ଭୁବନେଶ୍ୱର: ପ୍ରତୀକ୍ଷାର ଅନ୍ତ ଘଟିଲା । ପାଟକୁରା ବିଧାନସଭା ଆସନ ପାଇଁ ଆସନ୍ତା ୨୦ ତାରିଖରେ ହେବ ନିର୍ବାଚନ । ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ଏହି ତାରିଖ ଘୋଷଣା କରାଯାଇଛି । କାର୍ଯ୍ୟସୂଚୀ ଅନୁଯାୟୀ, ଜୁଲାଇ ୨୦ ତାରିଖରେ ନିର୍ବାଚନ ହୋଇ ୨୪ ତାରିଖରେ ଭୋଟଗଣତି ହେବ । ୨୬ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ପାଟକୁରା ନିର୍ବାଚନ ବିଜ୍ଞପ୍ତି ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।
ଏପ୍ରିଲ୍ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପାଟକୁରା ନିର୍ବାଚନ ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲ୍ ଙ୍କ ମୃତ୍ୟୁ ଯୋଗୁଁ ସ୍ଥଗିତ ରହିଥିଲା । ମେ ୧୯ ତାରିଖରେ ନିର୍ବାଚନ ପାଇଁ କମିଶନ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଥିଲେ । ତେବେ ମେ ୩ ତାରିଖ ଫନି ବାତ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହୋଇଥିବାରୁ ନିର୍ବାଚନ କମିଶନ ପାଟକୁରା ନିର୍ବାଚନକୁ ପୁଣି ସ୍ଥଗିତ ଘୋଷଣା କରିଥିଲେ । ଦୁଇମାସ ଭିତରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି କୁହାଯାଇଥିଲା । ଆଜି ବିଳମ୍ବରେ କମିଶନ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ।
ପାଟକୁରାରେ ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡ଼ିରୁ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲ୍ ଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ୍ ପ୍ରାର୍ଥୀ ହୋଇଛନ୍ତି । ବିଜେଡ଼ି ପାଇଁ ଏହି ଆସନଟି ଅତ୍ୟନ୍ତ ସମ୍ମାନଜନକ ଓ ଚାଲେଜିଂ ହୋଇଥିବା ବେଳେ ବିଜୟ ମହାପାତ୍ର ନିଜ ରାଜନୈତିକ ଜୀବନର ଶେଷ ଭାଗ୍ୟ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ନିର୍ବାଚନୀ ପ୍ରସ୍ତୁତିରେ ବିଜେଡ଼ି ବହୁ ଆଗରେ ଏବଂ ବିଜେପି ବହୁ ପଛରେ ରହିଛି । ଅପରାଜିତାଙ୍କୁ ଥରୁଟିଏ ପାଟକୁରାରେ ଦେଖିବାକୁ ମିଳିଥିଲା ବେଳେ ବିଜେପିର ଅନ୍ୟ ବଡ଼ ବଡ଼ିଆ ନେତାଙ୍କୁ ଏ ପର୍ଯ୍ୟନ୍ତ ଦେଖିବାକୁ ମିଳୁନି । ବିଜୟ ମହାପାତ୍ର ନିଜର ଶକ୍ତି ଏବଂ ଅଞ୍ଚଳବାସୀଙ୍କ ସହାନୁଭୂତିକୁ ଧରି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ।