ଭୁବନେଶ୍ୱର: ବିଜେପିରେ ମିଶୁ ମିଶୁ ଉଚ୍ଚ ପଦପଦବୀ ପାଇଥିବା ବୈଜୟନ୍ତ ପଣ୍ଡା ଦଳର ମଉଡ଼ମଣି ହୋଇଛନ୍ତି । ନିର୍ବାଚନ ପାଇଁ ଦଳର କ୍ୟାପଟେନ୍ ଦାୟିତ୍ୱ ନେଇଛନ୍ତି । ଜାତୀୟ ଦଳରେ ଗୁରୁତ୍ୱ ପାଇବା ସାଙ୍ଗକୁ ବାହାମାସ ଟେନସନ୍ ମୁକ୍ତ ହୋଇଯାଇଥିବାରୁ ଫୁଲ୍ ଜୋସ୍ ରେ ଅଛନ୍ତି । ଡାକ୍ତର ଦାମୋଦର ରାଉତଙ୍କୁ ଦଳରେ ମିଶାଇବା ତାଙ୍କ ପାଇଁ ପ୍ରଥମ ଓଭରର ପ୍ରଥମ ବଲ୍ ରେ ଛକ୍କା ମାରିବାର ଅନୁଭବ ଆଣିଥିଲା । ଆଗକୁ କେତେ ସ୍କୋର ହେବ ତାହା ଗଣିବାକୁ ଲୋକ ଜଗେଇଥିବା ବୈଜୟନ୍ତ ତାଙ୍କ ହିସାବରେ ଆଉ ଦୁଇଟି ବଲରେ ଲାଗ ଲାଗ ଦୁଇଟି ଛକା ମାରିଛନ୍ତି । ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କୁ ଗତକାଲି ଓ ଆଜି ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କୁ ବିଜେପିରେ ମିଶାଇଛନ୍ତି ବୈଜୟନ୍ତ ।
ପରିତ୍ୟକ୍ତ ଓ ଆମଦାନୀ ନେତାଙ୍କୁ ବିଜେପିରେ ମିଶାଇବା ପାଇଁ ବୈଜୟନ୍ତ ଗୋଟିଏ ଫର୍ମାଟ୍ ଧରିଛନ୍ତି । ଥୋପ ଚାହିଁ ବସିଥିବା ନେତାଙ୍କ ତାଲିକା ପ୍ରସ୍ତୁତ କରି ତାଙ୍କ ପିଆର ଟିମ୍ ଜରିଆରେ ସେମାନଙ୍କ ସହ କଥାବାର୍ତ୍ତ କରୁଛନ୍ତି । ସର୍ତ୍ତରେ ରାଜି କିମ୍ବା ଅନ୍ୟ ବ୍ୟବସ୍ଥା ହୋଇଗଲା ପରେ ଦଳ ଛାଡ଼ିବାର ଦିନ ଧାର୍ଯ୍ୟ କରାଯାଉଛି । ସେହି ଅନୁଯାୟୀ ସଂପୃକ୍ତ ନେତା ଇସ୍ତଫା ଦେଇ ସିଧା ଯାଉଛନ୍ତି ଦିଲ୍ଲୀ । ବିମାନରେ ଦିଲ୍ଲୀ ଯିବା ଆସିବା, ରହିବା, ଖାଇବା ପିଇବା ବ୍ୟବସ୍ଥା କିଛି ଦେବାକୁ ପଡୁନି । ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ହେଉଛି ଏବଂ ସେଠାରେ ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, କନକ ବର୍ଦ୍ଧନ ସିଂହଦେଓ ଓ ଅରୁଣ ସିଂ ଉପସ୍ଥିତ ରହୁଛନ୍ତି । ମିଶ୍ରଣ ପର୍ବ ଓ ଭାଷଣବାଜିର ସିଧା ପ୍ରସାରଣ ହେଉଛି ବୈଜୟନ୍ତଙ୍କ ଟିଭିରେ । ସୌମ୍ୟ ବାବୁଙ୍କ ଟିଭି ବି ସିଧା ପ୍ରସାରଣର ସୁଯୋଗ ଛାଡୁନି । ଏହିଭଳି ସବୁ ବିଜେପି ଆଗନ୍ତୁକଙ୍କ ପାଇଁ ଏଇ ଗୋଟିଏ ଫର୍ମାଟ୍ ଲାଗୁ ହେଉଛି ।
ଖାଲି ବଳଭଦ୍ର, ପ୍ରକାଶ ନୁହଁନ୍ତି ଯୋଜନା ଅନୁୟୀ ବିରୋଧୀ ଶିବିରର ଅସନ୍ତୁଷ୍ଟ ସାଂସଦ ଓ ବିଧାୟକଙ୍କୁ ପଦ୍ମ ଧରାଇବେ ବୈଜୟନ୍ତ । ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସେ ଦିନରାତି ଏକାକାର କରିଛନ୍ତି । ଭୁବନେଶ୍ୱରରୁ ଦିଲ୍ଲୀ ଯିବା ଆସିବା ତାଙ୍କ ପାଇଁ ମାଷ୍ଟରକ୍ୟାଣ୍ଟିନ୍ ରୁ ପିଏମଜି ଯିବା ଭଳି ହୋଇଛି । ବିଜେଡ଼ି ଫଟାଓ ଅଭିଯାନରେ ତାଙ୍କୁ ନିଦ ନାହିଁ । ଏହି ଦାୟିତ୍ୱ ସହ ବୈଜୟନ୍ତ ରାଜ୍ୟ ବିଜେପିର ଦଇବ ବିଧାତା ବନିଛନ୍ତି । ରାଜ୍ୟ ବିଜେପିର ମଙ୍ଗ ଧରି ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବି ମାତ୍ ଦେଇଦେଲେଣି ।
ବୈଜୟନ୍ତଙ୍କ ଶିବିରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ପାଖାପାଖି ଡର୍ଜନେ ବିଜେଡ଼ି ବିଧାୟକ ଓ ସାଂସଦଙ୍କ ସହ ବୈଜୟନ୍ତ ଯୋଗସୂତ୍ରରେ ଅଛନ୍ତି । ଯୋଉମାନେ ବିଜେଡ଼ି ଟିକେଟ ପାଇବେନି ସେମାନଙ୍କ ପାଇଁ ବିଜେପି ଟିକେଟ ଖୋଲା ରଖାଯାଇଛି । ବିଜେପି ଟିକେଟ ସମ୍ଭବ ହୋଇ ନ ପାରିଲେ ସେମାନଙ୍କୁ ଅନ୍ୟତ୍ର ଥଇଥାନର ପ୍ରଲୋଭନ ଦିଆଯାଇଛି । ଖାଲି ସେତିକି ନୁହେଁ, ଗତଥର ବିଜେଡ଼ି ଟିକେଟରେ ନିର୍ବାଚନ ପରାଜୟ ଭୋଗିଥିବା କିଛି ନେତା ଏବଂ ପ୍ରତି ନିର୍ବାଚନମଣ୍ଡଳୀରେ ସାଂଗଠନିକ ଦବଦବା ଥିବା ଆଉ କିଛି ଆଶାୟୀ ବିଜେଡ଼ି ନେତାଙ୍କୁ ବୈଜୟନ୍ତ ଆଖି ପକାଇଛନ୍ତି । ଟଙ୍କା ଦେଇ ସେମାନଙ୍କୁ କିଣିବାକୁ ଯୋଜନା ହୋଇଛି । ବିଜେପିର ନିଜସ୍ୱ ବଳ ନ ଥିବା ଜାଣି ବି ବିଜେଡ଼ି ବଳରେ ନିର୍ବାଚନ ବୈତରଣୀ ପାର୍ ହେବାକୁ ତାଙ୍କର ମନ । ପାଖରେ ଟଙ୍କା, ବୁଦ୍ଧି, କୌଶଳ ଥିଲେ କୌଣସି ଜିନିଷ ଅସମ୍ଭବ ନୁହେଁ ବୋଲି ଅଭିଜ୍ଞ ବୈଜୟନ୍ତ ସମ୍ଭବତଃ ତାଙ୍କ ନିଜର ଅତୀତରୁ ବୁଝିଛନ୍ତି ।
ତେବେ ବିଜେଡ଼ି ଘର ଭାଙ୍ଗିବା ଯୋଜନା ବିଜେପି ଘର ଭାଙ୍ଗିଦେବ ବୋଲି ଆଶଙ୍କା କଲେଣି ଦଳର ଅନେକ ପୁରୁଖା ନେତା । ସେମାନଙ୍କ ମତରେ, ବିଜେପିରେ ନୂଆ ପୁରୁଣା ବିବାଦ ଲାଗିରହିଥିବା ବେଳେ ବୈଜୟନ୍ତଙ୍କ ଆମଦାନୀ ଥିଓରି ସେହି ବିବାଦର ନିଆଁରେ ଝୁଣା ପକାଇଲା ଭଳି ହୋଇଛି । ଦୀର୍ଘ ୪ ବର୍ଷ ଧରି ଧର୍ମେନ୍ଦ୍ର ଦଳୀୟ ସଂଗଠନକୁ ସବଳ କରିବା ପାଇଁ ଉଦ୍ୟମ କଲାବେଳେ ବିଜେଡ଼ି ଓ କଂଗ୍ରେସର କିଛି ନେତାଙ୍କୁ ଆମଦାନୀ କରିଥିଲେ । ଯାହା ଦଳ ପାଇଁ ବୁମେରାଂ ହୋଇଛି । ଆମଦାନୀ ନେତାଙ୍କ ପ୍ରଭୁତ୍ୱ ଜାହିରକୁ ପୁରୁଣା ନେତା ଓ କର୍ମୀ ଗ୍ରହଣ କରିପାରିନାହାନ୍ତି । ଅନେକ ଜିଲ୍ଲାରେ ଏହି ବାଦ ବିବାଦ ଥିଲା ବେଳେ ଏବେ ବୈଜୟନ୍ତଙ୍କ ନେତୃତ୍ୱରେ ତ୍ୱରିତ ଅଭିଯାନ ଅଧିକ ସଙ୍କଟ ଡାକିଆଣିଛି । ବିଜେପିର ଦୀର୍ଘ ଦିନର ଆଶାୟୀମାନଙ୍କ ଜାଗାରେ ବିଜେଡ଼ି ଆମଦାନୀ ନେତାଙ୍କୁ ଟିକେଟ ଦେବା ଭୀଷଣ ମହଙ୍ଗା ପଡ଼ିବ ବୋଲି ସେମାନେ କହିଛନ୍ତି ।