– ମୁଖ୍ୟମନ୍ତ୍ରୀ ଇସ୍ତଫା ମାଗିଲେନି, ବହିଷ୍କାର କରିଦେଲେ
– ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିର ଟେର୍ ପାଇଲେନି ଦାମ
– ବ୍ରାହ୍ମଣଙ୍କ ପ୍ରତି ଜାତିଆଣ ମନ୍ତବ୍ୟ କାଳ ହେଲା
ଭୁବନେଶ୍ୱର: ବ୍ରାହ୍ମଣଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ପାଇଁ ଶେଷରେ କାଳ ହେଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କଠାରୁ ଇସ୍ତଫା ନ ମାଗି ସିଧାସଳଖ ବହିଷ୍କାର କରିଛନ୍ତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଅଚାନକ ଏହି ଘୋଷଣା କରିଥିଲେ । ଦାମଙ୍କ ବହିଷ୍କାର ସମ୍ପର୍କିତ ଚିଠି ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଦାମଙ୍କ ବହିଷ୍କାର ଖବର ସବୁ ମହଲରେ ହଟଚମଟ ସୃଷ୍ଟି କରିଛି । ନିଜ ତୁଣ୍ଡରୁ ଲଗାମ ହରାଇଥିବାରୁ ୪୦ ବର୍ଷର ଏହି ପୋଖତ ରାଜନୀତିଜ୍ଞଙ୍କୁ ଶେଷରେ ମନ୍ତ୍ରୀପଦରୁ ଅପମାନଜନକ ଭାବେ ବିଦା ହେବାକୁ ପଡ଼ିଛି ।
ନିକଟରେ ମାଲକାନଗିରିଠାରେ ଏକ ଉତ୍ସବରେ ଯୋଗଦେଇଥିବା ଦାମ ତାଙ୍କ ଭାଷଣରେ ବ୍ରାହ୍ମଣଙ୍କୁ ଭିକାରି କହିଥିଲେ । ବ୍ରାହ୍ମଣଙ୍କ ପ୍ରତି ଏଭଳି ଜାତିଆଣ ଆକ୍ଷେପ ଗଣମାଧ୍ୟମରେ ପ୍ରସାର ହେବା ପରେ ଦାମଙ୍କୁ କଡ଼ା ସମାଲୋଚନା କରାଯାଇଥିଲା । ସମଗ୍ର ରାଜ୍ୟର ବ୍ରାହ୍ମଣସମାଜ ଦାମଙ୍କ ଆକ୍ଷେପ ଉପରେ ପ୍ରତିକ୍ରିୟାଶୀଳ ହୋଇଥିଲେ । ପୁରୀଠାରୁ ଆରମ୍ଭ କରି ମୟୁରଭଞ୍ଜ ସବୁଠି ଉଠିଥିଲା ପ୍ରତିବାଦର ସ୍ୱର । ଦାମଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବିଦା କରିବା ପାଇଁ ସ୍ୱର ଉଠିଥିଲା । ପୁରୀରେ ବିଭିନ୍ନ ବ୍ରାହ୍ମଣ ସମାଜ ପକ୍ଷରୁ ଦାମଙ୍କୁ ପ୍ରବଳ ବିରୋଧ କରାଯାଇଥିଲା । ଦାମଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା । ବିଜେଡ଼ି ନେତାଙ୍କୁ ପୁରୀରେ ପୂରାଇ ନ ଦେବାକୁ ମଧ୍ୟ ଧମକ ଦିଆଯାଇଥିଲା । ଦାମବାବୁ ବ୍ରାହ୍ମଣଙ୍କ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିବା କଥାକୁ ପ୍ରଥମେ ଗାଲୁ ପେଲିଥିଲେ ମଧ୍ୟ ପରେ ଦୁଃଖପ୍ରକାଶ କରିଥିଲେ । କ୍ଷମା ବି ମାଗିଥିଲେ । ମାତ୍ର ବ୍ରାହ୍ମଣ ବର୍ଗଙ୍କୁ ଏହା ଶାନ୍ତ କରିପାରି ନ ଥିଲା । ଖାଲି ବ୍ରାହ୍ମଣ ନୁହଁନ୍ତି ଜାତିବର୍ଣ୍ଣ ନିର୍ବିଶେଷରେ ସବୁ ମହଲରୁ ଏହାର ପ୍ରତିବାଦ ହୋଇଥିଲା ।
ଦାମଙ୍କର ଏହି ଜାତିଆଣ ଆକ୍ଷେପ ନିଆଁ ହୋଇ ବ୍ୟାପୁଥିବାରୁ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ହୋଇପଡ଼ିଥିଲେ ବୋଲି ସୂଚନା ମିଳିଛି । ରାଜନୈତିକ ଦୃଷ୍ଟିରୁ ଏହା ବିଜେଡ଼ିକୁ ବେଶ୍ ମହଙ୍ଗା ପଡ଼ିପାରେ ବୋଲି ସମ୍ଭବତଃ ତାଙ୍କର ହୃଦୟଙ୍ଗମ ହୋଇଥିଲା । ବିଶେଷକରି ଆସନ୍ତା ୨୬ ତାରିଖରେ ପୁରୀଠାରେ ଦଳର ପ୍ରତିଷ୍ଠା ଦିବସ ଧୂମଧାମରେ ପାଳିବାକୁ ଆୟୋଜନ ଚାଲିଥିବା ବେଳେ ବ୍ରାହ୍ମଣ ସମ୍ପ୍ରଦାୟର ବିରୋଧ ଓ ବୟକଟ୍ ନିଷ୍ପତ୍ତି ତାଙ୍କୁ ଚିନ୍ତାରେ ପକାଇଥିଲା ବୋଲି କୁହାଯାଉଛି । ତେବେ ଦାମଙ୍କୁ ବହିଷ୍କାର ଭଳି କଠୋର ନିଷ୍ପତ୍ତି ଯେ ମୁଖ୍ୟମନ୍ତ୍ରୀ ନେଉଛନ୍ତି ତାହା ତାଙ୍କ ମତିଗତିରୁ ଶେଷ ପର୍ଯ୍ୟନ୍ତ କେହି ଠଉରାଇପାରିନ ଥିଲେ ।
ବିଚକ୍ଷଣ ରାଜନେତା ଦାମ ନିଜର କୁହାଳିଆ ଗୁଣ ପାଇଁ ବାରମ୍ବାର ଅଡୁଆରେ ପଡ଼ିଛନ୍ତି । ୨୦୧୦ ମସିହାରେ ବିଷ୍ଣୁ ଦାସଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ତାଙ୍କୁ ଭୀଷଣ ହୀନସ୍ତିଆ କରିଥିଲା । ସାରା ରାଜ୍ୟରେ ତାଙ୍କ ବିରୋଧରେ ପ୍ରତିବାଦର ସ୍ୱର ଉଠିଥିଲା । ନିକଟରେ ଅଙ୍ଗନବାଡ଼ି ନାଁ ନେଇ ମହିଳାଙ୍କ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିଲେ । ସେହିଭଳି ବରଗଡ଼ର ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦା ମାଝୀଙ୍କ ପରିବାରକୁ ଦଳୀୟ ନିକିତିରେ ରଖି ତାଙ୍କର ମନ୍ତବ୍ୟ ବିଜେଡ଼ିକୁ ବେଶ୍ ଭାରିପଡ଼ିଥିଲା । ଜୟୀ ରାଜଗୁରୁଙ୍କୁ ନେଇ ତାଙ୍କର ମନ୍ତବ୍ୟ ବି ବେଶ୍ ବିବାଦୀୟ ହୋଇଥିଲା । ଦଳକୁ କ୍ଷତି କଲା ଭଳି କୋ÷ଣସି ବିବାଦୀୟ ମନ୍ତବ୍ୟ ନ ଦେବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ନିକଟରେ ତାଗିଦ୍ କରିଥିବା ଚର୍ଚ୍ଚା ହୋଇଥିଲା । ମାତ୍ର ଦାମଙ୍କ ଉପରେ ତାହାର କୋ÷ଣସି ପ୍ରଭାବ ନଥିଲା । ଯାହାର ପରିଣାମ ଆଜି ଦାମଙ୍କୁ ଭୋଗିବାକୁ ପଡ଼ିଛି ।