ମୁଖ୍ୟମନ୍ତ୍ରୀଙ୍କ ଦୁଃଖପ୍ରକାଶ, ମୃତକଙ୍କ ପରିବାରକୁ ୨ ଲକ୍ଷ ସହାୟତା
ବ୍ରହ୍ମପୁର: ବ୍ରହ୍ମପୁରଠାରୁ ପ୍ରାୟ ୬୦ କିମି ଦୂରରେ ଥିବା ତପ୍ତପାଣି ଘାଟିରେ ଗତକାଲି ମଧ୍ୟରାତ୍ରିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘନ କୁହୁଡ଼ି ଭିତରେ ବସ୍ ଟି ଚାରି ଗଡ଼ା ଦେଇ ଘାଟି ତଳକୁ ଖସିପଡ଼ିଥିଲା ।ଏହି ଦୁର୍ଗମ ଇଲାକାର ଘଞ୍ଚ ଜଙ୍ଗଲରେ ବସ୍ ଭିତରେ ଚାପି ହୋଇ ଯାଇଥିଲେ ୫୦ ଜଣ ଯାତ୍ରୀ । ଘଟଣାସ୍ଥଳରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଯାତ୍ରୀମାନଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଏବଂ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି । ୧୪ରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତାହତଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି ।
ରାୟଗଡ଼ା ଟିକିରିରୁ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଆସୁଥିଲା ‘ମାରୁତି’ ନାମକ ଏହି ଯାତ୍ରୀବାହୀ ବସ୍ । ରାତି ପ୍ରାୟ ୩ ଟାରେ ଏହା ତପ୍ତପାଣି ଘାଟି ଅତିକ୍ରମ କଲା ବେଳେ ପାଳୁଖୋଳା ପାଖରେ ଘାଟିରୁ ତଳକୁ ଖସିପଡ଼ିଥିଲା । ଘନ କୁହୁଡ଼ି ନା ବ୍ରେକ୍ ଫେଲ୍ ଯୋଗୁଁ ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ବସ୍ ଭିତରେ ଯାତ୍ରୀମାନେ ଗଭୀର ନିଦ୍ରାରେ ଶୋଇଥିଲା ବେଳେ ତାହା ଘାଟି ଉପରୁ ଚାରି ଗଡ଼ା ଦେଇ ତଳକୁ ଖସିଥିଲା । ତଳେ ଘଞ୍ଚ ଜଙ୍ଗଲ ଏବଂ ପାଖରେ ଥିବା ଏକ ପାଣି ଟାପରେ ପଡ଼ିଥିଲା ବସ୍ । ଚାପି ହୋଇଯାଇଥିବା ଯାତ୍ରୀମାନେ ଜୀବନ ବଞ୍ଚାଇବାକୁ ଆର୍ତ୍ତ ଚିକ୍ରାର କରିଥିଲେ ମଧ୍ୟ ବାହାରି ପାରି ନ ଥିଲେ । ସ୍ଥାନୀୟ ଅଞ୍ଚଳବାସୀ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା । ପୁଲିସ, ଫାୟାର୍ ଓ ଓଡ୍ରାଫ୍ ଟିମ୍ ଖବର ପାଇ ସେଠାରେ ପହଞ୍ଚିବା ବେଳକୁ ଡେରି ହୋଇଯାଇଥିଲା ।
ବସ୍ ରେ ଚାପି ହୋଇ ରହିଥିବା ୭ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ବେଳେ ୧୩ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ କୁ ପଠାଯାଇଥିଲା । ପ୍ରାୟ ୩୫ ଜଣ ଆହତଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଜିଲ୍ଲା ଏସପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟରେ ସହଯୋଗ କରିଥିଲେ ।
ମୃତକଙ୍କ ପରିବାରକୁ ୨ ଲକ୍ଷ
୭ ଜଣଙ୍କ ଜୀବନ ନେଇଥିବା ତପ୍ତପାଣି ଘାଟିର ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।