷ ବୟସରେ ସେ ହୋଇଥିଲେ ସଂଘ ପ୍ରଚାରକ । ପରବର୍ତ୍ତୀ ସମୟରେ ସେ ବିଜେପିରେ ସକ୍ରିୟ ଭୂମିକା ନେଇଥିଲେ ।୧୯୯୧ ମସିହାରେ ଗୋଆରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ୧୯୯୪ ମସିହାରେ ସେ ପ୍ରଥମ ଥର ବିଜୟର ସ୍ୱାଦ ଚାଖିଥିଲେ । ତାଙ୍କୁ ମିଶାଇ ୪ ଜଣ ବିଜେପି ସଦସ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପାରିକରଙ୍କ ଉଦ୍ୟମ ଯୋଗୁଁ ଗୋଆରେ ବିଜେପିର ଶକ୍ତି ବଢ଼ିଥିଲା ଏବଂ ୨୦୦୦ ମସିହାରେ ତାଙ୍କ ନେତୃତ୍ୱରେ ଗଠନ ହୋଇଥିଲା ବିଜେପି ସରକାର । ସର୍ବମୋଟ ଚାରି ଥର ଗୋଆର ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରିଥିଲେ ପାରିକର ।
୨୦୧୪ ନିର୍ବାଚନରେ ବିଜେପି ଫେସ୍ ଭାବେ ନରେନ୍ଦ୍ର ମୋଦିଙ୍କ ନାଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ ପାରିକର । ୨୦୧୪ ନିର୍ବାଚନରେ ବିଜେପି ଆଶାତୀତ ସଫଳତା ପାଇ ମୋଦିଙ୍କ ନେତୃତ୍ୱରେ ସରକାର ଗଢ଼ିବା ପରେ ପାରିକରଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ବିଭାଗର ମନ୍ତ୍ରୀ କରାଯାଇଥିଲା । ମୋଦିଙ୍କର ସେ ଥିଲେ ଅତ୍ୟନ୍ତ ଅନୁଗତ ମନ୍ତ୍ରୀ । ପାରିକର ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ୨୦୧୬ ମସିହାରେ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା । ତେବେ ୨୦୧୭ ମସିହାରେ ଗୋଆ ମୁଖ୍ୟମନ୍ତ୍ରୀ ପଦକୁ ପୁଣି ଫେରି ଆସିଥିଲେ ପାରିକର ।
ଗତବର୍ଷ ଫେବୃଆରୀ ମାସରେ ପାରିକରଙ୍କୁ ପାନକ୍ରିଆଟିକ୍ କ୍ୟାନସର ହୋଇଥିବା ଜଣାପଡ଼ିଥିଲା । ଚିକିତ୍ସା ପାଇଁ ମୁମ୍ବାଇ, ଦିଲ୍ଲୀ ଓ ନ୍ୟୁୟର୍କ ଯାଇଥିଲେ । କିଛି ମାସ ତଳେ ସେ ଗୋଆ ଫେରିଆସିଥିଲେ ମଧ୍ୟ ଅବସ୍ଥା ଠିକ୍ ରହୁ ନ ଥିଲା । ଫେବୃଆରୀ ମାସରେ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଗୋଆ ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ଦୁଇସପ୍ତାହ ଧରି ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ତେବେ ଶନିବାର ସକାଳେ ତାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିଥିଲା । ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଆଜି ସଂଧ୍ୟାରେ ସେ ଆଖି ବୁଜିଦେଇଥିଲେ ।
ପାରିକରଙ୍କ ପତ୍ନୀ ମେଧା ପାରିକରଙ୍କର ୨୦୦୧ ମସିହାରୁ ମୃତୁ୍ୟ ହୋଇଯାଇଛି । ତାଙ୍କର ଦୁଇ ପୁଅ ଅଛନ୍ତି ।