ଭୁୁବନେଶ୍ୱର: ପାଟକୁରା ନିର୍ବାଚନମଣ୍ଡଳୀକୁ ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଉପନିର୍ବାଚନ ବେଳେ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସେହି ପ୍ରତିଶ୍ରୁତିର କାର୍ଯ୍ୟକାରିତା ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ତିନି ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ୩ଟି ଟିମ୍ ଆଜି ଅଚାନକ ପାଟକୁରା ନିର୍ବାଚନମଣ୍ଡଳୀ ବୁଲି ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ ଯୋଗାଣ ଆଦିର ସ୍ଥିତି ପରଖିଛନ୍ତି । ପାଟକୁରା ସର୍ବାଙ୍ଗୀନ ବିକାଶର ନକ୍ସା ଧରି ଭୁବନେଶ୍ୱର ଫେରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ ତିନୋଟି ପୃଥକ୍ ଟିମ୍ ର ନେତୃତ୍ୱ ନେଇଥିଲେ ସ୍ୱତନ୍ତ୍ର ସଚିବ ଡି.ଏସ୍.କୁଟ୍ଟେ, ଅତିରିକ୍ତ ସଚିବ ରୂପା ରୋଶନ ସାହୁ ଏବଂ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର । ଏହି ବରିଷ୍ଠ ଅଧିକାରୀମାନଙ୍କ ନେତୃତ୍ୱରେ ପୃଥକ୍ ଟିମ୍ ପ୍ରତି ପଞ୍ଚାୟତର ବିଦ୍ୟାଳୟଗୁଡ଼ିକ ପରିଦର୍ଶନ କରି ଆନୁସଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ପ୍ରତି ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ସବୁ ନିର୍ବାଚିତ ପ୍ରତିନିଧିମାନଙ୍କୁ ସିଧାସଳଖ ଭେଟି ଆଲୋଚନା କରିଥିଲେ । ସେମାନଙ୍କ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ସଡ଼କ ଯୋଗାଯୋଗ ଓ ବିଦୁ୍ୟତସେବା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସ୍କୁଲରେ ପିଲାଙ୍କ ସହ ବସି ମଧ୍ୟାହ୍ନ ଭୋଜନ କରିଥିଲେ ।






