ନୂଆଦିଲ୍ଲୀ: ହରିୟାଣାର ଡେରା ସଚା ସୌଦା ମୁଖ୍ୟ ବହୁ ଚର୍ଚ୍ଚିତ ବାବା ଗୁରୁମିତ୍ ରହିମ୍ ସିଂହ ଓରଫ୍ ରାମ ରହିମ୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୦୨ ମସିହାରେ ଜଣେ ମହିଳା ଅନୁଗତଙ୍କୁ ଦୁଷ୍କର୍ମ ମାମଲାରେ ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ୨୮ ତାରିଖରେ ବାବାଙ୍କ ପାଇଁ ଦଣ୍ଡ ଘୋଷଣା ହେବ । ରେପିଷ୍ଟ୍ ବାବା ରାମ ରହିମ୍ ଙ୍କୁ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କଲାପରେ ତାଙ୍କ ଅନୁଗତମାନେ ଲଙ୍କାକାଣ୍ଡ ଭିଆଇଛନ୍ତି । ପଞ୍ଜାବ ଓ ହରିୟାଣାରେ ନିଆଁ ଜଳୁଛି । ପ୍ରବଳ ହିଂସାକାଣ୍ଡ ଓ ପୁଲିସ ଗୁଳିରେ ଅତି କମ୍ ରେ ୩୦ ଜଣ ଡେରା ସମର୍ଥକ ପ୍ରାଣ ହରାଇଛନ୍ତି । ୨୫୦ରୁ ଅଧିକ ସମର୍ଥକ ଆହତ ହୋଇଛନ୍ତି । ପଞ୍ଜାବ ଓ ହରିୟାଣା ନିଆଁ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ରାଜସ୍ଥାନକୁ ଡେଇଁଛି । ସେ ସବୁଜାଗାରେ ପୋଡ଼ାଜଳା ଚାଲିଛି । ଓଡ଼ିଶାର କିଛି ସ୍ଥାନରେ ବାବାଙ୍କ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ରାମ ରହିମ୍ ଙ୍କୁ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରି ରାୟ ଶୁଣାଇଲା ମାତ୍ରେ ପଞ୍ଚକୁଲାରୁ ଆରମ୍ଭ ହୋଇଥିଲା ହିଂସାକାଣ୍ଡ । ସେଠାରୁ ସମଗ୍ର ରାଜ୍ୟ ଓ ପଞ୍ଜାବକୁ ବ୍ୟାପିଥିଲା ହିଂସା । ଅନୁଗତମାନେ ରାସ୍ତାକୁ ଓହ୍ଲାଇ ଉନ୍ମତ୍ତ କାଣ୍ଡ କରିଥିଲେ । ହଜାର ହଜାର ସମର୍ଥକ ବିଭିନ୍ନ ସହରରେ ଗାଡ଼ି ମଟର, ଟ୍ରେନ୍ ପୋଡାଜଳା କରିଥିଲେ । ବାବାଙ୍କ ଅନୁଗାମୀଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଗୁଳି ଚଳାଇଥିଲା । ପୁଲିସ ଗୁଳିରେ ବର୍ତ୍ତମାନ ସୁଦ୍ଧା ଅତି କମ୍ ରେ ୩୦ ଜଣ ଡେରା ସମର୍ଥକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥିରେ ୨୫୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ପୁଲିସ ଗୁଳିକୁ ଡେରା ସମର୍ଥକ ଖାତିର କରିନାହାନ୍ତି । ଉତକ୍ଷିପ୍ତ ସମର୍ଥକମାନେ ପୁଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି । ହିଂସାକାଣ୍ଡର ଲାଇଭ୍ କରୁଥିବା ଦୁଇଟି ଜାତୀୟ ଚାନେଲର ଓବି ଭ୍ୟାନକୁ ଜାଳି ଦେଇଛନ୍ତି ।
ହିଂସାକାଣ୍ଡ ଏବେ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ରାଜସ୍ଥାନକୁ ବ୍ୟାପିଛି । ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଆରମ୍ଭ ହୋଇଛି । ପରିସ୍ଥିତି ଗମ୍ଭୀର ହେଉଥିବା ବେଳେ ଗୃହମନ୍ତ୍ରୀ ରାଜନାଥ ସିଂ ଜରୁରୀ ବୈଠକ ଡାକି ସମୀକ୍ଷା କରିଛନ୍ତି । ଉତ୍ତେଜନାପ୍ରବଣ ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ହରିୟାଣାର ପଞ୍ଚକୁଲା, ବାବାଙ୍କ ଆଶ୍ରମ ଶୀର୍ଷା ଆଦି ଜାଗାରେ କର୍ଫ୍ୟୁ ଜାରି ହୋଇଛି । ଦିଲ୍ଲୀ ସହରରେ ୧୪୪ ଧାରା ଜାରି ହୋଇଛି । ହିଂସାକାଣ୍ଡ ରୋକିବାରେ ବିଫଳ ବିଜେପି ଶାସିତ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର୍ ଙ୍କ ଇସ୍ତଫା ଦାବି ଜୋର୍ ଧରିଛି ।
ସୂଚନାଯୋଗ୍ୟ, ୨୦୦୨ ଏପ୍ରିଲ୍ ମାସରେ ବାବା ରାମ ରହିମ୍ ଙ୍କ ବିରୋଧରେ ଜଣେ ମହିଳା ଅନୁଗାମୀ ହରିୟାଣା ହାଇକୋର୍ଟରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ମେ ମାସରେ ହାଇକୋର୍ଟ ଶୀର୍ଷାର ସେସନସ୍ ଜଜ୍ ଙ୍କୁ ଅଭିଯୋଗ ଯାଞ୍ଚ ଦାୟିତ୍ୱ ଦେଇଥିଲେ । ଡିସେମ୍ବରରେ ବାବାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହୋଇଥିଲା । ତାଙ୍କ ବିରୋଧରେ ୩୭୬,୫୦୬ ଏବଂ ୫୦୯ ଦଫାରେ ମାମଲା ରୁଜୁ ହୋଇଥିଲା । ୨୦୦୩ ଡିସେମ୍ବରରେ ମାମଲା ସିବିଆଇକୁ ହସ୍ତାନ୍ତର ହୋଇଥିଲା । ୨୦୦୭ ଜୁଲାଇରେ ଅମ୍ବାଲା ସିବିଆଇ କୋର୍ଟରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇଥିଲା । ଚାର୍ଜସିଟ୍ ରେ ବାବା ୩୬ ମହିଳା ଅନୁଗତଙ୍କୁ ଦୁଷ୍କର୍ମ କରିଥିବା ଉଲ୍ଲେଖ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଅଭିଯୋଗୀକାରୀଙ୍କୁ ଠାବ କରିବାରେ ସିବିଆଇ ବିଫଳ ହୋଇଥିଲା । ୨୦୦୮ ଅଗଷ୍ଟରେ ମାମଲାର ଟ୍ରାଏଲ୍ ଆରମ୍ଭ ହୋଇଥିଲା । ସାକ୍ଷ୍ୟଗ୍ରହଣ ପରେ ଆଜି ମାମଲାର ରାୟ ଶୁଣାଇଥିଲେ ସିବିଆଇ ସ୍ୱତନ୍ତ୍ର କୋର୍ଟ ।