ଭୁୁବନେଶ୍ୱର: କରୋନା ଭାଇରସ୍ ଆହ୍ୱାନର କଠିନ ପରିସ୍ଥିତିରେ କାର୍ଯ୍ୟ କରୁଥିବା ରାଜ୍ୟର ଡାକ୍ତର, ନର୍ସ, ପାରାମେଡ଼ିକାଲ୍ ଓ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂରି ଭୂରି ପ୍ରଶଂସା କରିଛନ୍ତି । “ମୁଁ ଆପଣମାନଙ୍କ ସ୍ପିରିଟ୍ କୁ ସମ୍ମାନ ଜଣାଉଛି । ଆପଣମାନଙ୍କ ତ୍ୟାଗ, ନିଷ୍ଠା ଓ ସେବାର ତୁଳନା ନାହିଁ । ଆମେ ସମସ୍ତେ ଆପଣମାନଙ୍କ ସାଥୀରେ ଅଛୁ । ମାନବଜାତି ପାଇଁ ଆପଣମାନେ ସେବା ଜାରି ରଖନ୍ତୁ” ।
ଆଜି ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଏଭଳି ଭାଷାରେ ଡାକ୍ତର ଓ କର୍ମଚାରୀମାନଙ୍କୁ ପ୍ରଶଂସା, ସାଧୁବାଦ ଓ କୃତଜ୍ଞତା ଜଣାଇଛନ୍ତି । ଖାଲି ସେତିକି ନୁହେଁ ରାଜ୍ୟର ସମସ୍ତ ଡାକ୍ତର, ନର୍ସ, ପାରାମେଡ଼ିକାଲ ଓ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ୪ ମାସର ଆଗୁଆ ଦରମା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏପ୍ରିଲ୍, ମେ, ଜୁନ୍ ଏବଂ ଜୁଲାଇ ମାସର ଦରମା ସେମାନଙ୍କୁ ଏପ୍ରିଲ୍ ମାସରେ ଏକକାଳୀନ ପ୍ରଦାନ କରାଯିବ । ସେମାନଙ୍କ ଓ ସେମାନଙ୍କ ପରିବାରର ସୁବିଧା ଏହି ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।
ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କ କାମରେ ବ୍ୟାଘାତ କିମ୍ବା ସେମାନଙ୍କ ପ୍ରତି କୌଣସି ର୍ଦୁବ୍ୟବହାର ପ୍ରତି ମୁଖ୍ୟମନ୍ତ୍ରୀ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ଏଭଳି କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିସହ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ ଡାକ୍ତର, ନର୍ସ ଏବଂ ଅନ୍ୟ କର୍ମଚାରୀଙ୍କୁ ଶ୍ରଦ୍ଧା ଓ ସମ୍ମାନର ସହ ବ୍ୟବହାର କରନ୍ତୁ । ସେମାନେ ସବୁ ସୁଖ, ସୁବିଧା, ତ୍ୟାଗ କରି ଦିନରାତି କଠିନ ପରିଶ୍ରମ କରୁଛନ୍ତି । ଆମେ ସେମାନଙ୍କୁ ଉତ୍ସାହିତ ଏବଂ ପ୍ରଶଂସା କରିବା ଦରକାର ।