ଭୁବନେଶ୍ୱର: ପ୍ରଣବ ପ୍ରକାଶ(ବବି) ଦାସଙ୍କ ଔଦ୍ଧତାମୀକୁ ନେଇ ବିଜେଡ଼ି ମହଲରେ ଅସନ୍ତୋଷର ନିଆଁ ଜଳୁଛି । ତୃତୀୟ ମହଲାର ଆର୍ଶିବାଦରେ ବଳୀୟାନ୍ ବବି ମନ୍ତ୍ରୀପଦ ହରାଇଲା ପରେ କ୍ଷମତା ହରାଇନାହାନ୍ତି କି ପୂର୍ବଭଳି ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି । କ୍ଷମତାର ଗର୍ବ ତାଙ୍କୁ ଏମିତି ଅହଂକାରୀ କରିଛି ଯେ ଦଳର ବରିଷ୍ଠ ନେତାମାନଙ୍କୁ ନିଜ ପାଦତଳ ଲୋକ ଭଳି ବ୍ୟବହାର କରୁଛନ୍ତି । କାହାରିକୁ କାର୍ଟୁନ୍ ତ ଆଉ କାହାକୁ କଟାକ୍ଷ କରିବାର ଗଦା ଗଦା ଅଭିଯୋଗ ତାଙ୍କ ନାଁରେ । ତାଙ୍କର ଏକଚାଟିଆ ହାକିମାତି ଦଳୀୟ ନେତାଙ୍କୁ ଅସ୍ତବ୍ୟସ୍ତ କରିଥିବା ବେଳେ ସମଗ୍ର ଦଳକୁ କ୍ଷତାକ୍ତ କରିବା ଆରମ୍ଭ କରିଛି । ‘ବବିଙ୍କ କାରନାମାକୁ ସାଧାରଣ ଭାବିବା ଠିକ୍ ନୁହେଁ । ସାଧାରଣ ନିର୍ବାଚନ ବେଳକୁ ବିଜେଡ଼ି ପାଇଁ ଏହା ବଡ଼ କଣ୍ଟା ହୋଇ ଛିଡ଼ାହେବ’ ବୋଲି ଦଳର ଜଣେ ବରିଷ୍ଠ ନେତା ସତର୍କ କରାଇଛନ୍ତି । ତାଙ୍କ ମତରେ ଅନଭିଜ୍ଞ ବବିଙ୍କ ଗର୍ବ ଓ ଅହଂକାର ଆମ ଭଳି ବରିଷ୍ଠ ନେତାଙ୍କୁ ଆଘାତ ଦେଉଛି । ଆଜିକାଲି ସେ ଆମକୁ ନିର୍ଦ୍ଦେଶ ଦେଉଛନ୍ତି, ରାଜନୀତିର ପାଠ ଶିଖାଉଛନ୍ତି । ଏକଥା ନିଜେ ଭାବିଲା ବେଳକୁ ଲାଜ ଲାଗୁଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।
ବବିଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ ନୂଆ ନ ହେଲେ ମଧ୍ୟ ବିଜେପୁର ଉପନିର୍ବାଚନ ମାମଲତି ତାଙ୍କୁ ଅଧିକ ବିବାଦୀୟ କରିଛି । ସୁଶାନ୍ତ ସିଂଙ୍କୁ ଧରି ସେ ବିଜେପୁରରେ କୁଆଡେ ମାମଲତକାର୍ ସାଜିଛନ୍ତି । ବିଜେପୁରକୁ ଯୋଡି ପଶ୍ଚିମ ଓଡ଼ିଶାରେ ଜବରଦସ୍ତ କ୍ଷମତା ବିସ୍ତାର କରୁଛନ୍ତି । ‘ପଶ୍ଚିମ ଓଡ଼ିଶାର ମୁଖ୍ୟମନ୍ତ୍ରୀ’ ନାଁ ରେ ସେଠାକାର ନେତାମାନେ ତାଙ୍କୁ ଆକ୍ଷେପ କଲେଣି । ଅସନ୍ତୁଷ୍ଟ ବିଜେଡ଼ି ନେତା ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ଭୁବନେଶ୍ୱର ଡକାଯାଇ ମାନଭଂଜନ କରିବାରେ ନିଜର ବାହାଦୁରି ପ୍ରଚାର କରୁଥିଲେ ମଧ୍ୟ ଅସଲରେ ସେୟା ନୁହେଁ ବୋଲି ଦଳୀୟ ଶିବିରରୁ ଜଣାପଡ଼ିଛି । ପ୍ରଭାତଙ୍କୁ ଧରି ନବୀନଙ୍କ ପାଖକୁ ଯିବାକୁ ଚାହିଁଥିଲେ ମଧ୍ୟ ତାଙ୍କର ଆଚାର ବ୍ୟବହାରରେ ଓଲଟି ପ୍ରଭାତ କ୍ଷୁବ୍ଧ ହୋଇପଡ଼ିଥିଲେ । ବବି ହସ୍ତକ୍ଷେପ କଲେ ସେ ନିଜ ଜିଦ୍ ରୁ ହଟିବେ ନାହିଁ ବୋଲି ଜଣାଇ ଦେଇଥିଲେ । ଶେଷ ମୁହୁର୍ତ୍ତରେ ସଂଜୟ ଦାସବର୍ମା ଏହି ଘଟଣାରେ ହସ୍ତକ୍ଷେପ କରିଥିଲେ । ଆଉ ସଂଜୟଙ୍କ କଥାରେ ରାଜି ହୋଇଥିଲେ ପ୍ରଭାତ । ବବିଙ୍କୁ ଏହି ଘଟଣାରେ ନ ପୂରାଇବାକୁ ସେ ସର୍ତ୍ତ ରଖିଥିଲେ ବୋଲି ବିଜେଡ଼ି ମହଲରୁ ଜଣାପଡ଼ିଛି । ଶେଷରେ ସେୟା ହିଁ ହେଲା ।
ବିଜେଡ଼ି ଉପରମହଲର ଚର୍ଚ୍ଚା ଅନୁଯାୟୀ, ବିଜେପୁର ଉପନିର୍ବାଚନରେ ଦଳର ପରିଚାଳନା ଦାୟିତ୍ୱ ବବିଙ୍କୁ ଦିଆଗଲେ ଏହା ନିଶ୍ଚିତ ଭାରି ପଡ଼ିବ । ବୁମେରାଂ ବି ହୋଇପାରେ । ସେଠାରେ ପ୍ରସନ୍ନ ଆଚାର୍ଯ୍ୟ ବା ଅନ୍ୟ ଦକ୍ଷ ନେତାଙ୍କୁ ଦାୟିତ୍ୱ ଦେବାକୁ ସେମାନେ ମତ ଦେଇଛନ୍ତି । ଗତକାଲି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ମଧ୍ୟ ଖୋଲାଖୋଲି ଏହା କହିସାରିଛନ୍ତି । ପ୍ରସନ୍ନଙ୍କ ନାଁ କହି ଦାମ ପରୋକ୍ଷରେ ବବିଙ୍କ ପ୍ରାର୍ଦୁଭାବରେ ଚେକ୍ ଲଗାଇବାକୁ ଚାହିଁଛନ୍ତି । ଦାମ ଠିକ୍ ଜାଣିଛନ୍ତି ବିଜେପୁରର ରାଜନୈତିକ ସ୍ଥିତି କ’ଣ । ବବି-ସୁଶାନ୍ତଙ୍କ ଭଳି ଅନଭିଜ୍ଞ ନେତା ସେଠାରେ ଫଡ଼ଫଡ଼ ହେଲେ ବିଜେପିକୁ ଜିତିବା ସହଜ ହୋଇଯିବ ବୋଲି ସେ ବୋଧହୁଏ ଅନୁମାନ କରିଛନ୍ତି ।
ଖାଲି ବିଜେପୁର କଥା ନୁହେଁ, ଦଳକୁ ଭାଙ୍ଗୁଆର କରିବାରେ ବବିଙ୍କୁ ଖଳନାୟକର ଆଖ୍ୟା ଦେଇଛନ୍ତି ଦଳର ବହୁ ବରିଷ୍ଠ ନେତା । ମୁଖ୍ୟମନ୍ତ୍ରୀ ତାଙ୍କୁ କାହିଁକି ପ୍ରାଧାନ୍ୟ ଦେଉଛନ୍ତି ତାହା ସେମାନେ ବୁଝିପାରୁନାହାନ୍ତି । ତାଙ୍କର ବୟସ ଅଛି । ଖଟିବାର ଇଚ୍ଛାଶକ୍ତି ଅଛି । ହେଲେ ତାହା ଦଳର ହିତ ପାଇଁ ନ କରି ନିଜର ପ୍ରାଧାନ୍ୟ ବଢ଼ାଇବାରେ ଉପଯୋଗ କରୁଥିବା ସେମାନେ ଦର୍ଶାଇଛନ୍ତି । ଦଳକୁ ସଂଗଠିତ କରି ଆଗକୁ ବଢ଼ାଇବା ବଦଳରେ ପ୍ରତିଦ୍ୱନ୍ଦୀଙ୍କୁ ଫଟାଇ ହୀନ ରାଜନୀତିରେ ବବି ବୁଡ଼ି ରହିଥିବା ସେମାନଙ୍କର ଅନୁଭବ । ଜଣେ ବରିଷ୍ଠ ନେତାଙ୍କ ମତରେ, ବବି ସମସ୍ତଙ୍କ ସାଙ୍ଗେ ଉପରେ ଭଲ କଥାବାର୍ତ୍ତା । ହେଲେ ପଛରେ ଚୁଗୁଲି ଓ ଚେରକଟା ନୀତିରେ ମାହିର । ବାପା ଅଶୋକ ଦାସଙ୍କ ନିର୍ଭିକ ଓ ସ୍ପଷ୍ଟବାଦିତା ଗୁଣର ସେ ଠିକ୍ ଓଲଟା ବୋଲି ଏହି ବରିଷ୍ଠ ନେତା କ୍ଷୋଭର ସହ କହିଛନ୍ତି । ଏହା ବିଜେଡ଼ିକୁ ମହଙ୍ଗା ପଡ଼ିବ ବୋଲି ସେ କହିଛନ୍ତି ।