ଭୁବନେଶ୍ୱର: ଦି ଟାଇମସ୍ ହାଇଅର ଏଜୁକେସନ୍ ୟଙ୍ଗ ୟୁନିଭରସିଟି ରାଙ୍କିଂରେ ୨୦୧୯ରେ କିଟ୍ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି । ‘ ଦି ଟାଇମସ୍ ହାଇଅର ଏଜୁକେସନ୍’ ପକ୍ଷରୁ ଜୁନ୍ ୨୭ ତାରିଖରେ ପ୍ରକାଶିତ ବିଶ୍ୱସ୍ତରୀୟ ୟଙ୍ଗ ୟୁନିଭରସିଟି ରାଙ୍କିଂରେ ଓଡ଼ିଶାର ଏକମାତ୍ର ଘରୋଇ ବିଶ୍ୱବିଦ୍ୟାଳୟ ଭାବେ କିଟ୍ ‘୩୦୧+’ତମ ସ୍ଥାନ ହାସଲ କରିବାର ଗୌରବ ଅର୍ଜନ କରିଛି । ଗତ ୫୦ ବର୍ଷ ମଧ୍ୟରେ ପ୍ରତିଷ୍ଠିତ ବିଶ୍ୱର ଲବ୍ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏହି ଚୟନ ପ୍ରକ୍ରିୟାରେ ସାମିଲ କରାଯାଇଥିଲା । ଶିକ୍ଷାଦାନ, ଗବେଷଣା, ଇଣ୍ଟରନ୍ୟାସନାଲ୍ ଆଉଟଲୁକ୍ ଏବଂ ଇଣ୍ଡଷ୍ଟ୍ରି୍ଆଲ୍ ଆଉଟପୁଟ୍ ଭଳି ୫ଟି ମାନଦଣ୍ଡକୁ ନେଇ ବିଶ୍ୱବିଦ୍ୟାଳୟଗୁଡ଼ିକର ରାଙ୍କିଂ କରାଯାଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କିଟ୍ ୨୨ ବର୍ଷର ଅନୁଷ୍ଠାନ ହୋଇଥିବା ବେଳେ ମାତ୍ର ୧୫ ବର୍ଷର ବିଶ୍ୱବିଦ୍ୟାଳୟ ଭାବେ ଉପରୋକ୍ତ ୫ଟି ଯାକ ମାନଦଣ୍ଡକୁ ପୂରଣ କରି ୩୦୧ ରାଙ୍କ୍ ପାଇଛି ।
ସୂଚନାଯୋଗ୍ୟ, ଟାଇମସ୍ ହାଇଅର ଏଜୁକେସନ୍ ପକ୍ଷରୁ ଚଳିତବର୍ଷ କରାଯାଇଥିବା ଏହି ୟଙ୍ଗ୍ ୟୁନିଭରସିଟି ରାଙ୍କିଂ ହେଉଛି ଏକ ବିଶ୍ୱସ୍ତରୀୟ ପ୍ରଦର୍ଶନୀ ତାଲିକା । ଏହା ପୂର୍ବରୁ ‘କିଟ୍’ ଟାଇମସ୍ ହାଇଅର ଏଜୁକେସନ୍ ବିଶ୍ୱବିଦ୍ୟାଳୟ ରାଙ୍କିଂ, ବିଶ୍ୱ ବିଶ୍ୱବିଦ୍ୟାଳୟ ଇମ୍ପାକ୍ଟ ରାଙ୍କିଂ ଏବଂ ଏସିଆ ବିଶ୍ୱବିଦ୍ୟାଳୟ ରାଙ୍କିଂରେ ସ୍ଥାନ ପାଇସାରିଛି । ଏହି ସଫଳତା ପାଇଁ କିଟ୍ ଓ କିସ୍ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଶୁଭେଚ୍ଛୁ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ତାଙ୍କର ଉତ୍ତମ ଦୂରଦୃଷ୍ଟି ଓ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।