ଭୁବନେଶ୍ୱର: ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ କୁଆଡ଼େ ଏବେ ଏମପି ନିଶା ଘାରିଛି । ସୁଯୋଗ ପାଇଲେ ଛାକିରି ଛାଡ଼ି ସେ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା ପୁଲିସ ମହଲରେ ଆଲୋଚନା ହେଉଛି । ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ହେବାକୁ ତାଙ୍କର ଇଚ୍ଛା ଅଛି । ବିଜେପିର ସମ୍ଭାବ୍ୟ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ସେ ଠିକ୍ ଫାଇଟ୍ ଦେଇପାରିବେ ବୋଲି ତାଙ୍କର ଅନୁଭବ ହେଉଛି । ଖୋଦ୍ ପୁଲିସ ମହଲରେ ଏହି ଚର୍ଚ୍ଚା ଏବେ ଦାଣ୍ଡରେ ବୁଲିଲାଣି । ତେବେ ଏହାର ସତ୍ୟାସତ୍ୟ ଜଣାପଡ଼ିନାହିଁ ।
ଅନ୍ୟପକ୍ଷରେ ଡିଜି ଡ. ଶର୍ମାଙ୍କୁ ନେଇ ଅନ୍ୟ ଏକ ଚର୍ଚ୍ଚା ତାଙ୍କ ପାଇଁ ଭୀଷଣ ସମସ୍ୟା ସୃଷ୍ଟି କଲାଣି । ତାହା ହେଉଛି, ପୁଲିସ ବିଭାଗରେ ବଦଳି ନାଟକ । ପୁଲିସ ଅଫିସରଙ୍କ ବଦଳି ତାଲିକାକୁ ବାରମ୍ବାର ବଦଳେଇ ସେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । କାଲି ବାହାରିଥିବା ଅର୍ଡର ଆଜି ବାତିଲ ହୋଇ ନୂଆ ଅର୍ଡର ବାହାରୁଛି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଏଇ ୧୦ ଦିନ ଭିତରେ ଜଣେ ଅଫିସରଙ୍କ ୫ ଟି ଜାଗାକୁ ପୋଷ୍ଟିଂ ଓ ଟ୍ରାନସଫର୍ ହୋଇଛି । ନୟାଗଡ଼ ଜିଲ୍ଲାରେ ଅବସ୍ଥାପିତ ଏହି ଅଫିସର ଗଣ୍ଡା ଗଣ୍ଡା ବଦଳି ଓ କ୍ୟାନସଲ୍ ଅର୍ଡର ଧରି ଗଂଜାମରେ ପହଞ୍ଚିଲେଣି । ଗଂଜାମ ଅର୍ଡରଟି ଫାଇନାଲ୍ ନା ପୁଣି ତାଙ୍କର କୁଆଡେ ଯିବାର ଅଛି ତାହା ଦେଖିବା ବାକି ଅଛି ।
ସୂଚନାଯୋଗ୍ୟ, ନିକଟରେ ପୁଲିସ ବିଭାଗରେ ଏକ ବଡ଼ଧରଣର ବଦଳି ଅର୍ଡର ବାହାରିଥିଲା । ଗୋଟିଏ ଜାଗାରେ ୩ ବର୍ଷରୁ ଅଧିକ ସମୟ ରହିଥିବା ଏଡିସିପି, ଏସିପି, ଇନସପେକ୍ଟର, ସବ ଇନସପେକ୍ଟରସ୍ତରରେ ଅଦଳବଦଳ ହୋଇଥିଲା । ଭୁବନେଶ୍ୱରରେ ବହୁ ବର୍ଷ ଧରି ଗାଦି ମାଡ଼ି ରହିଥିବା ୩ ଏସିପିଙ୍କ ସମେତ କମିଶନରେଟ୍ ପୁଲିସର ପ୍ରାୟ ସବୁ ଥାନା ଇନସପେକ୍ଟରଙ୍କ ବଦଳି ହୋଇଥିଲା । ତେବେ ୪/୫ ଦିନ ପରେ ସେଥିରୁ ଅଧିକାଂଶ ଅଫିସରଙ୍କ ବଦଳି ଅର୍ଡର ବାତିଲ କରାଯାଇ ଅନ୍ୟତ୍ର ଥଇଥାନ କରାଯାଇଛି ।
ବାରମ୍ବାର ବଦଳି ଅର୍ଡର ବାତିଲ ପଛରେ ରହସ୍ୟ କ’ଣ ତାହା ବୁଝିବା ଲୋକ ବୁଝୁଛନ୍ତି । ଭଲ ଜାଗାରେ ପୋଷ୍ଟିଂ ପାଇଁ କିଛି ଅଫିସର ଲବି କରୁଥିବା ବେଳେ ଅଦୃଶ୍ୟ କାରଣରୁ ତାହା ତଥାସ୍ତୁ ହୋଇଯାଉଛି । ଫଳରେ ଅର୍ଡର ବଦଳି ଯାଉଛି ।
ଡିଜି ଡ. ଶର୍ମା ଜଣେ ସଚ୍ଚୋଟ ଓ ଦକ୍ଷ ଅଫିସର ଭାବେ ଜଣାଶୁଣା ହୋଇଥିଲେ ମଧ୍ୟ ଏହାକୁ ରୋକିବାରେ ତାଙ୍କର ବିଫଳତା ଏବେ ସବୁ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ବଦଳି ପାଇଁ ଡିଜି ଅଫିସ ଓ ପୁଲିସ କମିଶନରେଟ୍ ଅଫିସରେ ଲକ୍ଷ ଲକ୍ଷ ଟଙ୍କାର କାରବାର ଅଭିଯୋଗ ହୋଇଛି ।