ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିପାରନ୍ତି ବିଜେପି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶ୍ଚିମ ଓଡ଼ିଶାର ଜନସାଧାରଣ ତାଙ୍କୁ ସେଥିପାଇଁ ଅନୁରୋଧ କରିଛନ୍ତି ଏବଂ ସେମାନଙ୍କ ଅନୁରୋଧକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ବିଚାର କରୁଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନିଜେ ଏହି ସୂଚନା ଦେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ସାଧାରଣରେ ଉତ୍କଣ୍ଠା ବଢ଼ିଯାଇଛି । ମୁଖ୍ୟମନ୍ତ୍ରୀ ଯଦି ପଶ୍ଚିମ ଓଡ଼ିଶାରୁ ଲଢ଼ନ୍ତି ତେବେ କେଉଁ ଆସନରୁ ଲଢ଼ିବେ? ହିଞ୍ଜିଳିକାଟୁ ଛାଡ଼ିବେ ନା ଛାଡ଼ିବେନି? ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ପଛରେ ବାଧ୍ୟବାଧକତା ନା ଆଉ କିଛି ଚାଲ୍? ଏସବୁ ଜାଣିବା ପାଇଁ ସମସ୍ତେ ବ୍ୟଗ୍ର ।
ପଶ୍ଚିମ ଓଡ଼ିଶାରୁ ଲଢ଼ିବାକୁ ଗୁରୁତ୍ୱର ସହ ଚିନ୍ତା କରୁଥିବା ନେଇ ମୁଖ୍ୟମନ୍ତ୍ରୀ ମନଖୋଲି କହିବା ପରେ ପଶ୍ଚିମ ଓଡ଼ିଶା ରାଜନୀତି ନୂଆ ସମୀକରଣ ଆଡକୁ ଗତି କରିଛି । ମୁଖ୍ୟମନ୍ତ୍ରୀ ଯଦି ନିଷ୍ପତ୍ତି ନିଅନ୍ତି ତେବେ କେଉଁ ଆସନରୁ ଲଢ଼ିବେ ତାହାର ଅଙ୍କକଷା ହେଲାଣି । ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ପରିପ୍ରେକ୍ଷୀରେ ବିରୋଧୀ ଶିବିରର ରଣକୌଶଳ ବି ବଦଳିବାକୁ ବସିଲାଣି । ବିଜେଡ଼ି ମହଲର ଚର୍ଚ୍ଚା କହୁଛି, ପଶ୍ଚିମ ଓଡ଼ିଶାରେ ୯ଟି ଜିଲ୍ଲା ମଧ୍ୟରୁ ମୁଖ୍ୟମନ୍ତ୍ରୀ ଯେଉଁଠି ଚାହିଁବେ ଲଢ଼ିପାରିବେ ସେଥିରେ କୌଣସି ଅସୁବିଧା ନାହିଁ । ତେବେ ବରଗଡ଼ ଆସନରୁ ଲଢ଼ିବାକୁ ସେ ଅଧିକ ପସନ୍ଦ କରିପାରନ୍ତି । ଦେବେଶ ଆଚାର୍ଯ୍ୟଙ୍କୁ ଅନ୍ୟତ୍ର ପଠାଇବାରେ ଅସୁବିଧା ନାହିଁ । ତେବେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କ’ଣ ତାହାର ଟେର୍ ପାଇବା କଷ୍ଟକର ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ପଶ୍ଚିମ ଓଡ଼ିଶାର ବିଜେଡ଼ି ମହଲରେ ଖୁସି ଖେଳିଯାଇଛି । କର୍ମୀମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ସତରେ ପଶ୍ଚିମ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ ବୋଲି ଉତ୍ସାହିତ କର୍ମୀମାନେ ବିଶ୍ୱାସ କରିପାରୁନାହାନ୍ତି । ଦଳର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂହଦେଓ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଆଗମନକୁ ସ୍ୱାଗତ କରିଛନ୍ତି । ପଶ୍ଚିମ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ଓ ତାଙ୍କର କାର୍ଯ୍ୟକୁ ଗଭୀର ଭାବରେ ଭଲ ପାଆନ୍ତି । ମୁଖ୍ୟମନ୍ତ୍ରୀ ସେହି ଅଞ୍ଚଳରୁ ପ୍ରତିନିଧିତ୍ୱ କଲେ ଲୋକଙ୍କ ଭଲପାଇବାର ପ୍ରତିଦାନ ହେବ ବୋଲି ସେମାନେ କହିଛନ୍ତି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏବେକାର ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁରେ ମଧ୍ୟ ପ୍ରବଳ ଚର୍ଚ୍ଚା । କ୍ରମାଗତ ଚତୁର୍ଥ ଥର ପାଇଁ ହିଞ୍ଜିଳିବାସୀ ନବୀନଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ପରେ ଏବେ ପଞ୍ଚମପାଳିକୁ ଅପେକ୍ଷା କରିଛନ୍ତି । ନବୀନଙ୍କ ପ୍ରତି ହିଞ୍ଜିଳିବାସୀଙ୍କର ପ୍ରବଳ ଭଲ ପାଇବା ଅଛି ଏବଂ ସେ ହିଁ ଏଠାକାର ପ୍ରତିନିଧି ବୋଲି ମାନସିକସ୍ତରରେ ପ୍ରସ୍ତୁତି ହୋଇସାରିଛନ୍ତି । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରୁ ଲଢ଼ିଲେ ବି ହିଞ୍ଜିଳି ଛାଡ଼ିବେ ନାହିଁ ବୋଲି ହିଞ୍ଜିଳି ବିଜେଡ଼ି କର୍ମୀମାନେ ବିଶ୍ୱାସ ରଖିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କ’ଣ ନିଷ୍ପତ୍ତି ନେଉଛନ୍ତି ତାହାକୁ ଏବେ ସମସ୍ତଙ୍କ ଅପେକ୍ଷା ।