ଭୁବନେଶ୍ୱର: ବିଜେଡ଼ି ଓ ବିଜେପି ମଧ୍ୟରେ ଲଢେଇ ଏବେ ଟିଭି କି ଖବରକାଗଜରେ ସୀମିତ ନାହିଁ । ନିର୍ବାଚନ ଯୁଦ୍ଧ ପାଇଁ ଉଭୟ ଦଳ ଖାତା କଲମରେ ନିଜ ନିଜ ରଣନୀତି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଭଳି ଘଡ଼ିସନ୍ଧି ସମୟରେ ବିଜେଡ଼ିରେ ଆର୍ବିଭାବ ଘଟିଛି ହାଇପ୍ରୋଫାଇଲ୍ ଗୁପ୍ତଚରଙ୍କର । ବିରୋଧୀ ଦଳର ଭିତିରି ଷ୍ଟ୍ରାଟେଜିକୁ ସାଉଁଟିବା ବଦଳରେ ନିଜ ଦଳ ଓ ସରକାରର ଭିତିରି ଖବର ବାହାରକୁ ପାସ୍ ଅନ୍ କରୁଛନ୍ତି । ଖାସ୍ ନବୀନ ନିବାସ ଓ ତୃତୀୟ ମହଲାର ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା/ବ୍ଲୁ ପ୍ରିଣ୍ଟ ସେଇବାଟେ ଲିକ୍ ହୋଇଯାଉଛି । ବିଜେଡ଼ିର ଯୋଜନା ସାକାର ହେବା ପୂର୍ବରୁ ବିଜେପି ଶିବିରରେ ପହଞ୍ଚିଯାଉଛି ଖବର । ଏଭଳି କିଛି ଅର୍ନ୍ତଘାତୀ ଘଟଣା ଖୋଦ୍ ବିଜେଡ଼ି ସୁପ୍ରିମୋଙ୍କୁ ବିବ୍ରତ କରିଛି । ବିଜେପି ପାଇଁ ଗୁପ୍ତଚରୀ କରୁଥିବା ନିଜର ତଥାକଥିତ ବିଶ୍ୱସ୍ତ ଅନୁଗତଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛନ୍ତି ।
ବିଜେଡ଼ିର ଅନ୍ଦର ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ଏହା ଭିତରେ ଦଳ ଓ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ନିମିଷକେ ପହଞ୍ଚୁଛି ଧର୍ମେନ୍ଦ୍ରଙ୍କ କ୍ୟାମ୍ପରେ । ବିଜେଡ଼ିରେ ବିଭୀଷଣ ସାଜିଥିବା ଜଣେ ଦଳୀୟ ସାଂସଦଙ୍କ ଅଫିସ ମଧ୍ୟ ଏଭଳି ଯୋଜନାକୁ ଆଗୁଆ ଜାଣୁଛି । ବିଜେଡ଼ି ଗୁପ୍ତଚର ଏକା ସାଙ୍ଗରେ ସାଂସଦ ଓ ଧର୍ମେନ୍ଦ୍ରଙ୍କ ପାଇଁ କାମ କରୁଥିବା ସନ୍ଦେହ କରାଯାଉଛି । ଏମିତି ବି ହୋଇପାରେ, ସାଂସଦଙ୍କ ଜରିଆରେ ଧର୍ମେନ୍ଦ୍ରଙ୍କ କ୍ୟାମ୍ପକୁ ଖବର ପଠାଉଛନ୍ତି ଗୁପ୍ତଚର । ଏହାକୁ ନେଇ ଦଳର ଅନେକ ନେତା ଚିନ୍ତାରେ ପଡ଼ିଛନ୍ତି । ନିଜ ଦଳରେ ଅନ୍ତର୍ଘାତୀ କାର୍ଯ୍ୟ କରୁଥିବା ସହଯୋଗୀଙ୍କୁ ଠାବ କରିବା ସେମାନଙ୍କ ପାଇଁ ବଡ଼ ଚାଲେଂଜ ହୋଇଛି । ବିଜେଡ଼ି ଗୋପପୁରରେ ଏହି କଳା କହ୍ନେଇ ବଢ଼ୁଥିବା ବେଳେ ନବୀନଙ୍କ ଏକାନ୍ତ ଅନୁଗାମୀ ବୋଲାଉଥିବା ଅନ୍ୟ ନେତାମାନେ ପରଷ୍ପରକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି ।
ନିଜ ନାଁ ଗୋପନ ରଖିବା ସର୍ତ୍ତରେ ବିଜେଡ଼ିର ଜଣେ ବରିଷ୍ଠ ନେତା ଏହାକୁ ସଙ୍ଗୀନ ଦର୍ଶାଇବା ସହ ଜଣେ ଯୁବ କାର୍ପଟଦାରଙ୍କ ଭୂମିକା ଆଡକୁ ଅଙ୍ଗୁଳି ଉଠାଇଛନ୍ତି । ଠିକ୍ ସମୟରେ ତାଙ୍କର ମୁଖା ଖୋଲାଯିବ ବୋଲି ସେ କହିଛନ୍ତି । ତେବେ ଦଳ ଭିତରର ଅକୁହା କଥାକୁ ଅଧିକ ଖୋଲିବା ପାଇଁ ସେ ଅନିଚ୍ଛା ପ୍ରକାଶ କରିଛନ୍ତି ।