ଭୁବନେଶ୍ୱର: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ ପୁଣି ଏକ ବାଣ ଛାଡ଼ିଛନ୍ତି । ବୈଜୟନ୍ତ ‘ଜୟ’ ପଣ୍ଡାଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଓ କଳାଟଙ୍କା ଉପରେ ସେ ଆଣିଥିବା ଅଭିଯୋଗ ଉପରେ ତଦନ୍ତ କରିବାକୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଓ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏସଆଇଟିକୁ ଚିଠି ଲେଖିଛନ୍ତି । ଜୟ ପଣ୍ଡାଙ୍କ ସମେତ ରମଣ ସିଂ ଓ ପି.ଚିଦାମ୍ବରମ୍ ଙ୍କ କଳାଟଙ୍କାର ତଦନ୍ତ ପାଇଁ ମଧ୍ୟ ସେଥିରେ ସେ ଅନୁରୋଧ କରିଛନ୍ତି । ଖାଲି ସେତିକି ନୁହେଁ, ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କୁ ଏ ମର୍ମରେ ଚିଠି ଲେଖିଛନ୍ତି ଯୋଗୀ ।
ଗତ ୨୪ ତାରିଖରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଯୋଗୀ ଲେଖିଥିବା ଚିଠିରେ ଗତ ଅଗଷ୍ଟ ୨ ତାରିଖରେ କରିଥିବା ସାମ୍ବାଦିକ ସମ୍ମିଳନୀର ବିଷୟବସ୍ତୁ ଉଲ୍ଲେଖ କରିଛନ୍ତି । ସେଥିରେ ସେ ଲେଖିଛନ୍ତି, ଚିଦାମ୍ବରମ୍ ଅର୍ଥମନ୍ତ୍ରୀ ଥିବା ବେଳେ ଜୟ ପଣ୍ଡାଙ୍କ ମାଲିକାନାରେ ଥିବା ସଂସ୍ଥାକୁ ଫରେନ୍ ଇନଭେଷ୍ଟମେଣ୍ଟ ପ୍ରମୋସନ୍ ବୋର୍ଡ(ଏଫଆଇପିବି)ର ଅନୁମତିରେ ଅନୁଗ୍ରହ ଦିଆଯାଇଛି । ‘ଜୟ’ ଙ୍କ ମାଲିକାନାରେ ଥିବା ‘ଇମଫା’ କମ୍ପାନୀରେ ଚିଦାମ୍ବରମ୍ ଙ୍କ ପତ୍ନୀ ନଳିନୀ ସେୟାର ହୋଲଡର ଅଛନ୍ତି । ଖୋଦ୍ ଜୟ ପଣ୍ଡା ଏହାକୁ ସ୍ୱୀକାର କରିଛନ୍ତି ଏବଂ ‘ଇମଫା’ରେ ନଳିନୀଙ୍କର୧୦ ଟି ସେୟାର ରହିଥିବା କହିଛନ୍ତି । ମୁଖ୍ୟ ନିର୍ବାଚନ କମିଶନଙ୍କୁ ଯୋଗୀ ଏହା ଅବଗତ କରାଇ ଚିଦାମ୍ବରମ୍ ଙ୍କ ନିର୍ବାଚନୀ ସତ୍ୟପାଠ ଉପରେ ପ୍ରଶ୍ନ ଲଗାଇଛନ୍ତି । ଲଗାତର ତିନିଟି ନିର୍ବାଚନୀ ସତ୍ୟପାଠରେ ଚିଦାମ୍ବରମ୍ ‘ଇମଫା’ ରେ ନିଜ ପତ୍ନୀଙ୍କ ସେୟାର କଥା ଉଲ୍ଲେଖ କରିନାହାନ୍ତି ବୋଲି ଦର୍ଶାଇଛନ୍ତି । ଏହା ରିପ୍ରେଜେଣ୍ଟସନ୍ ଅଫ ପିପୁଲସ୍ ଆକ୍ଟ ୧୯୫୧ର ଉଲ୍ଲଂଘନ କରୁଥିବା ସେ କହିଛନ୍ତି । ଶହ ଶହ କୋଟି ଟଙ୍କାର ସମ୍ପତ୍ତି ଓ ସେୟାର ହୋଲଡରର ମାଲିକ ଚିଦାମ୍ବରମ୍ ଜୟ ପଣ୍ଡାଙ୍କ କମ୍ପାନୀରେ ପତ୍ନୀଙ୍କ ସେୟାର୍ ଲୁଚାଇବାକୁ ନେଇ ଯୋଗୀ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ।
ଚିଦାମ୍ବରମ୍ ନିଜ ସତ୍ୟପାଠରେ ଏହି ତଥ୍ୟ ଲୁଚାଇଥିବାରୁ ତାହା ଉପରେ ତଦନ୍ତ କରାଯାଇ ତାଙ୍କ ରାଜ୍ୟସଭା ସଭ୍ୟ ପଦ ଅସିଦ୍ଧ ଘୋଷଣା କରିବାକୁ ସେ ନିର୍ବାଚନ କମିଶନଙ୍କ ପାଖରେ ଦାବି ରଖିଛନ୍ତି । ମିଥ୍ୟା ସତ୍ୟପାଠ ଓ ସାଂସଦଙ୍କ ବ୍ୟବସାୟିକ ଅସାଧୁ ମେଣ୍ଟ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଯୋଗୀ ଦାବି କରିଛନ୍ତି ।