ଭୁବନେଶ୍ୱର: ଜଣେ ସୁଦକ୍ଷ ଓ କର୍ମନିଷ୍ଠ ପ୍ରଶାସକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିୟଭାଜନରେ ଥିବା ତାଙ୍କର ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ ୫-ଟି ସଚିବ ଦାୟିତ୍ୱ ସମ୍ଭାଳୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୫-ଟି ଭିଜନ୍ କୁ କାର୍ଯ୍ୟକାରୀ କରିବାରେ ପାଣ୍ଡିଆନ୍ ଙ୍କ ଅକ୍ଲାନ୍ତ ଓ କଠୋର ପରିଶ୍ରମ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି । ବଡ଼ି ଭୋର୍ ରୁ ବିଳମ୍ବିତ ସଂଧ୍ୟା ପର୍ଯ୍ୟନ୍ତ ଖାଲି ଅନୁଧ୍ୟାନ କି ସମୀକ୍ଷା ବୈଠକରେ ସୀମିତ ନାହିଁ ପାଣ୍ଡିଆନ୍ ଙ୍କ କାର୍ଯ୍ୟ । ତାହାର କାର୍ଯ୍ୟକାରିତା ପୁରୀଠାରୁ ଆରମ୍ଭ ଏକାମ୍ର କ୍ଷେତ୍ର, କଟକ ଏସସିବି ସବୁଠାରେ ଦେଖିବାକୁ ମିଳିଲାଣି ।
ପାଣ୍ଡିଆନ୍ ଙ୍କ ଏହି ୫-ଟି ମିସନ୍ ରେ ଆଜି ଯୋଡି ହୋଇଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳୀକାଟୁ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଗୋଟିଏ ଦିନରେ ବ୍ଲକ୍ ର ୨୫ଟି ଯାକ ହାଇସ୍କୁଲ ବୁଲିବେ ପାଣ୍ଡିଆନ୍ । ଖାଲି ସେତିକି ନୁହେଁ, ସଂପୃକ୍ତ ଅଞ୍ଚଳରେ ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟସେବା, ବିଜୁଳି ଏବଂ ଜଳସେଚନ ବ୍ୟବସ୍ଥାର ଅନୁଧ୍ୟାନ କରି ଫେରିବେ ।
ଆଜି(ଶୁକ୍ରବାର) ବଡ଼ିଭୋର୍ ରୁ ପାଣ୍ଡିଆନ୍ ଆଗ ଯାଇ ପହଞ୍ଚିଥିଲେ ତାରା ତାରିଣୀ ପୀଠରେ । ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା ସାରି ସେ ମନ୍ଦିର ବେଢ଼ା ଓ ଆନୁସଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ପର୍ଯ୍ୟଟକମାନଙ୍କୁ ଅଧିକ ଆକର୍ଷଣ ଏବଂ ସେମାନଙ୍କୁ ପର୍ଯ୍ୟାପ୍ତ ସୁବିଧା ଯୋଗାଇବା ପାଇଁ ଆଉ କ’ଣ ଆବଶ୍ୟକ ଅଧିକାରୀମାନଙ୍କଠାରୁ ଟିକନିକ୍ ପଚାରି ବୁଝିଥିଲେ । ମନ୍ଦିରର ସର୍ବାଙ୍ଗୀନ ବିକାଶ ସହ ଋଷିକୁଲ୍ୟା ପଠାର ଉନ୍ନତି ଉପରେ ଜୋର୍ ଦେଇଥିଲେ ପାଣ୍ଡିଆନ୍ ।

ତାରା ତାରିଣୀରୁ ଫେରି ସକାଳ ୬.୪୫ ମିନିଟ୍ ରେ ପାଣ୍ଡିଆନ୍ ଆସି ପହଞ୍ଚିଥିଲେ ହିଞ୍ଜିଳି ବ୍ଲକ୍ ର ନନ୍ଦିକା ସରକାରୀ ୟୁ.ଜି.ହାଇସ୍କୁଲରେ । ସ୍କୁଲର ଆନୁସଙ୍ଗିକ ବ୍ୟବସ୍ଥାକୁ ବୁଲି ଦେଖିବା ସହ ଶିକ୍ଷକ ଓ ସ୍ଥାନୀୟ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ । ସେଠାରେ ୨୫ ମିନିଟ୍ ରହଣୀ ପରେ ଆସିଥିଲେ ପୁଟିଆପଦର ପଞ୍ଚାୟତ ଅନ୍ତର୍ଗତ ବାଳକୃଷ୍ଣପୁର ସରକାରୀ ୟୁ.ଜି. ହାଇସ୍କୁଲକୁ । ସେଠାରେ ଅଧଘଣ୍ଟା କାଳ ଅନୁଧ୍ୟାନ କରି ଧୋବଦି ପଞ୍ଚାୟତର ଡ.ପାଟ୍ଟପୁର ସରକାରୀ ୟୁ.ଜି.ହାଇସ୍କୁଲ ଆସିଥିଲେ । ସେଠାରୁ ସାହାପୁର ପଞ୍ଚାୟତର ସାହାପୁର ଜିପି ହାଇସ୍କୁଲ, ଭବନ୍ଧ ପଞ୍ଚାୟତର ଜେ.ସି.ସି ହାଇସ୍କୁଲ, ବେଲଗାଁ ପଞ୍ଚାୟତର ବେଲଗାଁ ରଘୁନାଥ ବିଦ୍ୟାପୀଠ, ଗନ୍ଦଲା ପଞ୍ଚାୟତର ଗନ୍ଦଲା ଗଣେଶ ବିଦ୍ୟାପୀଠ, ଧୁରବନ୍ଧ ପଞ୍ଚାୟତର ଧୂରବନ୍ଧ ପଞ୍ଚାୟତ ହାଇସ୍କୁଲ ବୁଲିଥିଲେ ପାଣ୍ଡିଆନ୍ ।
ହିଞ୍ଜିଳି ବ୍ଲକ୍ ରେ ପାଣ୍ଡିଆନ୍ ଙ୍କର ହାଇସ୍କୁଲ ପରିଦର୍ଶନ ଅବ୍ୟାହତ ରହିଛି ଏବଂ ସଂଧ୍ୟା ୬ଟା ଯାଏଁ ସେ ସ୍କୁଲ୍ ରୁ ସ୍କୁଲ୍ ବୁଲିବେ । ତମାମ ଦିନରେ ୨୫ ଟି ହାଇସ୍କୁଲ ପରିଦର୍ଶନ କରିବେ । ମଝିରେ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତ ଅଧିକାରୀମାନଙ୍କ ସହ ପାନୀୟ ଜଳ, ରାସ୍ତା, ସ୍ୱାସ୍ଥ୍ୟସେବା, ବିଜୁଳି ଏବଂ ଜଳସେଚନ ଆଦି ସମସ୍ୟା ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ହିଞ୍ଜିଳିର ସର୍ବାଙ୍ଗୀନ ବିକାଶ ନେଇ ପାଣ୍ଡିଆନ୍ ଙ୍କଠାରୁ ବ୍ଲୁ ପ୍ରିଣ୍ଟ ପାଇଲା ପରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ପ୍ୟାକେଜ୍ ଘୋଷଣା କରିବେ ବୋଲି କୁହାଯାଉଛି । ପାଣ୍ଡିଆନ୍ ଙ୍କ ଏହି ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଜି ଚଳଚଞ୍ଚଳ ହୋଇଛି । ଏଭଳି ବ୍ୟସ୍ତବହୁଳ କାର୍ଯ୍ୟକ୍ରମକୁ ନେଇ ସାଧାରଣରେ ବେଶ୍ ଚର୍ଚ୍ଚା ହେଉଛି ।







