ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ହେଲା ପରେ ଦାମୋଦର ରାଉତଙ୍କୁ ଆଜି ପ୍ରଥମେ ଭେଟି ସଙ୍ଖୋଳିଛନ୍ତି ବିଜେଡ଼ିର ଅନ୍ୟତମ ବହିଷ୍କୃତ ନେତା ବୈଜୟନ୍ତ ପଣ୍ଡା । ସକାଳ ୮ଟା ୪୫ ମିନିଟ୍ ରେ ଦାମ ରାଉତଙ୍କ ସରକାରୀ ବାସଭବନରେ ବୈଜୟନ୍ତ ପହଞ୍ଚି ୧୫ ମିନିଟ୍ କାଳ ନିବୃତ୍ତ ଆଲୋଚନା କରି ଫେରିଛନ୍ତି । ଦାମଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଅନ୍ୟାୟ କହିବା ସହ ଆଜିର ସାକ୍ଷାତକାରକୁ ସୌଜନ୍ୟମୂଳକ ବୋଲି କହିଛନ୍ତି । ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଉଭୟଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇ ନ ଥିଲା । ଆଗାମୀ ଦିନରେ ଆଲୋଚନା ହେବ ବୋଲି ବୈଜୟନ୍ତ କହିଛନ୍ତି ।
ବୈଜୟନ୍ତଙ୍କ ସାଙ୍ଗରେ ଆଲୋଚନା ପରେ ଦାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପୁଣି ବର୍ଷିଛନ୍ତି । ସ୍ଥିତି ରଖିବା ପାଇଁ ନବୀନ ବାରମ୍ବାର ନୀତି ବଦଳାଉଛନ୍ତି ବୋଲି କହିଛନ୍ତି । ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସେ କୌଣସି ସୂଚନା ଦେଇ ନ ଥିଲେ ମଧ୍ୟ ତଥାକଥିତ ବିଜୁ ଅନୁଗତଙ୍କୁ ନେଇ ନୂଆ ରାଜନୈତିକ ସମୀକରଣକୁ ଏଡାଇ ନ ଥିଲେ । ବିଜେପି କି କଂଗ୍ରେସକୁ ଯିବାର ପ୍ରଶ୍ନ ଉଠୁନାହିଁ ବୋଲି ପୁଣି ଦୋହରାଇଥିଲେ । ତେବେ ପାରାଦ୍ୱୀପରୁ ସେ ଅଲବତ୍ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ । ତାଙ୍କ ପୁଅ ସମ୍ବିତଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ ପଚରାଯିବାରୁ ଦାମ ଉତକ୍ଷିପ୍ତ ହୋଇଥିଲେ । ସେ ମୋ ପୁଅ, ଅଶୋକ ଦାସ କି କଳ୍ପତରୁ ଦାସଙ୍କ ପୁଅ ନୁହଁ ବୋଲି କଟାକ୍ଷ କରିଥିଲେ ।
ସେପଟେ ବିଜେଡ଼ି ଓ ନେତା ନବୀନ ପଟ୍ଟନାୟକଙ୍କ ଉପରେ ନିଜର ଆସ୍ଥା ପ୍ରକଟ କରିଛନ୍ତି ସମ୍ବିତ ରାଉତରାୟ । ବାପାଙ୍କ ନିଷ୍ପତ୍ତି ଓ ମନ୍ତବ୍ୟକୁ ସେ ତାଙ୍କ ନିଜସ୍ୱ ବୋଲି କହିଥିଲା ବେଳେ ନିଜକୁ ଦଳର ଅନୁଶାସନ ଭିତରେ ରଖିଛନ୍ତି ସମ୍ବିତ । ବିଜୁବାବୁଙ୍କ ଆଦର୍ଶ କ’ଣ ମତେ ଜଣାନାହିଁ । ମୁଁ ଯେଉଁଠି ଅଛି ସେଇ ନେତାଙ୍କ ପ୍ରତି ମୋର ଆନୁଗତ୍ୟ ରହିଛି ବୋଲି ସମ୍ବିତ କହିଛନ୍ତି ।