ଭୁବନେଶ୍ୱର: ବମିଖାଲ ଓଭରବ୍ରିଜ୍ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରାର ଅନ୍ୟତମ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କୁ କମିଶନରେଟ୍ ପୁଲିସ ଗିରଫ କରିଛି । ପୂର୍ବରୁ ସଂସ୍ଥାର ଏମଡ଼ି ପ୍ରତାପ କିଶୋର ପଣ୍ଡା ଗିରଫ ହୋଇଥିଲେ । ନିର୍ମାଣାଧୀନ ଓଭରବ୍ରିଜ୍ ଦ୍ୱିତୀୟ ଥର ପାଇଁ ଭୁଶୁଡ଼ିବା ଘଟଣାରେ ଏହି ଦୁହିଁଙ୍କୁ ମିଶାଇ ୧୦ ଜଣଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଛି । ସେପଟେ ଏହି ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆଜି ସରକାରଙ୍କ ହସ୍ତଗତ ହୋଇଛି । ଏଥିରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରା ସମେତ ସରକାରୀ ବାବୁ କୁହାଯାଉଥିବା କିଛି ଇଂଜିନିୟର ଓ ଅଫିସରଙ୍କ ଦାୟିତ୍ୱହୀନତାକୁ ଦାୟୀ କରାଯାଇଛି । ଦାୟିତ୍ୱହୀନ ଏହି ସରକାରୀ ବାବୁଙ୍କୁ ପୁଲିସ ନିଶ୍ଚିତ ଗିରଫ କରିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।
ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା ପାଇଁ ଦାୟୀ କାହାରିକୁ ଛଡ଼ାଯିବ ନାହିଁ । ପଣ୍ଡ ଇନଫ୍ରା କାର୍ଯ୍ୟ ନିମ୍ନମାନର ଏବଂ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କର ଆବଶ୍ୟକ ଦକ୍ଷତା ନଥିବା ତଦନ୍ତରୁ ଜଣାପଡ଼ିଛି । ତେବେ କଳା ତାଲିକାଭୁକ୍ତ ଏହି ସଂସ୍ଥାକୁ ପୁଣି କିଭଳି କାମ ଦିିଆଯାଇଥିଲା ସେ ସମ୍ପର୍କରେ ମନ୍ତ୍ରୀ କିଛି କହିନାହାନ୍ତି । ବମିଖାଲ ଓ ଲିଙ୍ଗରାଜ(ପୋଖରୀପୁଟ) ଓଭରବ୍ରିଜ୍ ବାକି ନିର୍ମାଣ କାର୍ଯ୍ୟ ସରକାର ନିଜେ କରିବେ ଏବଂ ୨ ମାସ ମଧ୍ୟରେ କାମ ସମ୍ପୂର୍ଣ୍ଣ ହେବ । ସେଭଳି ପଣ୍ଡା ଇନଫ୍ରା ଦ୍ୱାରା ନିର୍ମାଣ ହେଉଥିବା ଜଟଣୀ ଓ ସମ୍ବଲପୁର ଓଭରବ୍ରିଜ୍ କାମ ପାଇଁ ସାନି ଟେଣ୍ଡର ହେବ ବୋଲି ମନ୍ତ୍ରୀ କହିଛନ୍ତି ।