ଭୁବନେଶ୍ୱର: ତିନି ଦିନିଆ ଦିଲ୍ଲୀ ଗସ୍ତରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫେରିବା ପରେ ଡାକ୍ତର ଦାମୋଦର ରାଉତଙ୍କ ସମ୍ପର୍କରେ ମୁହଁ ଖୋଲିଛନ୍ତି । ତାଙ୍କ ସରକାରର ଦୁର୍ନୀତି ମୁଖା ଖୋଲିବେ ବୋଲି ଦାମ ବାବୁ ଧମକ ଦେଇଥିବା ସମ୍ପର୍କରେ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ । ମୁଖ୍ୟମନ୍ତ୍ରୀ ଏହି ପ୍ରଶ୍ନ ଶୁଣି ପାଲଟା ପ୍ରଶ୍ନ କରିଥିଲେ.. ଏଗେନେଷ୍ଟ ହୁମ୍ ? (କାହା ବିରୋଧରେ?) ତାପରେ ଜୋର୍ ରେ ହସିଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ ଦାମ ବାବୁ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତି । ତାଙ୍କ ଅଭିଯୋଗ ନିଷ୍ଫଳ ଓ ହାସ୍ୟାସ୍ପଦ । ସାମ୍ବାଦିକମାନେ ତାପରେ ପଚାରିଥିଲେ, ବିଜେଡ଼ିରୁ ଅଲଗା ହୋଇଯାଇଥିବା ନେତାମାନେ ବିକଳ୍ପ ରାଜନୈତିକ ଦଳ ଗଢ଼ିଲେ ତାହା ବିଜେଡ଼ି ପାଇଁ ଚାଲେଂଜ ହେବନି ତ? ମୁଖ୍ୟମନ୍ତ୍ରୀ କହିଥିଲେ, ନାଁ, ଏହା ସେମାନଙ୍କ ବିଜିନେସ୍ । ବିଜେଡ଼ି ଉପରେ ଏହାର କୌଣସି ପ୍ରଭାବ ପଡ଼ିବନି ।
ଦିଲ୍ଲୀରେ ଥିବା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଗତକାଲି ରାତିରେ ଦାମ ରାଉତଙ୍କୁ ବହିଷ୍କାର ଆଦେଶ ଦେଇଥିଲେ । ଦାମଙ୍କ ଦଳବିରୋଧୀ କାର୍ଯ୍ୟରେ ସେ ଏତେ ଉତକ୍ଷିପ୍ତ ହୋଇଥିଲେ ଯେ ଭୁବନେଶ୍ୱର ଫେରିବା ପର୍ଯ୍ୟନ୍ତ ଅପେକ୍ଷା କଲେନି । ଖାଲି ସେତିକି ନୁହେଁ, ଦଳର ସମ୍ପାଦକ ଥିବା ଜୁନିୟର ନେତା ବିଜୟ ନାୟକଙ୍କ ଦସ୍ତଖତରେ ତାଙ୍କ ବହିଷ୍କାର ଆଦେଶ ଇସ୍ୟୁ କରାଇଲେ । ଆଜି ଦିଲ୍ଲୀରୁ ଫେରିଲା ବେଳେ ଅତ୍ୟନ୍ତ ହାଲକା ଲାଗୁଥିଲେ ମୁଖ୍ୟମନ୍ତ୍ରୀ । ଲାଗୁଥିଲା, ବିଜେଡ଼ିରୁ ଦାମଙ୍କ ଭଳି ଏକ କଣ୍ଟାକୁ ବାହାର କରି ସେ ଖୁସି ହୋଇଛନ୍ତି । ସମ୍ଭବତଃ ସେଇଥିପାଇଁ ଦାମଙ୍କ ମୁହଁରେ ଦୁର୍ନୀତିର ଭାଷା ସାମ୍ବାଦିକଙ୍କଠୁ ଶୁଣି ଜୋର୍ ହସି ପକାଇଥିଲେ । ଦାମ ଯେ ବଡ଼ ଦୁର୍ନୀତିଗ୍ରସ୍ତ ନେତା ଏହା ମୁଖ୍ୟମନ୍ତ୍ରୀଙ୍କ ହସ କହୁଥିଲା ।
ସେପଟେ ଗତକାଲିଠାରୁ ଦାମ ସେହି ପୁରୁଣା ମନ୍ତବ୍ୟ ଦୋହରାଇ ଚାଲିଛନ୍ତି । ଗତକାଲି ସକାଳେ ହିଁ ନବୀନଙ୍କୁ ଭଲ ଲୋକ କହି ପ୍ରଶଂସାରେ ପୋତି ପକାଇଥିବା ଦାମ ନିଜ ଛେପ ଢ଼ୋକି ଦେଇଛନ୍ତି । ବିଜେଡ଼ିରୁ ବହିଷ୍କୃତ ହେଲା ପରେ ନବୀନ ତାଙ୍କ ପାଇଁ ଖଳନାୟକ ପାଲଟିଯାଇଛନ୍ତି । ନବୀନ ଯେତେ ଶୀଘ୍ର ଓଡ଼ିଶାରୁ ବିଦାୟ ହେବେ ରାଜ୍ୟର ମଙ୍ଗଳ ହେବ ବୋଲି ଆଜି ମନ୍ତବ୍ୟ ଦେଇଛନ୍ତି । ସକାଳେ ବୈଜୟନ୍ତ ପଣ୍ଡା ତାଙ୍କୁ ସଙ୍ଖୋଳି ଯିବା ପରେ ଦାମ ଆଉ ଟିକେ ଉତ୍ସାହିତ ହୋଇପଡ଼ିଛନ୍ତି ।