ଭୁବନେଶ୍ୱର: ଗତକାଲି(ମେ ୯) ଓଡ଼ିଶା ସାମ୍ବାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି ଛାଡ଼ିଦେଇଗଲା । ସକାଳେ ଆରପାରିକୁ ଚାଲିଗଲେ ରାଧାନାଥ ମହାପାତ୍ର(୫୬) ଆଉ ରାତିରେ ଚନ୍ଦ୍ରଭାନୁ ପଟ୍ଟନାୟକ(୬୦) । ସାମ୍ବାଦିକତା କ୍ଷେତ୍ରରେ ଉଭୟ ବେଶ୍ ପ୍ରତିଷ୍ଠା ଅର୍ଜନ କରିଥିଲେ ।
‘ସମ୍ବାଦ’ ରୁ ସିନେ ସାମ୍ବାଦିକତା ଆରମ୍ଭ କରିଥିଲେ ରାଧାନାଥ । ଦୀର୍ଘ ୨୧ ବର୍ଷ ସେଠାରେ କାର୍ଯ୍ୟ କରିବା ପରେ ‘ଧରିତ୍ରୀ’, ‘ସମୟ’, ‘ତରଙ୍ଗ’ ଚାନେଲ, ‘ପ୍ରମେୟ’ ପରେ ‘ନିତିଦିନ’ରେ କାର୍ଯ୍ୟରତ ଥିଲେ । ସିନେ ସାମ୍ବାଦିକତାରେ ତାଙ୍କ ସ୍ଥାନ ଥିଲା ଶୀର୍ଷରେ । ଖାଲି ସାମ୍ବାଦିକତା ନୁହେଁ, ଓଡ଼ିଶା ସିନେ କ୍ରିଟିକ୍ ଆସୋସିଏସନର ପ୍ରତିଷ୍ଠାତା ସଦସ୍ୟ ଓ ରାଜ୍ୟ ଚଳଚିତ୍ର ପୁରସ୍କାର କମିଟିରେ ଦୁଇ ଦୁଇ ଥର ଜୁରି ମେମ୍ବର ଥିଲେ । ଜଣେ ଲେଖକ, ଅନୁବାଦକ ଓ ଗୀତିକାର ହିସାବରେ ମଧ୍ୟ ରାଧା ଭାଇ ସୁଖ୍ୟାତି ଅର୍ଜନ କରିଥିଲେ । କିଡନୀ, ହୃଦରୋଗ ସମସ୍ୟାରେ ଆକ୍ରାନ୍ତ ହୋଇ ସେ ହସ୍ପିଟାଲ୍ ବେଡ଼ରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ଅର୍ଥ ତାଙ୍କ ଚିକିତ୍ସାରେ ବାଧକ ସୃଷ୍ଟି କରୁଥିଲା । ତାଙ୍କୁ ବଞ୍ଚାଇବା ପାଇଁ ପରିବାରବର୍ଗଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ବୁଧବାର ସକାଳ ୯ଟାରେ ଆଖି ବୁଜିଦେଲେ ସମସ୍ତଙ୍କର ପ୍ରିୟ ରାଧା ଭାଇ ।
ସେହିଭଳି ଚନ୍ଦ୍ରଭାନୁ ପଟ୍ଟନାୟକ ଓଡ଼ିଶା ସାମ୍ବାଦିକତା ଯୁଗର ଏକ ଉଜ୍ଜଳ ପ୍ରତିଭା ଥିଲା । ଅଧ୍ୟାପନା ଛାଡ଼ି ‘ସମ୍ବାଦ’ରୁ ସାମ୍ବାଦିକତା ଆରମ୍ଭ କରିଥିଲେ । ପରେ ‘ଶତାଦ୍ଦୀ’ ନାମକ ପାକ୍ଷିକ ପତ୍ରିକା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ‘ସମାଜ’, ‘ସମୟ’ ଓ ‘ଏସଟିଭି’ର ମୁଖ୍ୟ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ଖାଲି ଜଣେ ଉଚ୍ଚକୋଟୀର ସାମ୍ବାଦିକ ନୁହେଁ, ଜଣେ ରାଜନୈତିକ ସମୀକ୍ଷକ ଓ ସ୍ତମ୍ଭକାର ଭାବେ ତାଙ୍କର ବେଶ୍ ସୁନାମ ଥିଲା । ଦୀର୍ଘ ୪ ବର୍ଷ ଧରି ଅସୁସ୍ଥ ରହିବା ପରେ ବୁଧବାର ରାତି ସାଢ଼େ ୯ଟାରେ ଆଖି ବୁଜିଦେଲେ ଚନ୍ଦ୍ରଭାନୁ ।
ରାଧାନାଥ ଓ ଚନ୍ଦ୍ରଭାନୁଙ୍କ ବିୟୋଗ ଓଡ଼ିଶା ସାମ୍ବାଦିକତା ଯୁଗ ପାଇଁ ଦାରୁଣ ଦୁଃଖ ସହ ଅପୂରଣୀୟ କ୍ଷତି ଆଣିଛି । ‘ମିଡ଼ ଡ଼େ ଓଡ଼ିଶା’ ପରିବାର ଏହି ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଉଭୟଙ୍କ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇ ସେହି ଅମର ଆତ୍ମାର ସଦଗତି କାମନା କରୁଛି ।