ଭୁବନେଶ୍ୱର: ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ କୁନା ତ୍ରିପାଠୀ ନିଯୁକ୍ତି ପାଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । କୁନା ତ୍ରିପାଠୀଙ୍କ ଏହି ନିଯୁକ୍ତି ଓଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ‘ନ୍ୟୁଜ୍ ଫ୍ୟୁଜ୍’ ର ଭବିଷ୍ୟତକୁ ଘାଟାରେ ପକାଇ ଦେଇଛି । ଖୁବ୍ ଶୀଘ୍ର ‘ନ୍ୟୁଜ୍ ଫ୍ୟୁଜ୍’ କାର୍ଯ୍ୟକ୍ରମରୁ ସେ ବିଦାୟ ନେଇପାରନ୍ତି । ଶ୍ରୀ ତ୍ରିପାଠୀ ଏ ପର୍ଯ୍ୟନ୍ତ ତାହା ସ୍ପଷ୍ଟ କରି ନ ଥିଲେ ମଧ୍ୟ ତାଙ୍କ ଇସାରାରୁ ଏହାର ବାତ୍ସ୍ନା ମିଳିଛି ।
ଶ୍ରୀ ତ୍ରିପାଠୀଙ୍କ ନୂଆ ନିଯୁକ୍ତି ଘୋଷଣା ପରେ ପରେ ଆଜି କିଛି ଗଣମାଧ୍ୟମ ପ୍ରତିନିଧ ଏ ସମ୍ପର୍କରେ ତାଙ୍କର ପ୍ରତିକ୍ରିୟା ଚାହିଁଥିଲେ । ତେବେ ସିଧାସଳଖ କୌଣସି ଉତ୍ତର ଦେଇ ନ ଥିଲେ । ଅଧ୍ୟାପନା ଛାଡ଼ି କଳାକାର ହେଲି । ଏବେ ରାଜ୍ୟ ସରକାର ଚଳଚିତ୍ର ଉନ୍ନୟନ ନିଗମର ଗୁରୁ ଦାୟିତ୍ୱ ଦେଇଛନ୍ତି । ଏହାକୁ ସୂଚାରୂରୂପେ ପାଳନ କରିବି ବୋଲି ସେ କହିଛନ୍ତି । ‘ନ୍ୟୁଜ୍ ଫ୍ୟୁଜ୍’ ଛାଡ଼ିବା ନେଇ ସାମ୍ବାଦିକଙ୍କ ଉତ୍ତରକୁ ସେ ଏଡ଼ାଇ ଦେଇଥିଲେ ମଧ୍ୟ ତାଙ୍କର ପ୍ରାଥମିକତା ଓଡ଼ିଶା ଚଳଚିତ୍ର ନିଗମ ବୋଲି କହିଛନ୍ତି ।
କୁନାଙ୍କ ଏହି ମନ୍ତବ୍ୟରୁ ତାଙ୍କର ‘ନ୍ୟୁଜ୍ ଫ୍ୟୁଜ୍’ ଛାଡ଼ିବା ସଙ୍କେତ ମିଳିଛି । ସମୟ ପାଆନ୍ତୁ କି ନ ପାଆନ୍ତୁ ସେ ଓଟିଭିର ‘ନ୍ୟୁଜ୍ ଫ୍ୟୁଜ୍’ ଛାଡ଼ିବାର ଏକ ରାଜନୈତିକ ବାଧ୍ୟବାଧକତା ମଧ୍ୟ ସାମନାକୁ ଆସୁଛି । ବର୍ତ୍ତମାନ ରାଜ୍ୟ ସରକାରଙ୍କର ବିରୋଧୀ ପାଲଟିଛି ଓଟିଭି । ବିଜେଡ଼ିରୁ ବୈଜୟନ୍ତ ପଣ୍ଡା ଆଉଟ୍ ହେଲା ପରେ ତାଙ୍କ ଟିଭି ବିଜେଡ଼ି ଓ ସରକାରଙ୍କୁ ଏକପାଖିଆ ଆକ୍ରମଣ ଚଳାଇଛି । ବିଜେଡ଼ି ଓ ବୈଜୟନ୍ତଙ୍କ ମଧ୍ୟରେ ଅବିକା ଅହି ନକୂଳ ସମ୍ପର୍କ । ରାଜ୍ୟ ସରକାରଙ୍କ ଏକ ନିଗମରେ ଅଧ୍ୟକ୍ଷ ପଦରେ ରହି ସରକାରଙ୍କ ପରମ ଶତ୍ରୁ ବନିଥିବା ବୈଜୟନ୍ତଙ୍କ ଟିଭିରେ ସେ ଯେ ଆଉ କାମ କରିବେ ତାହା କାହାରିକୁ ବିଶ୍ୱାସ ହେଉନାହିଁ । କୁହାଯାଉଛି, ବୈଜୟନ୍ତ ବିଜେଡ଼ିର ପରମ ଶତ୍ରୁ ପାଲଟିବା ପରେ କୁନା ତାଙ୍କ ଟିଭିର ଏହି ଲୋକପ୍ରିୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇବା ପାଇଁ ବାଟ ଖୋଜୁଥିଲେ । ଏବେ ଚଳଚିତ୍ର ନିଗମର ଅଧ୍ୟକ୍ଷ ପଦ ପାଇଲା ପରେ ତାଙ୍କ ପାଇଁ ଖସିବା ବାଟ ମିଳିଯାଇଛି ।
ସୂଚନାଯୋଗ୍ୟ, ବିଶିଷ୍ଟ କଳାକାର ତଥା ସିନେ ଅଭିନେତା କୁନା ତ୍ରିପାଠୀଙ୍କ ବିଚକ୍ଷଣ ଉପସ୍ଥାପନା(ଆଙ୍କରିଂ) ଯୋଗୁଁ ଓଟିଭିର ‘ନ୍ୟୁଜ୍ ଫ୍ୟୁଜ୍’ କାର୍ଯ୍ୟକ୍ରମ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛି । ଟିଆରପି ଦୃଷ୍ଟିରୁ ଏହା ଶ୍ରେଷ୍ଠ କାର୍ଯ୍ୟକ୍ରମର ମାନ୍ୟତା ପାଇଛି । ୪ ବର୍ଷ ତଳେ କାର୍ଯ୍ୟକ୍ରମର ଲୋକପ୍ରିୟ ସଂଚାଳକ କୁନା ବିଜେଡ଼ିରେ ଯୋଗଦେଇ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ରହିଆସିଛନ୍ତି । ନିର୍ବାଚନ ସମୟରେ ଦଳର ଷ୍ଟାର୍ ପ୍ରଚାରକ ଭାବେ ରହିଆସୁଛନ୍ତି । ‘ନ୍ୟୁଜ୍ ଫ୍ୟୁଜ୍’ ଫେମ୍ ଭାବେ କୁନା ସାରା ଓଡ଼ିଶାର କୋଣ ଅନୁକୋଣରେ ବେଶ୍ ଲୋକପ୍ରିୟ । ଏହି କାର୍ଯ୍ୟକ୍ରମରୁ ସେ ବିଦାୟ ନେଲେ ‘ନ୍ୟୁଜ୍ ଫ୍ୟୁଜ୍’ ର ପୂର୍ବ ଆକର୍ଷଣ ଆଉ ରହିବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।