ଭୁବନେଶ୍ୱର: ସହିଦ ମନୋଜ ବେହେରାଙ୍କ ଅନ୍ତେଷ୍ଟିକ୍ରିୟାରେ ତାଙ୍କ ଦାଦାଙ୍କୁ ତଣ୍ଟିଆ ମାରିଥିବା ବିଜେଡ଼ି ବିଧାୟକ ଦେବାଶିଷ(ରୁଷି) ସାମନ୍ତରାୟଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ପ୍ରବଳ କ୍ଷୁବ୍ଧ ହୋଇଛନ୍ତି ଏବଂ ଯେ କୌଣସି ମୁହୁର୍ତ୍ତରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଦଳୀୟ ମହଲରୁୁ ସୂଚନା ମିଳିଛି । ନିଜ ଭୁଲ୍ ପାଇଁ ଦେବାଶିଷ କ୍ଷମା ମାଗି ସାରିଥିଲେ ମଧ୍ୟ ପାକିସ୍ଥାନୀ ଟିଭିରେ ତାହା ପ୍ରସାରଣ ହେବା ପରେ ମାମଲାର ଗମ୍ଭୀରତା ଯଥେଷ୍ଟ ବଢ଼ିଯାଇଛି ।
କଟକ-ବାରବାଟୀର ଏହି ବିଧାୟକଙ୍କର ଏହି କାର୍ଯ୍ୟ ସମଗ୍ର ରାଜ୍ୟବାସୀଙ୍କୁ ଲଜ୍ଜିତ କରିଛି । ସହିଦଙ୍କ ଦାଦାଙ୍କୁ ତଣ୍ଟିଆ ଧକ୍କା ମରା ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବା ପରେ ଯେତିକି ଚର୍ଚ୍ଚା ହୋଇଥିଲା ଗତକାଲି ପାକିସ୍ଥାନୀ ଟିଭିରେ ବାଜିବା ପରେ ଚର୍ଚ୍ଚା ବହୁତ ବଢ଼ିଯାଇଛି । ବିଜେଡ଼ି ବିଧାୟକଙ୍କର ଅମାନବୀୟ କାଣ୍ଡକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି । ନିର୍ବାଚନ ପାଇଁ ଦିନ କେଇଟାର ଅପେକ୍ଷା ଥିବା ବେଳେ ପ୍ରସଙ୍ଗଟି ବିଜେଡ଼ି ପାଇଁ ବିପଦ ସୃଷ୍ଟି କରିଛି ।
ଦେବାଶିଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଇତିମଧ୍ୟରେ ବିଭିନ୍ନ ମହଲରୁ ସ୍ୱର ଉଠିଲାଣି । ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଦେବାଶିଷଙ୍କ ଗିରଫ ଦାବି କରାଯାଇଛି । ଦଳର ମିଡ଼ିଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ, ବରିଷ୍ଠ ନେତା ପଞ୍ଚାନନ କାନୁଗୋ ଏବଂ ଅଶୋକ ସାମଲ ଏକ ସାମ୍ବାଦିକ ସମ୍ମିଳନୀ କରି ଦେବାଶିଷଙ୍କୁ ଅବିଳମ୍ବେ ଗିରଫ କରିବାକୁ ଦାବି କରିଛନ୍ତି । ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନିଜେ କ୍ଷମା ମାଗନ୍ତୁ ଓ ତାଙ୍କ ବିଧାୟକଙ୍କୁ ଦଳରୁ ବହିଷ୍କାର କରନ୍ତୁ । ସହିଦଙ୍କ ପ୍ରତି ଅସମ୍ମାନ, ଜାତୀୟପତାକା ଓ ଜାତୀୟତାକୁ ଅସମ୍ମାନ କରିଥିବାରୁ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସେମାନେ ଦାବି କରିଛନ୍ତି । ସେପଟେ କଟକରେ ମହିଳା କଂଗ୍ରେସ ପକ୍ଷରୁ ଦେବାଶିଷଙ୍କ ବିରୋଧରେ ବାଦାମବାଡ଼ି ଥାନାରେ ଏତଲା ଦିଆଯାଇଛି ।