ମୁମ୍ବାଇ: ମହାରାଷ୍ଟ୍ର କ୍ୟାଡରର ବରିଷ୍ଠ ଆଇପିଏସ୍ ତଥା ପୂର୍ବତନ ଏଟିଏସ୍(ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍) ମୁଖ୍ୟ ହିମାଂଶୁ ରାୟ(୫୪) ଆଜି ଆତ୍ମହତ୍ୟା କରିଛନ୍ତି । ଅପରାହ୍ନ ୧.୪୦ ମିନିଟ୍ ସମୟରେ ନିଜ ସରକାରୀ ବାସଭବନରେ ସେ ନିଜର ସର୍ଭିସ୍ ରିଭଲଭର୍ ରୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ଏ ପର୍ଯ୍ୟସ୍ତ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଦୀର୍ଘଦିନ ଧରି ସେ କ୍ୟାନସର୍ ରେ ପୀଡ଼ିତ ଥିବାରୁ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ହିମାଂଶୁଙ୍କ ଭଳି ଜଣେ ଦକ୍ଷ ପୁଲିସ ଅଫିସରଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।
୧୯୮୮ ବ୍ୟାଚ୍ ର ଆଇପିଏସ୍ ହିମାଂଶୁ ମହାରାଷ୍ଟ୍ର ପୁଲିସରେ ସୁପରକପ୍ ନାଁରେ ନାମିତ ଥିଲେ । ୨୦୧୪ ମସିହାରେ ସେ ଜେସିପି(କ୍ରାଇମ୍) ଭାବରେ ଅବସ୍ଥାପିତ ଥିବା ବେଳେ ବହୁ ଚର୍ଚ୍ଚିତ ଆଇପିଏଲ୍ ବେଟିଂ ମାମଲାର ତଦନ୍ତ ମୁଖ୍ୟ ଥିଲେ । ପରେ ତାଙ୍କୁ ଏଟିଏସ୍ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା । ମୁମ୍ବାଇରେ ୨୬/୧୧ ଆତଙ୍କ ହମଲାରେ ଜଡ଼ିତ ଲସ୍କର-ଇ-ତୋଇବା ଆତଙ୍କବାଦୀ ଡାଭିଡ୍ ହେଡ଼ଲି ର ରେକି ମିଶନ୍ ର ସେ ପର୍ଦ୍ଦାଫାସ୍ କରିଥିଲେ । ସେହିଭଳି ବାନ୍ଦ୍ରାର କୁର୍ଲା କମ୍ପ୍ଲେକ୍ସରେ ଥିବା ଆମେରିକା ସ୍କୁଲକୁ ଉଡ଼ାଇ ଦେବା ପାଇଁ ହୋଇଥିବା ଷଡ଼ଯନ୍ତ୍ରର ମୁଖ୍ୟ ଆନିସ୍ ଆନସାରୀକୁ ସେ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଅତିରିକ୍ତ ଡିଜି(ଏଷ୍ଟାବ୍ଲିସମେଣ୍ଟ) ଭାବେ କାର୍ଯ୍ୟରତ ହିମାଂଶୁ କ୍ୟାନସରରେ ପୀଡ଼ିତ ଥିବାରୁ ଚିକିତ୍ସା ପାଇଁ ୨୦୧୬ ମସିହାରୁ ଛୁଟିରେ ଥିଲେ ।
ହିମାଂଶୁ ଜଣେ ମିଷ୍ଟଭାଷୀ, ଶୃଙ୍ଖଳିତ ଏବଂ ବିଚକ୍ଷଣ ପୁଲିସ ଅଫିସର ଥିଲେ ବୋଲି ପୂର୍ବତନ ମୁମ୍ବାଇ ପୁଲିସ କମିଶନର ଅରୂପ ପଟ୍ଟନାୟକ କହିଛନ୍ତି ।