ଭୁବନେଶ୍ୱର: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନ ଫଳାଫଳ ଓଡ଼ିଶାରେ କଂଗ୍ରେସ ମୁଖିଆଙ୍କ ଜୋସ୍ ବଢ଼େଇ ଦେଇଛି । ଆସନ୍ତା ନିର୍ବାଚନରେ ରାଜ୍ୟରେ ତାଙ୍କ ଦଳ ସରକାର ଗଢ଼ିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଶା ବାନ୍ଧିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ କହିଛନ୍ତି, ଉକ୍ତ ନିର୍ବାଚନ ଫଳାଫଳ ପ୍ରମାଣିତ କରୁଛି ଯେ ଚାଷୀ ଏବଂ ଚାଷର ସମସ୍ୟାକୁ ନେଇ ସମ୍ବେଦନହୀନ ରାଜନୈତିକ ଦଳ ଏବଂ ସେମାନଙ୍କ ସରକାର ଆଗାମୀ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିବା ସୁନିଶ୍ଚିତ । ଓଡ଼ିଶାରେ ବିଜେଡ଼ି ସରକାର ଚାଷୀଙ୍କ ସମସ୍ୟା ଉପରେ ଉଦାସୀନ ଥିବାରୁ ନିର୍ବାଚନରେ ଲୋକେ ତାଙ୍କୁ ପ୍ରତ୍ୟାଖାନ କରିବେ ଆଉ କଂଗ୍ରେସକୁ ଭୋଟ ଦେବେ ବୋଲି ନିରଞ୍ଜନ ଅବଗଣନା କରିଛନ୍ତି ।
ଓଡିଶାରେ ଚାଷୀଙ୍କ ସମସ୍ୟା ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଥିଲେ, ଏଠାରେ ଚାଷୀଙ୍କ ସମସ୍ୟା କିଛି କମ ନୁହେଁ । ଏଠାକାର ଚାଷୀମାନେ ଗୁରୁତର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ବାରମ୍ବାର ଚାଷୀ ଆତ୍ମହତ୍ୟା ଭଳି ଘଟଣା ଘଟୁଛି । ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ଚାଷୀଙ୍କୁ ସୌରଚାଳିତ ପମ୍ପସେଟ୍ ପ୍ରଦାନ ସହିତ ସେମାନଙ୍କୁ ୫ ବର୍ଷ ପାଇଁ ଲଗାତର ଭାବେ ଆର୍ଥିକ ସହାୟତା ପ୍ରଦାନ କରିବ । ଓଡ଼ିଶାରେ କଂଗ୍ରେସ ସିଧାସଳଖ ବିଜେଡି ସହିତ ଲଢେଇ କରିବ ବୋଲି ନିରଞ୍ଜନ କହିଥିଲେ । ରାଜ୍ୟରେ ବିଜେଡି ଓ ବିଜେପି ଓଡିଶାର ଚାଷୀଭାଇମାନଙ୍କ ସ୍ୱାର୍ଥ ରକ୍ଷା କରିବାରେ ସଂପୂର୍ଣ୍ଣ ଅସମର୍ଥ ବୋଲି କହିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧିଦଳ ନେତା ଶ୍ରୀ ନରସିଂହ ମିଶ୍ର କହିଥିଲେ ଯେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ସ୍ପଷ୍ଟ ହୋଇଛି ଯେ ଏବେ ବି ଭାରତରେ ଗଣତନ୍ତ୍ର ବଂଚିଛି ଓ ଫାଶୀବାଦର ଏଠାରେ ସ୍ଥାନ ନାହିଁ । କଂଗ୍ରେସମୁକ୍ତ ଭାରତର ସ୍ୱପ୍ନ ଦେଖୁଥିବା ବିଜେପି ଆଜି ବିଜେପିମୁକ୍ତ ଭାରତ ଆଡକୁ ଅଗ୍ରସର ହେଉଛି । ଏହି ନିର୍ବାଚନ ଫଳାଫଳ ଆଗାମୀ ଦିନରେ ଓଡିଶା ରାଜନୀତିକୁ ଗଭୀର ଭାବେ ପ୍ରଭାବିତ କରିବ । ଓଡିଶାର ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି ଯେ ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଚାଷୀ ଏବଂ ଚାଷର ସମସ୍ୟା ନେଇ ଗଭୀର ଭାବେ ପ୍ରଭାବିତ ହୋଇଛି । ଯଦି ଏକଥା ସତ୍ୟ, ତାହେଲେ ରାଜ୍ୟ ସରକାରଙ୍କର ଚାଷୀମାରଣ ନୀତି ଆଗାମୀ ଦିନରେ ଓଡିଶାରେ ସରକାର ପରିବର୍ତନରେ ବାର୍ତାବହ ହେବ ।
କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ କହିଥିଲେ ଯେ ହିନ୍ଦୀ, ହିନ୍ଦୁ ଏବଂ ହିନ୍ଦୁସ୍ଥାନ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ହିନ୍ଦୁ ଭୋଟକୁ ପୁଞ୍ଜି କରି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେପି ଯେଉଁ ଯୋଜନା କରିଥିଲା, ତାକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଏଥିରୁ ବିଜେପିକୁ ଶିକ୍ଷାଲାଭ କରିବା ଉଚିତ୍ । ଯୁବଶକ୍ତିକୁ ରୋଜଗାର, ମହିଳାଙ୍କ ସୁରକ୍ଷା ଏବଂ ବିକାଶ ଆଗାମୀ ନିର୍ବାଚନରେ କଂଗ୍ରେସର ପ୍ରମୁଖ ମୁଦ୍ଦା ହେବ ବୋଲି ଶ୍ରୀ ନାୟକ କହିଥିଲେ ।