ଭୁବନେଶ୍ୱର: ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମାମଲା ଗମ୍ଭୀର ହୋଇସାରିଥିବା ବେଳେ ମଜାଦାର ଦିଗ ସାମନାକୁ ଆସିଛି । ବିଧାୟକଙ୍କ ତଣ୍ଟିଆ ମରାର ଶିକାର ହୋଇଥିବା ସହିଦଙ୍କ ଦାଦା ଚୈତନ୍ୟ ବେହେରାଙ୍କର ଏକ ସାକ୍ଷାତକାର ଭିଡ଼ିଓ ମାର୍କେଟ୍ କୁ ଆସିଛି । ଦେବାଶିଷ ବାବୁଙ୍କର କିଛି ଭୁଲ ନାହିଁ ଏବଂ ସେ ମତେ ଅସମ୍ମାନ କରିନାହାନ୍ତି ବୋଲି ଚୈତନ୍ୟ କହୁଛନ୍ତି । ବାରମ୍ବାର ସେଇ ସମାନ ପ୍ରଶ୍ନରେ ବାରମ୍ବାର ସେହି ସମାନ ଉତ୍ତର ଦେଉଛନ୍ତି ଚୈତନ୍ୟ ।
ଖାଲି ସେତିକି ନୁହେଁ, ଭାଇରାଲ୍ ହୋଇଥିବା ଶବ ସତ୍କାର ବେଳର ଭିଡ଼ିଓକୁ ଫାଙ୍କିଛନ୍ତି ଦାଦା । ହୋଇପାରେ ସେତେବେଳେର ପରିବେଶରେ ତାଙ୍କ ପ୍ରତି ବିଧାୟକଙ୍କର ଆଚରଣକୁ ସେ ଧ୍ୟାନ ଦେଇନାହାନ୍ତି କିମ୍ବା ଧ୍ୟାନ ଥିଲେ ମଧ୍ୟ ଖରାପ ଅର୍ଥରେ ନେଇନାହାନ୍ତି । ତେବେ ଜାଣତରେ ହେଉ କି ଅଜାଣତରେ ହେଉ, ଭିଡ଼ିଓରେ ବନ୍ଧା ହୋଇଥିବା ଦୃଶ୍ୟକୁ ଚୈତନ୍ୟ ଫାଙ୍କିଦେଇଛନ୍ତି । ଶବ ସକ୍ରାର ବେଳେ ପ୍ରବଳ ଭିଡ ଯୋଗୁଁ ଠେଲାପେଲା ହେବାରୁ ଦେବାଶିଷ ବାବୁ ମତେ କହିଲେ, ମଉସା ବସିଯାଅ । ତା’ ଛଡ଼ା ଆଉ କିଛି ହୋଇନାହିଁ ବୋଲି ଚୈତନ୍ୟ କହିଛନ୍ତି ।
ଚୈତନ୍ୟ ପୁଣି କହିଛନ୍ତି ଯେ ଆମ ପରିବାର ପ୍ରତି ବିଧାୟକଙ୍କର ବହୁତ ସମ୍ମାନ ଅଛି ଏବଂ ଆମର ବି ତାଙ୍କ ପ୍ରତି ସମ୍ମାନ ଅଛି । ଦେବାଶିଷ ବାବୁ ଭଲ ଲୋକ । ସେଦିନ ଆମ ଘରକୁ ଆସିଥିଲେ ଏବଂ ପୁତୁରା ବୋହୁ ସାଙ୍ଗରେ କଥା ହୋଇଥିଲେ । ଶବକୁ କାନେ୍ଧଇ ବି ଆଣିଥିଲେ । ତେଣୁ ତାଙ୍କ ନାଁରେ ଏମିତି ଖରାପ ପ୍ରଚାର ଠିକ୍ ହେଉନାହିଁ । ଏହି ଘଟଣାକୁ ନେଇ ରାଜନୀତି କରନ୍ତୁ ନାହିଁ ବୋଲି ଭିଡ଼ିଓରେ ଚୈତନ୍ୟ କହୁଛନ୍ତି ।