ନୂଆଦିଲ୍ଲୀ: ଏକ ବେନାମୀ ଚିଠି ହିଁ ବାବା ରାମ ରହିମ୍ ଙ୍କ କଳଙ୍କିତ ଓ ଅପରାଧିକ ସାମ୍ରାଜ୍ୟକୁ ଧ୍ୱଂସ କରିଦେଇଛି । ଯାହା ଏବେ ଗଣମାଧ୍ୟମ ଖବରର ଶିରୋନାମାରେ । ତେବେ ୧୫ ବର୍ଷ ତଳେ ଏହି ବେନାମୀ ଚିଠିରେ ରାତାରାତି ବାବା ରାମ୍ ରହିମ୍ ଖବରର ଶିରୋନାମା ହୋଇ ନ ଥିଲେ । ହାଇକୋର୍ଟ ଏହି ବେନାମୀ ଚିଠିକୁ ବିଚାରକୁ ନେଲା ପରେ ଯାଇ ବାବା ପାଲଟିଥିଲେ ଖବରର ଶିରୋନାମା । ଆସନ୍ତୁ ଜାଣିବା କେମିତି ଥିଲା ଏହି ଘଟଣାକ୍ରମ ।
ପଞ୍ଚକୂଲା ସ୍ଥିତ ଡେରା ଆଶ୍ରମରେ ବାବା ରାମ୍ ରହିମ୍ ମହିଳା ଅନୁଗାମୀଙ୍କ ସହ ଦୁଷ୍କର୍ମ କରୁଛନ୍ତି । ବାବାଙ୍କ ଭକ୍ତ ପାଲଟି ଆଶ୍ରମରେ ରହୁଥିବା ଜଣେ ମହିଳାଙ୍କ ଏହା ଥିଲା ଅଙ୍ଗେଲିଭା ଅଭିଯୋଗ । ପଞ୍ଜାବର ଏହି ମହିଳା ଜଣଙ୍କ ଗ୍ରାଜୁଏସନ୍ ପରେ ବାବାଙ୍କ ଭକ୍ତ ପାଲଟି ଡେରା ଆଶ୍ରମରେ ରହୁଥିଲେ । ଦୁଇବର୍ଷ ପରେ ହଠାତ୍ ଗୋଟେ ରାତିରେ ବାବା ନିଜର ବିଳାସିତ ଗୁମ୍ଫାକୁ ଡାକିଥିଲେ ଭକ୍ତ ମହିଳାଙ୍କୁ । ବାଧ୍ୟ କରି ବ୍ଲୁ ଫିଲ୍ମ ଦେଖାଇବା ସହ ଦୁଷ୍କର୍ମ କରିଥିଲେ । ଏହା ପ୍ରଘଟ କଲେ କୁପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକାଇଥିଲେ । ଏହାପରେ ବାବା ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ । ପରବର୍ତ୍ତୀ ସମୟରେ ମହିଳାଜଣଙ୍କ ଆଶ୍ରମ ଛାଡ଼ିଦେଇଥିଲେ । ୨୦୦୨ ମସିହାରେ ସଂପୃକ୍ତା ମହିଳା, ବାବାଙ୍କ କୁତ୍ସିତ କାରନାମାକୁ ବେନାମୀ ଚିଠି ଜରିଆରେ ପଦାକୁ ଆଣିଥିଲେ । ଘଟଣା ସବୁକୁ ବର୍ଣ୍ଣନା କରି ହିନ୍ଦୀରେ ଏକ ଟାଇପ୍ ଚିଠି ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ହରିଆନା ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ସିବିଆଇ, ଜାତୀୟ ମାନବାଧିକାର କମିସନ ଏବଂ ପଞ୍ଜାବ ଓ ହରିଆନା ହାଇକୋର୍ଟଙ୍କୁ ପଠାଇଥିଲେ । ଖାଲି ତାଙ୍କ ସହ ନୁହେଁ ଆଶ୍ରମରେ ବହୁ ମହିଳା ବାବାଙ୍କ ଯୌନ ଶୋଷଣର ଶିକାର ହେଉଥିବା ଉଲ୍ଲେଖ କରିଥିଲେ ।
ତେବେ ଏହି ବେନାମୀ ଚିଠିକୁ ଅନ୍ୟମାନେ ଶୁଣି ନ ଥିଲା ବେଳେ ପଞ୍ଜାବ ଓ ହରିଆନା ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଥିଲେ । ଶୀର୍ଷାର ଜିଲ୍ଲା ଓ ସେସନସ୍ ଜଜ୍ ଙ୍କ ଠାରୁ ଏ ସମ୍ପର୍କରେ ଏକ ଯାଞ୍ଚ ରିପୋର୍ଟ ମାଗିଥିଲେ । ଜଜ୍ ମାମଲାର ଅନୁସନ୍ଧାନ କରି ରିପୋର୍ଟରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ତଦନ୍ତଭାର ଦେବା ପାଇଁ ସୁପାରିଶ କରିଥିଲେ । ଏହି ଆଧାରରେ ହାଇକୋର୍ଟ ସିବିଆଇକୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲେ । ୨୦୦୩ ମସିହାରେ ଚଣ୍ଡିଗଡ଼ ବ୍ରାଞ୍ଚ ସିବିଆଇ ଆଇପିସି ଧାରା ୩୭୬(ରେପ୍), ୫୦୬(ଧମକ) ଏବଂ ୫୦୯(ମହିଳାଙ୍କ ଇଜ୍ଜତ ଲୁଟିବା) ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ବେନାମୀ ଚିଠି ଦେଇଥିବା ଅଭିଯୋଗକାରିଣୀଙ୍କୁ ଠାବ କରିବା ସିବିଆଇ ପାଇଁ ଚାଲେଂଜ ହୋଇଥିଲା । ଏଥିପାଇଁ ତଦନ୍ତ ପ୍ରକ୍ରିୟା ଦୁଇବର୍ଷ ପାଇଁ ଧୀମା ହୋଇଯାଇଥିଲା ।
ପରେ ସିବିଆଇ ଜଣେ ନୁହେଁ, ଦୁଇଜଣ ସମାନ ଅଭିଯୋଗକାରିଣୀଙ୍କୁ ଠାବ କରିବାରେ ସମର୍ଥ ହୋଇଥିଲା ଏବଂ ୨୦୦୭ ମସିହାରେ ଅମ୍ବାଲାର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା । ପରବର୍ତ୍ତୀ ସମୟରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ପଞ୍ଚକୂଲାକୁ ସ୍ଥାନାନ୍ତର ହୋଇଥିଲା । ସେଠାରେ ଦୁଇ ଅଭିଯୋଗକାରିଣୀ କୋର୍ଟରେ ଛିଡ଼ା ହୋଇ ବାବା ରାମ ରହିମ୍ ସେମାନଙ୍କ ସହ ଦୁଷ୍କର୍ମ କରିଥିବା ବୟାନ ଦେଇଥିଲେ । ୨୦୦୮ ମସିହାରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ରାମ ରହିମ୍ ଙ୍କ ବିରୋଧରେ ଚାର୍ଜଫ୍ରେମ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘ ୯ ବର୍ଷ ଧରି ମାମଲାର ଶୁଣାଣି ପରେ ବାବା ରେପିଷ୍ଟ୍ ପ୍ରମାଣିତ ହୋଇଛନ୍ତି ।