ଭୁବନେଶ୍ୱର: ଓଡ଼ିଶା ପୁଲିସ ପାଇଁ ଗୌରବ ଆଣିଛନ୍ତି ଡିଜି ଡକ୍ଟର ଆର.ପି.ଶର୍ମା । ଇଣ୍ଟରନ୍ୟାସନାଲ୍ ପୁଲିସ ଏକ୍ସପୋ ଆଣ୍ଡ କନଫରେନ୍ସ ଅବସରରେ ନୂଆଦିଲ୍ଲୀସ୍ଥିତ ଖ୍ୟାତିସମ୍ପନ୍ନ ‘ଫାଉଣ୍ଡେସନ୍ ପୁଲିସ ରିସର୍ଚ୍ଚ’ ପକ୍ଷରୁ ତାଙ୍କୁ ଏହି ବିରଳ ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଛି । ସାଧାରଣ ଜନତାଙ୍କ ପାଇଁ ଉତ୍କର୍ଷ ସେବା ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବାରୁ ଡ. ଶର୍ମାଙ୍କୁ ଏହି ସମ୍ମାନ ମିଳିଛି । ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ସଂସଦୀୟ ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ ତାଙ୍କୁ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ ।
ଅବସରପ୍ରାପ୍ତ ପୁଲିସ ଅଫିସରଙ୍କୁ ନେଇ ଗଠିତ ‘ଫାଉଣ୍ଡେସନ୍ ପୁଲିସ ରିସର୍ଚ୍ଚ’ ଜାତୀୟସ୍ତରରେ ଏକ ଖ୍ୟାତାନାମା ଅନୁଷ୍ଠାନ । ନୀତି ନିର୍ଦ୍ଧାରଣ ଓ ଗବେଷଣା କ୍ଷେତ୍ରରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି । ଅନୁଷ୍ଠାନର ଇତିହାସରେ ଦ୍ୱିତୀୟ ଥର ପାଇଁ ଡ. ଶର୍ମାଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି । ଏହି ଗୌରବ ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଶା କ୍ୟାଡର ଆଇପିଏସ୍ । କେବଳ ଓଡ଼ିଶା ପୁଲିସ ପାଇଁ ନୁହେଁ ସମଗ୍ର ରାଜ୍ୟ ପାଇଁ ଡ. ଶର୍ମାଙ୍କ କୃତିତ୍ୱ ଗୌରବ ଆଣିଛି ।