ଭୁବନେଶ୍ୱର: ବର୍ଷକେ ଥରେ ଆସେ ଗଣେଶ ପୂଜା । ଏହି ଦିନଟି ଆମ ଭଳି ଗାଁ ସ୍କୁଲରେ ପଢ଼ିଥିବା ଲୋକଙ୍କ ପାଇଁ ଅଭୁଲା ସ୍ମୃତି ନେଇ ଆସେ । ସ୍କୁଲ ସାଜସଜ୍ଜାରେ ମଜ୍ଜି ପୂର୍ବଦିନ ରାତିରେ ନିଦ ହୁଏନି । ପୁଣି ସକାଳୁ ନୂଆ ଡ୍ରେସ୍ ପିନ୍ଧି ସ୍କୁଲ ଯିବାକୁ ମନରେ ଭରିଥାଏ ଉତ୍କଣ୍ଠା । ସେଦିନର ଅନୁଭୂତିକୁ ମନେ ପକାଇଲେ ଆଜି ବି ଦେହ ଟାଙ୍କୁରି ଉଠେ । ହେଲେ ଆଜି ? ଗଣେଶ ପୂଜାକୁ ନେଇ ମନରେ ପ୍ରବଳ ସ୍ୱପ୍ନ ଓ ଉତ୍କଣ୍ଠା ଭରିଥିବା ପିଲାଙ୍କ ସ୍କୁଲରେ ପଡ଼ିଛି ତାଲା । ସାର୍ ବସିଛନ୍ତି ଭୁବନେଶ୍ୱର ରାଜରାସ୍ତାରେ । ସ୍କୁଲ ଓ ପିଲାଙ୍କୁ ଛାଡ଼ି ଭୁବନେଶ୍ୱରର ଲୋୟର ପିଏମଜିରେ ସାର୍ ପାଳୁଛନ୍ତି ଗଣେଶ ପୂଜା ।
ଲୋୟର ପିଏମଜିରେ ଆଜିକୁ ୧୦ ଦିନ ହେଲା ପଡ଼ିଛନ୍ତି ୬୦ ହଜାର ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ । ଦାବି, ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଦିଅ । ଗତକାଲି ଶିକ୍ଷକ ପ୍ରତିନିଧିଙ୍କ ସହ ସରକାର ତୃତୀୟ ବାର ଆଲୋଚନା କରିଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରିନାହିଁ । ସରକାର କହୁଛନ୍ତି, ପୂର୍ଣ୍ଣଦାନ ଦେବୁ । ହେଲେ ଚାକିରି ସର୍ତ୍ତାବଳୀ ଆଧାରରେ । ଶିକ୍ଷକ ସଂଘ କହୁଛନ୍ତି ନା, ଚାକିରି ସର୍ତ୍ତବାଳୀକୁ ଆମେ ଗ୍ରହଣ କରିବୁନୁ । ଧୂଆ ଅଧୂଆ ସମସ୍ତଙ୍କୁ ପୂର୍ଣ୍ଣ ଅନୁଦାନ ଦିଅ । ନଦେବା ଯାଏଁ ଆନ୍ଦୋଳନରୁ ହଟିବୁନୁ । ଶିକ୍ଷକ ସଂଘର ଦାବି ଆଗରେ ସରକାର ମୁଣ୍ଡ ନୂଆଁଇବାକୁ ପ୍ରସ୍ତୁତ ନ ଥିବାରୁ ଆନ୍ଦୋଳନ ତା ବାଟରେ ଜାରି ରହିଛି । ଆଗକୁ ଏହା ଆହୁରି ବ୍ୟାପକ ହେବ ବୋଲି ଶିକ୍ଷକ ସଂଘର ନେତାମାନେ ଚେତାବନୀ ଦେଇଛନ୍ତି ।
ସରକାର ଓ ଶିକ୍ଷକଙ୍କ ମୂଲଚାଲରେ ବାଜି ପଡ଼ିଛି ୭ ଲକ୍ଷ କୋମଳମତି ପିଲାଙ୍କ ଭବିଷ୍ୟତ । ୫ ହଜାର ସ୍କୁଲ, କଲେଜର ପ୍ରାୟ ୬୦ ହଜାର ଶିକ୍ଷକ ଓ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସ୍କୁଲ, କଲେଜରେ ତାଲା ପଡ଼ିଛି । ବର୍ଷକେ ଥରେ ପିଲାଏ ଚାହିଁ ରହିଥିବା ଗଣେଶ ପୂଜା ପର୍ବ ପାଳନ ହୋଇପାରୁନି । ସରକାର ସମାଧାନର ରାସ୍ତା ବାହାର କରିପାରୁନାହାନ୍ତି । ଓଲଟି ନିଜ ଜିଦ୍ ରେ ଅଟଳ ରହି ପିଲାଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲିଦେଇଛନ୍ତି ।
ଆନ୍ଦୋଳନରତ ଶିକ୍ଷକମାନେ ସରକାରଙ୍କ ବିରୋଧରେ ଅନବରତ ନାରାବାଜି ଚଳାଇଥିବା ବେଳେ ବିରୋଧୀ ଦଳର କିଛି ନେତା ଓ ସାମାଜିକ ସଂଗଠନ କର୍ମକର୍ତ୍ତାଙ୍କୁ ମଉକା ମିଳିଛି । ସେଠି ଯାଇ ଲମ୍ବାଚଉଡା ଭାଷଣ ଦଉଛନ୍ତି । ସରକାରଙ୍କ ବିରୋଧରେ ଗର୍ଜୁଛନ୍ତି । ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଠାକୁ ଯାଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ସୌମ୍ୟରଂଜନ ପଟ୍ଟନାୟକଙ୍କ ଭଳି ଉଚ୍ଚ ବ୍ୟକ୍ତିତ୍ୱ ଓ ସାମାଜିକ କର୍ମୀମାନେ ବି ଏଇ ମଉକା ଛାଡ଼ିନାହାନ୍ତି । ଭଲ କଥା, ପିଲାଙ୍କ ଭବିଷ୍ୟତ ଦୃଷ୍ଟିରୁ ଶିକ୍ଷକସମାଜ ପାଇଁ ଏମାନେ ଲଢ଼େଇ କରୁଛନ୍ତି । ହେଲେ ଖାଲି ଭାଷଣ ନ ଦେଇ ସମାଧାନର ରାସ୍ତା ଖୋଜିବାରେ ଅସୁବିଧା କ’ଣ ହେଉଛି ? ଧର୍ମେନ୍ଦ୍ର ପ୍ରଧାନ ସେଠାକୁ ବିଜେପି ପ୍ରତିନିଧି ଭାବରେ ଯାଇ ନ ଥିଲେ । ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଭାବରେ । ଏକ ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ହାତ ମିଳାଇ ଶିକ୍ଷକଙ୍କ ସମସ୍ୟା ସମାଧାନ କରିବାରେ ଅସୁବିଧା କେଉଁଠି ? ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀ ଭାବେ ନିଜଆଡୁ ସମାଧାନର ଆଶ୍ୱାସନା ନ ଦେଇ ଖାଲି ରାଜ୍ୟ ସରକାରଙ୍କୁ ଗାଳିଗୁଲଜ କଲେ । ଶିକ୍ଷକସମାଜ ପ୍ରତି ଦରଦ ଦେଖାଇଲେ । ଆଇଓସିଏଲ୍ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତାରେ ବସୁଥିବା ଧର୍ମେନ୍ଦ୍ରଙ୍କୁ ଶିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେବାକୁ କିଏ ଅଟକାଇଛି ? ଯଦି ରାଜନୈତିକ ଫାଇଦା ହାସଲର ଆଶା ରଖିଛନ୍ତି ତେବେ ବିଜେପିର ଏକ ପ୍ରତିନିଧି ଦଳକୁ ସାଙ୍ଗରେ ନେଲେନି କାହିଁକି ? କିଛି ନ ହେଲେ ସରକାରଙ୍କ ସହ ଆଲୋଚନା କରି ସମାଧାନର ଆଶ୍ୱାସନା ଦେଇପାରିଥାଆନ୍ତେ ଯାହା ଦଳର ସ୍ୱାର୍ଥରେ ଲାଗିଥାଆନ୍ତା । ହେଲେ ଧର୍ମେନ୍ଦ୍ର ଏକା ଯାଇ କାହାର ସ୍ୱାର୍ଥ ସାଧନ କଲେ ?
ଓଡ଼ିଶାରେ ଚାଷୀ ଓ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଆନ୍ଦୋଳନର ନେତୃତ୍ୱ ନେଉଥିବା ସୌମ୍ୟରଂଜନ ସେମାନଙ୍କ ସମସ୍ୟା ନେଇ ନବୀନ ନିବାସ ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ନିଭୃତ ଆଲୋଚନା କରିଥିଲେ । ହେଲେ ୬୦ ହଜାର ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ତାଙ୍କୁ ଅଟକାଇଛି କିଏ ? ସରକାରଙ୍କୁ ଗାଳି କରି ଖାଲି ଭାଷଣରେ କାମ ହୁଏନି । ଆନ୍ତରିକତା ଥିଲେ ସମସ୍ୟାର ସମାଧାନ ବାଟ ଖୋଜିହୁଅନ୍ତା । ନିର୍ବୁଦ୍ଧିଆ ସରକାରଙ୍କୁ ବୁଦ୍ଧି ଦେଇପାରନ୍ତେ । ଖାଲି ଧର୍ମେନ୍ଦ୍ର କି ସୌମ୍ୟ ନୁହଁନ୍ତି ଶିକ୍ଷକ ସମାଜ ପାଇଁ ଭାଷଣବାଜି କରୁଥିବା ନେତା ଓ ସଂଗଠନ ନିଜର ବ୍ୟକ୍ତିଗତ ଓ ରାଜନୈତିକ ଫାଇଦା ଉଦ୍ୟମରେ ଥିବା ଜଳ ଜଳ ଦିଶୁଛି । ଶିକ୍ଷକମାନେ ଯେତେ ଅଧିକ ଦିନ ରାସ୍ତାରେ ବସିବେ ସେମାନଙ୍କର ଫାଇଦା ।
ଆଉ ରହିଲେ ରାଜ୍ୟ ସରକାର । ଶିକ୍ଷକଙ୍କ ଦାବି ଉପରେ ସମାଧାନର ରାସ୍ତା ଫିଟାଇବାର ଆନ୍ତରିକତା ନାହିଁ କହିଲେ ଚଳେ । ମୁଖ୍ୟମନ୍ତ୍ରୀଙ୍କ ପାଟିରୁ ପଦୁଟିଏ କଥା ବାହାରୁନି । ଓଲଟି ସରକାର ଓ ତାଙ୍କ ଦଳ ବିଜେଡ଼ି ବି ରାଜନୈତିକ ଫାଇଦା ଖୋଜିବାରେ ବ୍ୟସ୍ତ । ଏବେ ନୁହେଁ, ଆଉ କିଛି ମାସ ଗଡ଼ାଇ ନିର୍ବାଚନ ପୂର୍ବରୁ ସେମାନଙ୍କୁ ମେଞ୍ଚେ ଦେଇ ଖୁସି କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ସେତେବେଳେ ଶିକ୍ଷକଙ୍କୁ ନଗଦ ଖୁସି କରି ଭୋଟ ହାତେଇବାକୁ ଏହି ଯୋଜନା । ତେଣିକି ପିଲାଙ୍କ ଭବିଷ୍ୟତ ଛାରଖାର ହେଉ ପଛେ ସେଥିପାଇଁ ପରବାଏ ନାହିଁ । ଭୋଟ ଆଗ, ପିଲାଙ୍କ ଭବିଷ୍ୟତ ପଛ । ବିଜେଡ଼ି ଓ ବିରୋଧୀଙ୍କ ଏହି ଚିନ୍ତାଧାରା ଭିତରେ ବନ୍ଧାପଡ଼ିଛି ୭ ଲକ୍ଷ ପିଲାଙ୍କ ଭବିଷ୍ୟତ ।