ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଅଧ୍ୟାପକଙ୍କ ଯୁକ୍ତ ଦୁଇ ଖାତା ଦେଖା ବର୍ଜନ ଆନ୍ଦୋଳନରେ ଝାଳନାଳ ହୋଇଗଲେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ବିକଳ୍ପ ବ୍ୟବସ୍ଥା କରି ଅଧିକ ଅଡୁଆକୁ ଡାକି ଆଣିଲେ । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ କମିଟି ଅଧ୍ୟାପକଙ୍କ ଆନ୍ଦୋଳନ ସମାଧାନ କରିବାର ବାଟ ପାଇଲେନି । ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସଙ୍ଗୀନ ହୋଇ ଆସୁଥିବା ବେଳେ କମିଟି ସଦସ୍ୟମାନେ ଧରାଛୁଆଁ ଦେଲେନି । ମୁଖ୍ୟମନ୍ତ୍ରୀ ବି ତାଙ୍କ ବାଟରେ ଦିଲ୍ଲୀ ଚାଲିଗଲେ । ଏଭଳି ଅବସ୍ଥାରେ ଅଧ୍ୟାପକଙ୍କୁ ବୁଝାଇ ସୁଝାଇ ଆନ୍ଦୋଳନ ହଟାଇ ଦେବାରେ ସମର୍ଥ ହୋଇଛନ୍ତି ବ୍ଲୁ ଆଇଡ ମନ୍ତ୍ରୀ ବବି ଓରଫ୍ ପ୍ରଣବ ପ୍ରକାଶ ଦାସ । ଅବଶ୍ୟ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ଅଫିସ୍ ନିର୍ଦେଶରେ ବବି ଏହି ଦାୟିତ୍ୱ ନେଇଥିଲେ କି ନାଇଁ ତାହା ଆମକୁ ଜଣା ନ ଥିଲେ ମଧ୍ୟ ବବି ଯେ ତାଙ୍କ କାମରେ ସଫଳ ହୋଇଛନ୍ତି ଏହା ନିଃସନ୍ଦେହ ।
ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକଙ୍କ ସମସ୍ୟାର ବାଟ ଫିଟାଇବାକୁ ରାଜ୍ୟ ସରକାର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ସେଥିରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଅରୁଣ ସାହୁ, ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ସଦସ୍ୟ ଅଛନ୍ତି । ସଚିବାଳୟରେ କମିଟି ବୈଠକ ବାରମ୍ବାର ବସିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସମାଧାନର ରାସ୍ତା ଖୋଜି ପାଇନାହାନ୍ତି ମନ୍ତ୍ରୀଗଣ । ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ଯୁକ୍ତ ଦୁଇ ଖାତା ଦେଖା ଅଚଳ ହୋଇପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ସୋମବାର ଦିନ ଦିଲ୍ଲୀ ପଳେଇଲେ । ଦିଲ୍ଲୀ ଯିବା ପୂର୍ବରୁ କମିଟି ସଦସ୍ୟ ଥିବା ୫ ଜଣ ଯାକ ଯୁବମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରଣା କରିଥିଲେ । ହେଲେ ସେଥିରେ ଅଧ୍ୟାପକଙ୍କ ସମସ୍ୟା ବିଷୟ ଆଲୋଚନା ହୋଇଥିଲା କି ନାହିଁ କେହି କହୁନାହାନ୍ତି ।
ଓଲଟି ସରକାର ଶିକ୍ଷକଙ୍କୁ ବୁଝାଇ ଆନ୍ଦୋଳନରୁ ନିବୃତ୍ତ କରାଇବା ପରିବର୍ତେ ନିୟମ ବଳଳାଇ ଘରୋଇ କଲେଜ ଅଧ୍ୟାପକ ଓ ସ୍କୁଲ ଶିକ୍ଷକଙ୍କୁ ନେଇ ପରୀକ୍ଷାଖାତା ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ନେଲେ । ଏହା ସମସ୍ୟାକୁ ହାଲକା କରିବା ବଦଳରେ ଅଧିକ ଜଟିଳ କରିଦେଲା । ସାରା ରାଜ୍ୟର ଅଭିଭାବକ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଲେ । ଅବସ୍ଥା ଅସମ୍ଭାଳ ଦେଖି ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଆନ୍ଦୋଳନରତ ଅଧ୍ୟାପକଙ୍କୁ ଡକାଇଲେ ସରକାର । ଆଉ ବବିଙ୍କ ନେତୃତ୍ୱରେ ଆଲୋଚନା ହୋଇ ସମାଧାନର ରାସ୍ତା ବାହାରିଗଲା ।
ପାଜେରୋ ମାମଲାରେ ଫସିଥିବା ସଞ୍ଜୟ ଦାସବର୍ମା ନିଜ କଥା ନେଇ ଚିନ୍ତାରେ ଥିବା ବେଳେ ଶିକ୍ଷକଙ୍କ କଥା ବୁଝିବାକୁ ବେଳ ନ ରହିବା ସ୍ୱାଭାବିକ । ମାତ୍ର ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କ ଭଳି ଟପ୍ ବ୍ରାଣ୍ଡ ମନ୍ତ୍ରୀ ଶିକ୍ଷକଙ୍କ ସମାଧାନର ରାସ୍ତା ଖୋଜିବାରେ ସମର୍ଥ ହୋଇ ନ ପାରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଅର୍ଥାତ୍ ତ୍ରିମୂର୍ତ୍ତି ଅତନୁ, ଅରୁଣ ଓ ସଞ୍ଜୟ ଶିକ୍ଷକଙ୍କ ଆନ୍ଦୋଳନ ସମାଧାନର ରାସ୍ତା ଖୋଜିବାରେ ବିଫଳ ହୋଇଥିବା ବେଳେ ଟପ୍ ଜୁନିୟର ମନ୍ତ୍ରୀ ବବି ସେଥିରେ ପାସ୍ କରି ନିଜର ଦକ୍ଷତାର ପ୍ରମାଣ ଦେଇଛନ୍ତି । ସେଥିରେ ମୁଖ୍ୟମନ୍ତ୍ରୀଙ୍କ ଅଫିସିର ନିର୍ଦେଶ ଥିଲେ ବି ବବିଙ୍କ ପାଖକୁ ବାହାବା ଯାଇଛି ।