ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଭୁବନେଶ୍ୱର ଆସି କହିଛନ୍ତି ଟଙ୍କିକିଆ ଚାଉଳ ନବୀନଙ୍କ ନୁହେଁ, ମୋଦିଙ୍କର । ଜାଭେଡ଼କରଙ୍କ ଏହି ମନ୍ତବ୍ୟ ଉପରେ ରାଜ୍ୟ ବିଜେପି ନେତାମାନଙ୍କ ଛାତି ଆହୁରି କୁଣ୍ଢେମୋଟ ହୋଇଛି । ସତେ ଯେମିତି ମୋଦି ତାଙ୍କ ତାଙ୍କ ନିଜ ପକେଟରୁ ଓଡ଼ିଆ ଲୋକଙ୍କ ପେଟକୁ ଟଙ୍କିକିଆ ଚାଉଳ ଦେଉଛନ୍ତି । ଗଣମାଧ୍ୟମରେ ଏହା ଉପରେ ସଜ ବିତର୍କ କରି ଓଡ଼ିଆଙ୍କୁ ପୁଣି ଭକୁଆ ବନେଇବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଆଦୌ ପ୍ରାସଙ୍ଗିକତା ରଖୁ ନ ଥିବା ଚାଉଳ ପ୍ରସଙ୍ଗକୁ ଆଣି ରାଜନୈତିକ ହଟଚମଟ ସୃଷ୍ଟି କରୁଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ପାଟିରେ ଏଭଳି ଅପ୍ରାସଙ୍ଗିକ କଥା ଉଠାଇ ବିଜେପି ଲୋକଙ୍କ ମନରେ ଅଯଥା ଭ୍ରମ ସୃଷ୍ଟି କରୁଛି ବୋଲି ରାଜନୈତିକ ମହଲ ବିଚାର କରୁଛନ୍ତି ।
ଟଙ୍କିକିଆ ଚାଉଳରେ ବିଜେପି ପାଖରେ ନୂଆ ଗଣିତ ନାହିଁ । ସେହି ପୁରୁଣା ପାଠ ଘୋଷି ଘୋଷି ସେମାନେ ଥକି ସାରିଛନ୍ତି । ବଡ଼ ବଡ଼ ବ୍ୟାନର, ହୋଡିଂ ଜରିଆରେ ଲୋକଙ୍କୁ ଟଙ୍କିକିଆ ଚାଉଳ ପାଠ ପଢ଼ାଇ ସାରିଛନ୍ତି । ଫଳ କ’ଣ ହୋଇଛି ସେମାନେ ଜାଣିଛନ୍ତି । ହେଲେ ହଠାତ୍ ଏହାର ପୁଣି କି ଆବଶ୍ୟକତା ପଡ଼ିଲା ? ଜାଭଡ଼େକରଙ୍କ ପାଟିରୁ ଅଦିନ ମେଘ ପରି ଏହି ପ୍ରସଙ୍ଗ କାହିଁକ ଖସିଲା ? ଯଦି ଉଠାଇଲେ ତାଙ୍କର ହିତାହିତ ଜ୍ଞାନକୁ ଭୁଲିଗଲେ କେମିତି ? ଏକଥା ସମସ୍ତଙ୍କୁ ଜଣା, ଓଡ଼ିଶା ଲୋକେ ଆଜି ନୁହେଁ ୨୦୦୮ ମସିହାରୁ ପ୍ରଥମେ ଦି ଟଙ୍କାରେ ଚାଉଳ ପାଇଥିଲେ । ପରେ ଟଙ୍କାକରେ ପାଇଲେ । ସେଥିରେ କେନ୍ଦ୍ର-ରାଜ୍ୟର ଭାଗିଦାର କଥାକୁ କେହି ଅସ୍ୱୀକାର କରୁନାହାନ୍ତି । କିନ୍ତୁ ତାହା ଏକ୍ସକ୍ଲୁସିଭିଲି ମୋଦିଙ୍କ ଚାଉଳ କିଭଳି ହେଲା ତାହା ଜମାରୁ ବୁଝିହେଉନି । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ କେହି କେହି ବାଚାଳାମୀ କହୁଥିଲା ବେଳେ ରାଜନୀତି ପଣ୍ଡିତମାନେ ବିଜେପିର ଏହା ଅହଂକାର ଓ ଶସ୍ତା ରାଜନୀତି ବୋଲି କହିଛନ୍ତି ।
ଅର୍ଥନୀତି ଓ ବିମୁଦ୍ରାକରଣ ମାଡରେ ନିଜ ଦଳରୁ ଘାଇଲା ହୋଇଥିବା ମୋଦି ଟିମ୍ ର ବାଚାଳାମୀକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଓଡ଼ିଶା ପରିପ୍ରେକ୍ଷୀରେ, ଶୂନ୍ୟରୁ ତୋଳିଲା ଭଳି ବିଜେପି ନେତା ଓ ତାଙ୍କ କେନ୍ଦ୍ରମନ୍ତ୍ରୀମାନଙ୍କର ଆଚରଣ ଓ ଉଚ୍ଚାରଣ ଲୋକଙ୍କ ସମର୍ଥନ/ସହାନୁଭୂତି ବଦଳରେ କ୍ରୋଧ ଓ ବିରକ୍ତି ଆଣିଛି । ବାସ୍ତବ ଇସ୍ୟୁ ଛାଡ଼ି ନିଜ ଜାଗିରି ସମ୍ପତ୍ତି ଭଳି ସେମାନଙ୍କର ତୋଡ଼କୁ ଲୋକେ ଗ୍ରହଣ କରିନାହାନ୍ତି । ମାସକୁ ଗଣ୍ଡେ ଲେଖାଏଁ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସି ଏମିତିକା ବିଭ୍ରାନ୍ତିକର କଥା କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଏବଂ ନିଜ ସପକ୍ଷରେ ଭୋଟ ହାତେଇବାକୁ ଉଦ୍ୟମ କରୁଛନ୍ତି । ମିସନ୍ ୧୨୦ ପ୍ଲସ୍ ର ଏହା ଏକ ଷ୍ଟ୍ରାଟେଜି କି ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଏମିତି ଢ଼ଙ୍ଗରେ ବିଜେପି ପ୍ରଚାର କଲେ ଲୋକଙ୍କ ଆଦର ନୁହେଁ, ବରଂ ଲୋକଙ୍କ ପାହାର ଖାଇବେ ବୋଲି ଦଳର ଜଣେ ବରିଷ୍ଠ ଅସନ୍ତୁଷ୍ଟ ନେତା କହିଛନ୍ତି ।